ମୁମ୍ବାଇ: ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସିର ମୁକାବିଲା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରସ୍ତୁତ କରିଥିବା ନିଜସ୍ବ ଡିଜିଟାଲ ମୁଦ୍ରା ଇ-ଟଙ୍କାର ପରୀକ୍ଷଣ ଆଜିଠାରୁ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପାଇକାରୀ ଏବଂ ମାସକ ଭିତରେ ଖୁଚୁରା କ୍ଷେତ୍ରରେ ଏହାର ପରୀକ୍ଷଣ କରାଯିବ। କିଛି ନିର୍ଦିଷ୍ଟ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ନେଇ ଏହି ପରୀକ୍ଷଣ ହେବ। ପରୀକ୍ଷଣର ସଫଳତା ଉପରେ ଏହାର ଦେଶବ୍ୟାପୀ କାର୍ଯ୍ୟକାରିତା ନିର୍ଭର କରିବ। ଆଗାମୀ ଦିନରେ ସୀମାପାର ପେମେଣ୍ଟ୍ରେ ହେଉଥିବା ପାଇକାରୀ କାରବାର ଲାଗି ଏହାର ପରୀକ୍ଷା କରାଯିବ।
ଏହି ପରୀକ୍ଷାମୂଳକ ପ୍ରକଳ୍ପରେ ୯ଟି ବ୍ୟାଙ୍କ ଅଂଶଗ୍ରହଣ କରିବେ। ସେହି ବ୍ୟାଙ୍କଗୁଡ଼ିକ ହେଉଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଆଇଡିଏଫ୍ସି ଫାଷ୍ଟ୍ ବ୍ୟାଙ୍କ ଏବଂ ଏଚ୍ଏସ୍ବିସି ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ ପକ୍ଷରୁ କିଛି ଦିନ ପୂର୍ବେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୁଦ୍ରା (ସିବିଡିସି)ର କନ୍ସେପ୍ଟ ନୋଟ୍ ଜାରି କରାଯାଇଥିଲା। ସେଥିରେ ଡିଜିଟାଲ ଟଙ୍କା ପାଇଁ ରହିଥିବା ଯୋଜନା ବିଷୟରେ ଅବଗତ କରାଯାଇଛି। ଚଳିତ ଆର୍ଥିକ ବର୍ଷ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ ଯେ ରିଜର୍ଭ ବ୍ୟାଙ୍କ ଚଳିତ ବର୍ଷ ଇ-ଟଙ୍କାର ପ୍ରଚଳନ ଆରମ୍ଭ କରିବ।
ଇ-ଟଙ୍କା କ’ଣ?
ରିଜର୍ଭ ବ୍ୟାଙ୍କ ଇ-ଟଙ୍କା ହେଉଛି ପେମେଣ୍ଟ୍ର ଏକ ମାଧ୍ୟମ ଯାହା ପ୍ରଚଳନରେ ଥିବା ନୋଟ୍ ଏବଂ କଏନ୍ ଭଳି ବୈଧ। ଏହାକୁ ସାଧାରଣ ଜନତା, ବ୍ୟବସାୟୀ, ସରକାର ଓ ଅନ୍ୟମାନେ ବ୍ୟବହାର କରିପାରିବେ। ତାହାକୁ ସହଜରେ ବ୍ୟାଙ୍କ ଖାତାରେ ଜମା କରାଯାଇପାରିବ ଏବଂ ନଗଦ ଟଙ୍କାରେ ମଧ୍ୟ ପରିଣତ କରାଯାଇପାରିବ। ଇଲେକ୍ଟ୍ରୋନିକ୍ ମାଧ୍ୟମରେ ତାହାର କାରବାର ହେବ। ସୀମାପାର ପେମେଣ୍ଟ୍ କ୍ଷେତ୍ରରେ ଏହା ବିପ୍ଳବ ଆଣିବ। ବିଟକଏନ୍ ଭଳି କ୍ରିପ୍ଟୋକରେନ୍ସିର ବିକଳ୍ପ ଭାବେ ଏହା କାର୍ଯ୍ୟ କରିବ। କ୍ରିଫ୍ଟୋକରେନ୍ସିରେ ଅନେକ ବିପଦ ରହିଥିବା ବେଳେ ଇ-ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ। ରିଜର୍ଭ ବ୍ୟାଙ୍କ ଏହାର ମୂଲ୍ୟକୁ ନିଶ୍ଚିତ କରୁଥିବାରୁ ଏହାର ବ୍ୟବହାରକୁ ନେଇ କୌଣସି ସମସ୍ୟା ରହିବ ନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଏହାର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରିପ୍ଟୋକରେନ୍ସିକୁ ଦୃଢ଼ ବିରୋଧ କରୁଛନ୍ତି। ଏହାର କୌଣସି ମୂଲ୍ୟ ନାହିଁ। ଏଥିରେ ନିବେଶ ଆଦୌଁ ସୁରକ୍ଷିତ ନୁହେଁ। ଯେଉଁମାନେ କ୍ରିପ୍ଟୋରେ କାରବାର କରୁଛନ୍ତି ସେମାନେ ସାବଧାନ ରହିବା ଦରକାର ବୋଲି ରିଜର୍ଭ ବ୍ୟାଙ୍କ ବାରମ୍ବାର କହୁଛି। କ୍ରିପ୍ଟୋକରେନ୍ସି ବଦଳରେ ଲୋକମାନେ ଇ-ଟଙ୍କାକୁ ବ୍ୟବହାର କରିପାରିବେ। ରିଜର୍ଭ ବ୍ୟାଙ୍କ ଯେବେ ଆନୁଷ୍ଠାନିକ ଭାବେ ଏହାକୁ ପ୍ରଚଳନ କରିବ ତା’ପରେ ଲୋକମାନେ ତାହାକୁ ବ୍ୟବହାର କରିବା ସୁଯୋଗ ପାଇବେ।