କେନ୍ଦ୍ର ବଜେଟ୍‌ ଆଜି : ରିହାତି ଉପରେ ଆଶା

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଆସନ୍ତାକାଲି ଆଗତ ହେବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ପୂର୍ବାହ୍ନରେ ସଂସଦରେ ଆଗତ କରିବାକୁ ଥିବା ବଜେଟ୍‌ରୁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାକିରିଆ, ମହିଳା, ଶିଳ୍ପ ଓ ଉଦ୍ୟୋଗ ଜଗତର ବ୍ୟକ୍ତିମାନେ ଅନେକ କିଛି ଆଶା ରଖିଛନ୍ତି। ୨୦୨୩ରେ ୯ଟି ରାଜ୍ୟରେ ନିର୍ବାଚନ ଥିବାବେଳେ ୨୦୨୪ରେ ଲୋକସଭା ନିର୍ବାଚନ ହେବ। ତେଣୁ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ଅର୍ଥମନ୍ତ୍ରୀ ସବୁବର୍ଗର ବ୍ୟକ୍ତିଙ୍କୁ ଖୁସି କରିବା ପାଇଁ ପ୍ରୟାସ କରିପାରନ୍ତି। ବିଶେଷକରି ଗରିବଙ୍କ ପାଇଁ ବିଭିନ୍ନ ସାମାଜିକ

ଜନମଙ୍ଗଳକାରୀ ଯୋଜନା ଘୋଷଣା ସହିତ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଟିକସ ରିହାତି ଦେବାର ସମ୍ଭାବନା ରହିଛି। ଉଦ୍ୟୋଗୀମାନଙ୍କୁ ବି ପ୍ରୋତ୍ସାହନ ମିଳିପାରେ। ଦେଶକୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ସେ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ସହିତ ଘରୋଇ ଜେଟ୍‌, ହେଲିକପ୍ଟର, ଦାମୀ ଇଲେକ୍ଟ୍ରୋନିକ ସାମଗ୍ରୀ ଏବଂ ଗହଣା ଆଦି ଉପରେ ଆମଦାନି ଶୁଳ୍କ ବଢ଼ାଇପାରନ୍ତି। ସାମାଜିକ କ୍ଷେତ୍ରକୁ ଦେଖିଲେ ଅର୍ଥମନ୍ତ୍ରୀ ଗ୍ରାମୀଣ ନିଯୁକ୍ତି, ଫସଲ ବୀମା, ଗ୍ରାମୀଣ ସଡ଼କ ଏବଂ ଗୃହ ନିର୍ମାଣ ଆଦିକୁ ପ୍ରାଧାନ୍ୟ ଦେଇପାରନ୍ତି।

ବିଶେଷଜ୍ଞଙ୍କ କହିବାନୁଯାୟୀ, ବେତନଭୋଗୀ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ଅର୍ଥମନ୍ତ୍ରୀ କିଛିଟା ଟିକସ ରିହାତି ଦେ‌ଇପାରନ୍ତି। ଦେଶରେ ମୋଟ ସଞ୍ଚୟ ୩୨ ପ୍ରତିଶତରୁ ୨୭ ପ୍ରତିଶତକୁ ହ୍ରାସ ପାଇଛି। ତେଣୁ ଲୋକଙ୍କ ହାତରେ ଅଧିକ ନଗଦ ଅର୍ଥ ଉପଲବ୍ଧ କରାଇବା ପାଇଁ ଅର୍ଥମନ୍ତ୍ରୀ ବଜେଟ୍‌ରେ ଟିକସଦାତାମାନଙ୍କୁ ଧାରା ୮୦ ସି ଅଧୀନରେ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ସୁବିଧା ପ୍ରଦାନ କରିପାରନ୍ତି। ଆୟକର ଲାଗୁ ସୀମା ଅଢ଼େଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦ ହଜାର ଟଙ୍କା ପରିବର୍ତ୍ତେ ୧ ଲକ୍ଷ ଟଙ୍କା କରିବା ଏବଂ ସର୍ବୋଚ୍ଚ ଟିକସ ହାରକୁ ୩୦ ପ୍ରତିଶତ ପରିବର୍ତ୍ତେ ୨୫ ପ୍ରତିଶତକୁ ହ୍ରାସ ନେଇ ଆଶା ରଖାଯାଇଛି। କେବଳ ସେତିକି ନୁହେଁ, ସର୍ବୋଚ୍ଚ ଟିକସ ହାର ଲାଗୁ ପାଇଁ ବାର୍ଷିକ ସର୍ବନିମ୍ନ ଆୟକୁ ୧୦ ଲକ୍ଷ ଟଙ୍କା ପରିବର୍ତ୍ତେ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ବିଶେଷଜ୍ଞମାନେ ମତ‌‌‌ ଦେଇସାରିଛନ୍ତି।

ଏହାବ୍ୟତୀତ ସରକାର ଭିତ୍ତିଭୂମି ବିକାଶ ଉପରେ ମଧ୍ୟ ଗୁରୁତ୍ବ ଦେବାର ସମ୍ଭାବନା ରହିଛି। ଆର୍ଥିକ ବିକାଶକୁ ମଜଭୁତ କରିବା ପାଇଁ ପୁଞ୍ଜି ବ୍ୟୟବରାଦକୁ ବଢ଼ାଯାଇପାରେ। ଏହାଭିନ୍ନ ଭୋଟ ବ୍ୟାଙ୍କ ପାଇଁ ଅର୍ଥମନ୍ତ୍ରୀ ବଜେଟ୍‌ରେ କିଛି ସ୍ବତନ୍ତ୍ର ଘୋଷଣା କରିପାରନ୍ତି। ଅନ୍ୟପକ୍ଷରେ ବିଶ୍ବର ସାଂପ୍ରତିକ ଅର୍ଥନୈତିକ ଦୃଶ୍ୟପଟକୁ ଦେଖିଲେ ଅର୍ଥମନ୍ତ୍ରୀଙ୍କ ସମ୍ମୁଖରେ ଅନେକ ଚାଲେଞ୍ଜ ରହିଛି। ତେଣୁ ଅର୍ଥନୀତି ଓ ରାଜନୀତି ମଧ୍ୟରେ ସନ୍ତୁଳନ ରଖି ନିର୍ମଳା କିଭଳି ବଜେଟ୍‌ ୨୦୨୩-୨୪ ବର୍ଷ ପାଇଁ ଆଗତ କରିବେ ତାହା ଆସନ୍ତାକାଲି ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର