୪୩ ବିଭାଗରେ ଖର୍ଚ୍ଚକାଟ୍, କେବଳ ୧୨ଟି ମନ୍ତ୍ରଣାଳୟର ବ୍ୟୟ ବଢ଼ିଛି
ନୂଆଦିଲ୍ଲୀ : ଅର୍ଥନୀତିରୁ କରୋନା ମହାମାରୀ ପ୍ରଭାବ ଦୂର କରିବା ଲାଗି ସରକାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ଏହାର ଲାଭ ପାଇବାକୁ ହେଲେ ସରକାରଙ୍କୁ ବ୍ୟୟ ବଢ଼ାଇବାକୁ ପଡ଼ିବ। ଏକଥା ଅର୍ଥମନ୍ତ୍ରୀ ନିଜେ ସ୍ବୀକାର କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଥିଲେ ଯେ ଯଦି ଆମେ ଏବେ ବ୍ୟୟ ନବଢ଼ାଇବାକୁ ତେବେ ପ୍ରୋତ୍ସାହନ ଅର୍ଥହୀନ ହୋଇପଡ଼ିବ। ଅର୍ଥନୀତିରେ ସୁଧାର ହେବାକୁ ଅଧିକ ସମୟ ଲାଗି। ମାତ୍ର ତଥ୍ୟ କିନ୍ତୁ ଅଲଗା ଚିତ୍ର ପ୍ରଦାନ କରୁଛି। ଯଦିଓ କେନ୍ଦ୍ର ସରକାର ବ୍ୟୟକୁ ଗୁରୁତ୍ବ ଦେଉଛନ୍ତି ବୋଲି ପ୍ରଚାର କରୁଛନ୍ତି କିନ୍ତୁ ମନ୍ତ୍ରଣାଳୟଗୁଡ଼ିକୁ ଖର୍ଚ୍ଚ କାଟ କରିବା ଲାଗି ଭିତିରିଆ ଭାବେ କୁହାଯାଇଛି। ଯେଉଁ ମନ୍ତ୍ରଣାଳୟଗୁଡ଼ିକ କରୋନା ପ୍ରଭାବ ପ୍ରତିହତ କରିବା ଲାଗି ସିଧାସଳଖ ଜଡ଼ିତ ରହିଛନ୍ତି ସେଗୁଡ଼ିକ ବାଦ ଦେଲେ ଅନ୍ୟ ମନ୍ତ୍ରଣାଳୟଗୁଡ଼ିକ ଖର୍ଚ୍ଚକାଟ ଆରମ୍ଭ କରିଦେଇଛନ୍ତି। ଦେଶର ୫୫ଟି ମନ୍ତ୍ରଣାଳୟ ମଧ୍ୟରୁ ୪୩ଟି ଖର୍ଚ୍ଚ କାଟ କରିଥିବା ଜଣାପଡ଼ିଛି। କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଆକାଉଣ୍ଟସ୍ ତଥ୍ୟ ଅନୁସାରେ ମାର୍ଚ୍ଚରୁ ଅକ୍ଟୋବର ମଧ୍ୟରେ ଗତବର୍ଷ ତୁଳନାରେ ୧୨ଟି ମନ୍ତ୍ରଣାଳୟର ବ୍ୟୟ ବଢ଼ିଛି। କୃଷି ଓ ପରିବାର କଲ୍ୟାଣର ୫୧%, ଆୟୁଷ ୫୫%, ରାସାୟନିକ ଓ ସାର ୮୫%, ବେସାମରିକ ବିମାନ ଚଳାଚଳ୬୪%, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ୧୦୩%, ଖାଦ୍ୟ ପ୍ରକ୍ରିୟାକରଣ ୪୩% ଓ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ବ୍ୟୟ ୧୧୧% ବଢ଼ିଛି। ଏହି ସମୟରେ ୪୩ଟି ମନ୍ତ୍ରଣାଳୟ ଖର୍ଚ୍ଚକାଟ କରିଛନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ବ୍ୟୟ ଗତବର୍ଷ ତୁଳନାରେ ୩୩% କମିଥିବା ବେଳେ ସଂସ୍କୃତି ୩୪%, ଉତ୍ତର ପୂର୍ବାଞ୍ଚଳ ବିକାଶ ୩୫%, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ୩୪%, ସାର, ପଶୁପାଳନ ଓ ଦୁଗ୍ଧ ୩୫%, ହାଉସିଂ ଓ ସହରାଞ୍ଚଳ ବିକାଶ ୩୯%, ଶିକ୍ଷା ୩୬%, ଜଳ ଶକ୍ତି ୩୮%, ଆଇନ ଓ ନ୍ୟାୟ ୩୭%, ବିଜ୍ଞାନ ଓ ପ୍ରଯୁକ୍ତି ୩୬%, ଏମ୍ଏସ୍ଏମ୍ଇ ୨୭%, ଶକ୍ତି ୩୨%, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ୩୩%, କୌଶଳ ବିକାଶ ଓ ଉଦ୍ୟମିତା ୩୭%, ଆଦିବାସୀ ବ୍ୟାପାର ୩୫% ଓ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ବ୍ୟୟ ୩୬% ହ୍ରାସ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଦେଶର ଜିଡିପି ଅଭିବୃଦ୍ଧି ୨୩.୯% ଭଳି ବଡ଼ ଧରଣର ହ୍ରାସ ପାଇବା ପରେ ଦ୍ବିତୀୟ ତ୍ରୟମାସରେ ସେଥିରେ ଉଲ୍ଲେଖନୀୟ ସୁଧାର ହୋଇଛି। ଏହି ତିନି ମାସରେ ଜିଡିପି ୭.୫% ହ୍ରାସ ପାଇଛି ଯାହା ବିଶେଷଜ୍ଞମାନଙ୍କ ଆକଳନ ଠାରୁ ବହୁତ ଭଲ। ପ୍ରଥମ ତ୍ରୟମାସରେ ସରକାରଙ୍କ ବ୍ୟୟ ୧୬.୪% ହ୍ରାସ ପାଇବା ପରେ ସେପ୍ଟେମ୍ବର ତ୍ରୟମାସରେ ତାହା ୨୨.୨ ପ୍ରତିଶତ ହ୍ରାସ ପାଇଥିଲା। ଏଭଳି ପଦକ୍ଷେପର କାରଣ ସମ୍ପର୍କରେ ସରକାରଙ୍କ ତରଫରୁ କୁହାଯାଇଥିଲା ଯେ ଯେହେତୁ ରାଜସ୍ବ ଆୟ ହ୍ରାସ ପାଉଥିଲା ତେଣୁ ଖର୍ଚ୍ଚର ସୁପରିଚାଳନା ସେହି ସମୟରେ ଅଧିକ ଜରୁରୀ ଥିଲା। ଲକ୍ଡାଉନ୍ର ପ୍ରଭାବକୁ ପ୍ରତିହତ କରିବା ଲାଗି ପ୍ରଥମ ତ୍ରୟମାସରେ ବ୍ୟୟ ବଢ଼ାଇବା ଜରୁରୀ ଥିଲା ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।