ଇଭାଙ୍କାଙ୍କ ପରାମର୍ଶ: କର୍ମ କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ବଢ଼ାଅ

ହାଇଦ୍ରାବାଦ: କର୍ମ କ୍ଷେତ୍ରରେ ମହିଳାମାନଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହେଉଥିବା ଭଳି ସରକାରୀ ନୀତି ପ୍ରସ୍ତୁତ କରାଯିବା ଦରକାର ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ କନ୍ୟା ଇଭାଙ୍କା ଟ୍ରମ୍ପ୍‌ କହିଛନ୍ତି। ଲିଙ୍କଗତ ବୈଷମ୍ୟ ଦୂର କରିବା ଉପରେ ଜୋର ଦେଉଥିବା ଇଭାଙ୍କା କହିଛନ୍ତି ଯେ ଏଭଳି ପ୍ରଯୁକ୍ତିର ବ୍ୟବହାର ହେବା ଦରକାର ଯାହା ଜରିଆରେ ମହିଳାମାନେ ରୋଷେଇ ଘରେ ମଧ୍ୟ କାମ କରିପାରିବେ। ଏଠାରେ ଚାଲିଥିବା ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀ (ଜିଇସି)ର ଦ୍ୱିତୀୟ ଦିନରେ ଆୟୋଜିତ ଏକ ଆଲୋଚନା ଅଧିବେଶନରେ ଯୋଗ ଦେଇ ସେ କହିଛନ୍ତି ଯେ ସରକାରୀ ନୀତି ପ୍ରସ୍ତୁତ କରୁଥିବା ଲୋକମାନେ ଆଧୁନିକ ଶ୍ରମ ଶକ୍ତି ଏବଂ ଆଧୁନିକ ପରିବାରର ବାସ୍ତବତାକୁ ବୁଝିବା ଦରକାର। ଆଧୁନିକ ପରିବାରକୁ ସୁହାଇବା ଭଳି ନୀତି ସେମାନେ ପ୍ରସ୍ତୁତ କରିବା ଉଚିତ। ଏ କ୍ଷେତ୍ରରେ ପ୍ରଯୁକ୍ତି ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ମହିଳା ଉଦ୍ୟୋଗୀଙ୍କ ପାଇଁ ପ୍ରଯୁକ୍ତି ବିପୁଳ ସୁଯୋଗ ସୃଷ୍ଟି କରିପାରିବ ବୋଲି ଇଭାଙ୍କା କହିଛନ୍ତି।

କର୍ମ କ୍ଷେତ୍ରରେ ସମାନତା ଆଣିବା ପାଇଁ ପୁରୁଷଙ୍କ କବ୍‌ଜାରେ ଥିବା ପଦପଦବୀରେ ଅଧିକ ମହିଳାଙ୍କୁ ନିଯୁକ୍ତ କରାଯିବା ଦରକାର। କର୍ମ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ପରିମାଣ ବର୍ତ୍ତମାନ ଯେଉଁଭଳି ନିମ୍ନ ସ୍ତରରେ ରହିଛି ଭବିଷ୍ୟତରେ ଏହି ଅନ୍ତର ଆହୁରି ବୃଦ୍ଧି ପାଇପାରେ ବୋଲି ଇଭାଙ୍କା କହିଛନ୍ତି। ଏହି ଅବସରରେ ଆଇସିଆଇସିଆଇ ବ୍ୟାଙ୍କର ପରିଚାଳନା ନିର୍ଦେଶିକା ଚନ୍ଦା କୋଛର, ଚେରି ବ୍ଲେୟାର ଫାଉଣ୍ଡେସନ ଫର ଓମେନ୍‌ର ମୁଖ୍ୟ ଚେରି ବ୍ଲେୟାର ଏବଂ ଡେଲ୍‌ର ମୁଖ୍ୟ ଗ୍ରାହକ ଅଧିକାରୀ କାରେନ୍‌ କ୍ୱିଣ୍ଟସ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର