ଭୁବନେଶ୍ବର : ଓଡ଼ିଶା ଯଦିଓ ଏକ ରାଜସ୍ବ ବଳକା ରାଜ୍ୟ ଭାବେ ଜଣାଶୁଣା, କିନ୍ତୁ ସରକାର ରାଜସ୍ବ ବଳକା ରାଶିକୁ ବଢ଼ାଇ ଚଢ଼ାଇ ପ୍ରଦର୍ଶନ କରୁଛନ୍ତି। ସେହି ସମୟରେ ବିତ୍ତୀୟ ନିଅଣ୍ଟ୍ର ମଧ୍ୟ ଭୁଲ ଚିତ୍ର ପ୍ରଦାନ କରୁଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି। ୨୦୧୯-୨୦ ଆର୍ଥିକ ବର୍ଷର ସମୀକ୍ଷାରୁ ଜଣାପଡ଼ିଛି ଯେ ସେହି ବର୍ଷ ରାଜ୍ୟ ସରକାର ରାଜସ୍ବ ବଳାକୁ ୨୦୦୨.୪୮ କୋଟି ଟଙ୍କା ବଢ଼ାଇ ପ୍ରଦର୍ଶନ କରିଥିଲେ। ସେହିପରି ବିତ୍ତୀୟ ନିଅଣ୍ଟକୁ ୨୭୩.୨୨ କୋଟି ଟଙ୍କା କମ୍ କରି ଦେଖାଇଥିଲେ। ଭୁଲ ବର୍ଗୀକରଣ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ୨୦୧୯-୨୦ରେ ୨୪୩୦.୪୫ କୋଟି ଟଙ୍କାର ରାଜସ୍ବ ବଳକା ଥିବା ପ୍ରଦର୍ଶନ କରାଯାଇଥିଲା। ମାତ୍ର ସେଥିରୁ ଭୁଲ ବର୍ଗୀକରଣ ପାଇଁ ୨୦୦୨.୪୮ କୋଟି ଟଙ୍କା କାଟି ଦେବା ପରେ ପ୍ରକୃତ ରାଜସ୍ବ ବଳକା ମାତ୍ର ୪୨୭.୯୭ କୋଟି ଟଙ୍କା ଥିଲା ବୋଲି ଜଣାପଡ଼ିଛି। ସେହିପରି, ଆଲୋଚ୍ୟ ବର୍ଷରେ ବିତ୍ତୀୟ ନିଅଣ୍ଟ ୧୮,୮୧୮.୯୮ କୋଟି ଟଙ୍କା ଦର୍ଶାଯାଇଥିଲା। ହିସାବକୁ ନିଆଯାଇନଥିବା ୨୭୨ କୋଟି ଟଙ୍କା ଯୋଡ଼ିବା ପରେ ପ୍ରକୃତ ବିତ୍ତୀୟ ନିଅଣ୍ଟ ପରିମାଣ ୧୯,୦୯୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ରାଜସ୍ବ ଓ ପୁଞ୍ଜି ବ୍ୟୟରେ ଭୁଲ ବର୍ଗୀକରଣ ପାଇଁ ରାଜସ୍ବ ବଳକାରେ ୧୭୨୯.୨୬ କୋଟି ଟଙ୍କା ଅଧିକ ଯୋଡ଼ି ହୋଇଥିଲା। ନିବେଶ ହୋଇନଥିବା ଏସ୍ଡିଆର୍ଏଫ୍ର ବଳକା ରାଶି ପାଇଁ ସୁଧ ପ୍ରଦାନ କରାନଯିବାରୁ ରାଜସ୍ବ ବଳକାରେ ଆଉ ୧୫୦.୧୧ କୋଟି ଟଙ୍କା ଯୋଡ଼ି ହୋଇଥିଲା। ଆଦାୟ ହୋଇଥିବା ୪.୬୦ କୋଟି ଟଙ୍କାର ଶ୍ରମ କଲ୍ୟାଣ ସେସ୍କୁ ବୋର୍ଡଙ୍କ ଖାତାକୁ ସ୍ଥାନାନ୍ତର କରାଯାଇନଥିଲା। ତାହାକୁ ରାଜସ୍ବ ବଳକାରେ ଯୋଡ଼ି ଦିଆଯାଇଥିଲା। ସେହିପରି, ରାଜ୍ୟ କ୍ଷତିଭରଣା ଜଙ୍ଗଲ ପାଣ୍ଠିକୁ ସୁଧ ପ୍ରଦାନ କରାନଯିବାରୁ ୨୬.୦୪ କୋଟି ଟଙ୍କା, ଭୂ-ରାଜସ୍ବ ରାଶିକୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ନକରିବା ଯୋଗୁଁ ୩୬.୬୦ କୋଟି ଟଙ୍କା ଓ ଚର୍ତୁଦଶ ଅର୍ଥ ଆୟୋଗଙ୍କ ଅନୁଦାନ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ନକରିବାରୁ ଆଉ ୨୪.୪୫ କୋଟି ଟଙ୍କା ରାଜସ୍ବ ବଳକାରେ ଯୋଡ଼ି ଦିଆଯାଇଥିଲା। ଏହିଭଳି ଭାବେ ବିଭିନ୍ନ ଭୁଲ ବର୍ଗୀକରଣ ପାଇଁ ଭୁଲରେ ରାଜସ୍ବ ବଳକାରେ ଅଧିକ ୨୦୧୦ କୋଟି ଟଙ୍କା ଯୋଡ଼ି ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Revenue-in-accounting-business-finance.jpg)