ସବୁ ଟ୍ରେନ୍‌ରେ ରହିବ ୨୨ଟି କୋଚ୍‌:ସବୁ ଟ୍ରେନ୍‌ ସବୁ ରୁଟ୍‌ରେ ଚାଲିପାରିବ

ନୂଆଦିଲ୍ଲୀ, : ଟ୍ରେନ୍‌ଗୁଡ଼ିକୁ ସବୁ ପ୍ରକାର ରୁଟ୍‌ରେ ଚଳପ୍ରଚଳ କରିପାରିବା ଭଳି ପ୍ରସ୍ତୁତ କରିବା ଉପରେ ରେଳବାଇ କାମ କରୁଛି। ସବୁ ଟ୍ରେନ୍‌ରେ ୨୨ଟି କୋଚ୍‌ ରହିବ। ଫଳରେ ଟ୍ରେନ୍‌ଗୁଡ଼ିକୁ ନିର୍ଦିଷ୍ଟ ସମୟ ଭିତରେ ଯେକୌଣସି ପ୍ରକାର ରୁଟ୍‌ରେ ଚଳପ୍ରଚଳ କରିପାରିବ। ଏହି ଯୋଜନା ମାଧ୍ୟମରେ ଟ୍ରେନ୍‌ ଚଳାଚଳରେ ହେଉଥିବା ବିଳମ୍ବ ସମସ୍ୟାକୁ ଦୂର କରିବାକୁ ରେଳବାଇ ଲକ୍ଷ୍ୟ ରଖିଛି।
ରେଳ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଖୁବ୍‌ଶୀଘ୍ର ସବୁ ଟ୍ରେନ୍‌ରେ ୨୨ଟି ଲେଖାଏଁ କୋଚ୍‌ ଲଗାଯିବ। ଟ୍ରେନ୍‌ ଯେତେ ଦୂର କିମ୍ବା ଯେତେ ସମୟ ଯାତ୍ରା କରୁଥିଲେ ମଧ୍ୟ ସେଥିରେ କୋଚ୍‌ ସଂଖ୍ୟା ସୀମିତ ରହିବ। କେବଳ ସେତିକି ନୁହେଁ ପ୍ଲାଟଫର୍ମର ଲମ୍ବ ବୃଦ୍ଧି କରାଯିବ। ଅନ୍ୟାନ୍ୟ ଆବଶ୍ୟକ ପରିବର୍ତ୍ତନ ମଧ୍ୟ କରାଯିବ ବୋଲି ଶ୍ରୀ ଗୋୟଲ କହିଛନ୍ତି। ରେଳବାଇର ଇଞ୍ଜିନିୟରିଂ ବିଭାଗ ଏହା ଉପରେ କାମ ଜାରି ରଖିଛି। ବର୍ତ୍ତମାନ ଦେଶରେ ଦୁଇ ପ୍ରକାର କୋଚ୍‌ ଉପଲବ୍ଧ ହେଉଛି। ତାହା ହେଉଛି ଆଇସିଏଫ୍‌ ଏବଂ ଏଲ୍‌ଏଚ୍‌ବି। ଟ୍ରେନ୍‌ଗୁଡ଼ିକ ଚାହିଦା ଅନୁଯାୟୀ ୧୨, ୧୬, ୧୮, ୨୨ ଓ ୨୬ଟି ଲେଖାଏଁ କୋଚ୍‌ ରହୁଛି। ଫଳରେ ବିଳମ୍ବ ସମୟରେ ଗୋଟିଏ ଟ୍ରେନ୍‌ ସ୍ଥାନରେ ଅନ୍ୟ ଏକ ଟ୍ରେନ୍‌ ଚଲାଇବାରେ ରେଳବାଇ ସମସ୍ୟା ସାମ୍ନା କରୁଛି। ଯଦି ପ୍ରତିଟି ଟ୍ରେନ୍‌ରେ କୋଚ୍‌ ସଂଖ୍ୟା ସମାନ ରହିବ ତେବେ ଚଳାଚଳ ପାଇଁ ପ୍ରସ୍ତୁତ ହୋଇପାରିନଥିବା ଟ୍ରେନ୍‌ ସ୍ଥାନରେ ଆଉ ଏକ ଟ୍ରେନ୍‌ ଚଳାଚଳ କରିପାରିବ। ଏହି ବ୍ୟବସ୍ଥାରେ ପୁରୁଣା ଟ୍ରେନ୍‌କୁ ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୩୦୦ଟି ଟ୍ରେନ୍‌ ଏବଂ ସେମାନଙ୍କ ରୁଟ୍‌ ଚିହ୍ନଟ କରାଯାଇଛି। ଏହି ସବୁ ଟ୍ରେନ୍‌ଗୁଡ଼ିକର ନମ୍ବର ଏବଂ ସମୟ ଜୁଲାଇରେ ପ୍ରକାଶ ପାଇବାକୁ ଥିବା ନୂଆ ଟ୍ରେନ୍‌ ସମୟ ସାରଣୀରେ ପ୍ରଦର୍ଶିତ ହେବ।
ନୂଆ ବ୍ୟବସ୍ଥାରେ ସବୁ ଟ୍ରେନ୍‌ରେ ସମାନ ସଂଖ୍ୟକ ଜେନେରାଲ୍‌, ସ୍ଲିପର (ଶୟନ) ଏବଂ ଏସି କୋଚ୍‌ ରହିବ। ଫଳରେ ସବୁ ଟ୍ରେନ୍‌ ସବୁ ରୁଟ୍‌ରେ ଯାତ୍ରା କରିପାରିବ।

ସମ୍ବନ୍ଧିତ ଖବର