ନିତିଦିନିଆ ବ୍ୟବହାର ହେଉଥିବା ସାମଗ୍ରୀ ଦର ୧୫% କମିବ

ଜିଏସ୍‌ଟି ହ୍ରାସ ପ୍ରଭାବ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନିକଟରେ ଅନେକ ସାମଗ୍ରୀର ଜିଏସ୍‌ଟି ହାର ହ୍ରାସ କରିଥିଲେ। ଏହାର ପ୍ରଭାବରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ୧୫% ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଏଫ୍‌ଏମ୍‌ସିଜି କଂପାନିଗୁଡ଼ିକ ବିଭିନ୍ନ ସାମଗ୍ରୀର ଦର ଖୁବ୍‌ଶୀଘ୍ର ହ୍ରାସ କରିବେ ବୋଲି ସଙ୍କେତ ଦେଇସାରିଲେଣି। ହିନ୍ଦୁସ୍ତାନ ୟୁନିଲିଭର, ଡାବର, ଅମୁଲ, ଗ୍ଲାକ୍‌ସୋସ୍ମିଥ୍‌ଲାଇନ୍‌, ପିଆଣ୍ଡଜି, ସେନଲେ ଓ ପରଫେଟି ଭାନ୍‌ ମେଲି ଭଳି କଂପାନି ବିଭିନ୍ନ ସାମଗ୍ରୀର ଦର ହ୍ରାସ କରିବା ନିଷ୍ପତ୍ତି ନେଇଛନ୍ତି।

ନିକଟରେ ଗୌହାଟିରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ୨୧୩ଟି ସାମଗ୍ରୀ ଉପରୁ ଜିଏସ୍‌ଟି ହାର ହ୍ରାସ କରାଯାଇଥିଲା। ସେଥି ମଧ୍ୟରୁ ୧୭୮ଟି ସାମଗ୍ରୀର ଜିଏସ୍‌ଟିକୁ ୨୮%ରୁ ହ୍ରାସ କରି ୧୮% କରାଯାଇଥିଲା। ସେହି ସମୟରେ ହିନ୍ଦୁସ୍ତାନ ୟୁନିଲିଭର ଏବଂ ପତଞ୍ଜଳି ଭଳି ବଡ଼ ସଂସ୍ଥା ସରକାରଙ୍କ ନିଷ୍ପତ୍ତି ସ୍ୱାଗତ କରିଥିଲେ ଏବଂ କହିଥିଲେ ଯେ ଏହାର ଲାଭ ଶୀଘ୍ର ଗ୍ରାହକଙ୍କ ପାଖରେ ପହଞ୍ଚିବ। ଆଗାମୀ ଦିନରେ ସିମେଣ୍ଟ୍‌ ଏବଂ ପେଣ୍ଟ୍‌ ଉପରେ ଜିଏସ୍‌ଟି ହାର ହ୍ରାସ ପାଇବ ବୋଲି ଜଣାପଡ଼ିଛି। ଯଦି ଏହି ଦୁଇ ସାମଗ୍ରୀ ଉପରୁ ଜିଏସ୍‌ଟି କମିବ ତେବେ ସରକାର ୨୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବେ।

ଜିଏସ୍‌ଟିରେ ଆଗାମୀ ଦିନରେ ଆହୁରି ଅଧିକ ସରଳୀକରଣ ହେବ। ଆହୁରି ବହୁତ ସାମଗ୍ରୀ ଉପରେ ଟିକସ ସ୍ଲାବ୍‌କୁ କମ୍‌ କରିବା ଉପରେ ଜିଏସ୍‌ଟି ପରିଷଦ ବିଚାର କରୁଥିବା କୁହାଯାଉଛି। ତାହା କେତେ ସତ ତାହା ଆଗାମୀ ଦିନରେ ଜଣାପଡ଼ିବ। ଏବେ ଦେଶରେ ଚାରି ଥାକିଆ ଜିଏସ୍‌ଟି ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର