ମୁମ୍ବାଇ: ଯେଉଁମାନେ ଅନ୍ୟ ନିବେଶକମାନଙ୍କ ଲାଗି ପ୍ରେରଣା ପାଲଟିଥିଲେ ସେମାନଙ୍କୁ ବି ନିସ୍ତାର ମିଳିନାହିଁ। ଗତ କିଛି ମାସ ହେଲାଣି ଷ୍ଟକ୍ ବଜାରରେ ଦେଖାଦେଇଥିବା ଅସ୍ଥିରତାରୁ ସେମାନେ ବର୍ତ୍ତି ପାରିନାହାନ୍ତି। ପୁଞ୍ଜି ବଜାରରେ ବିଗ୍ ବୁଲ୍‌ ଭାବେ ପରିଚିତ ଦେଶର ୧୦ ବଡ଼ ନିବେଶକ ଇତି ମଧ୍ୟରେ ୮୧ ହଜାର କୋଟି ଟଙ୍କା ହରାଇସାରିଲେଣି। ଷ୍ଟକ୍ ବଜାରରେ ବୋହୁଥିବା ଝଡ଼ରେ ଆଭେନ୍ୟୁ ସୁପରମାର୍ଟସ୍‌ର ରାଧାକୃଷ୍ଟ ଦମାନି, ଝୁନଝୁନୱାଲା ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। ଗତବର୍ଷ ଅକ୍ଟୋବର ପରଠାରୁ ଦମାନି ୬୪ ହଜାର କୋଟି ଟଙ୍କା ହରାଇଛନ୍ତି। 

Advertisment

ଏହି ଝଡ଼ରେ ସେ ସର୍ବାଧିକ କ୍ଷତି ସହିଛନ୍ତି। ତାଙ୍କ ପୋର୍ଟଫୋଲିଓ ପରିମାଣ ୨.୩୧ ଲକ୍ଷ କୋଟି ଟଙ୍କାରୁ ୧.୬୭ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ତାଙ୍କ ଦୁଇ ପ୍ରମୁଖ ସଂସ୍ଥା ଆଭେନ୍ୟୁ ସୁପର୍‌ମାର୍ଟସ୍‌ ଓ ଟ୍ରେଣ୍ଟ୍‌ର ସେୟାର ମୂଲ୍ୟରେ ଯଥାକ୍ରମେ ୨୭ ପ୍ରତିଶତ ଓ ୩୨ ପ୍ରତିଶତ ହ୍ରାସ ଘଟିଛି। ସ୍ବର୍ଗତ ରାକେଶ ଝୁନଝୁନୱାଲାଙ୍କ ପରିବାରର ପୋର୍ଟଫୋଲିଓରେ ୧୯ ପ୍ରତିଶତ ହ୍ରାସ ଘଟି ତାହା ୫୯,୭୦୯ କୋଟି ଟଙ୍କାକୁ ହ୍ରାସ ପାଇଛି। ଆକାଶ ଭଂଶାଲିଙ୍କ ପୋର୍ଟଫୋଲିଓ ୧୬ ପ୍ରତିଶତ କମିଥିବା ବେଳେ ହେମେନ୍ଦ୍ର କୋଠାରିଙ୍କ ସମ୍ପତ୍ତିରେ ୨୯ ପ୍ରତିଶତ ହ୍ରାସ ହୋଇଛି। ମୁକୁଲ ଅଗ୍ରୱାଲଙ୍କ‌ ପୋର୍ଟଫୋଲିଓରେ ୬ ପ୍ରତିଶତ ହ୍ରାସ ହୋଇଛି। ଆଶିଷ କଚୋଲିଆ ଓ ୟୁସୁଫାଲି କାଦର ମଧ୍ୟ ନିଜ କ୍ଷତିକୁ ଯଥା ସମ୍ଭବ କମ୍ କରିବାରେ ସଫଳ ହୋଇଛନ୍ତି। 

୨୦୨୫ରେ ଦେଶରେ ୩୬ ଦିନ ଷ୍ଟକ୍ ବଜାରରେ କାରବାର ହୋଇଥିବା ବେଳେ ନିବେଶକମାନେ ୩୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଗୁରୁବାର ମଧ୍ୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୨୦୩ ପଏଣ୍ଟ ହ୍ରାସ ପାଇ ୭୫,୭୩୫ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୧୯ ପଏଣ୍ଟ ହ୍ରାସ ପାଇ ୨୨୯୧୩ ପଏଣ୍ଟକୁ ଖସିଆସିଛି।