ଭୁବନେଶ୍ୱର: ଏବେଠୁ ବିଶ୍ୱବାସୀ ଶକ୍ତି ସଂରକ୍ଷଣ ଓ ଉପଯୋଗ ନେଇ ସଚେତନ ନ ହେଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହେବ ବୋଲି ଆଇଆଇଟି ବମ୍ବେର ପ୍ରଫେସର ତଥା ଏନର୍ଜି ସ୍ୱରାଜର ପ୍ରତିଷ୍ଠାତା ବିଶିଷ୍ଟ ପରିବେଶବିତ୍ ପ୍ରଫେସର ଚେତନ ସିଂହ ସୋଲାଙ୍କି କହିଛନ୍ତି। ଆଜି କିଟ୍ ମେକାନିକାଲ୍ ଇଂଜିନିୟରିଂ ସ୍କୁଲ୍ ଓ ଏନର୍ଜି ସ୍ୱରାଜ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଅନୁଷ୍ଠିତ ସର୍ବବୃହତ କ୍ଲାଇମେଟ୍ କ୍ଲକ୍ ଆସେମ୍ଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ସୋଲାଙ୍କି ଏହା କହିଛନ୍ତି। ପ୍ରଫେସର ସୋଲାଙ୍କି ତିନୋଟି ନିତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେଗୁଡ଼ିକ ହେଲା, ପାରମ୍ପରିକ ଶକ୍ତି ଓ ଅଙ୍ଗାରକାମ୍ଳ ଭିତ୍ତିକ ଶକ୍ତିଠାରୁ ଦୂରେଇ ରହିବା, ଶକ୍ତିର କମ୍ ବ୍ୟବହାର କରିବା ଓ ଶକ୍ତି ସଂରକ୍ଷଣ ।
ବର୍ତ୍ତମାନ ଦେଶ ସୌରଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଉଚିତ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ପ୍ରଫେସର ସୋଲାଙ୍କିଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିବା ସହ ଜଳବାୟୁ ପରିବର୍ତ୍ତନର ଭୟାବହ ପ୍ରଭାବରୁ ବର୍ତ୍ତିବା ପାଇଁ ଏବେଠୁ ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଓ କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ଯୋଗଦେଇ କହିଥିଲେ କିଟ୍ ଓ କିସ୍ରେ ଶ୍ରୀ ସାମନ୍ତଙ୍କ ଦ୍ୱାରା ସବୁଜ ପ୍ରୟାସ ଆରମ୍ଭ କରାଯାଇଛି। କିଟ୍ ଓ କିସ୍ରେ କିପରି ୫୦ଲକ୍ଷ ୱାଟ୍ ସୌରଶକ୍ତି ଉତ୍ପାଦନ ସହ ବାର୍ଷିକ ଲକ୍ଷାଧିକ ବୃକ୍ଷରୋପଣ କରାଯାଇଛି ସେ ନେଇ ସେ ସୂଚନା ଦେଇଥିଲେ।