ମହଙ୍ଗା ଭତ୍ତା ପ୍ରସଙ୍ଗ: ସରକାରଙ୍କୁ ମନମୋହନ-ଚିଦମ୍ବରମ୍‌-ରାହୁଲଙ୍କ ତୀବ୍ର ସମାଲୋଚନା

ନୂଆଦିଲ୍ଲୀ: ଲକ୍ଷାଧିକ ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ମହତ୍ତା ଭତ୍ତାକୁ ଅଟକାଇ ଦେଇଥିବା କେନ୍ଦ୍ର ସରକାରଙ୍କୁ ‌କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଡ଼ା ସମାଲୋଚନା କରିଛନ୍ତି। ସେମାନେ ଜୁମ୍ ଆପ୍‌ରେ କନଫରେନ୍ସ କଲ୍ କରି ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିଛନ୍ତି। ବର୍ତ୍ତମାନ ସମୟରେ ସରକାରୀ କର୍ମଚାରୀ ଏବଂ ସଶସ୍ତ୍ର ବାହିନୀ ଉପରେ ଏଭଳି ବୋଝ ଲଦିବାର କୌଣସି ଆବଶ୍ୟକତା ନଥିଲା ବୋଲି ମନମୋହନ କହିଛନ୍ତି। ଯେଉଁମାନଙ୍କ ମହଙ୍ଗା ଭତ୍ତା ସ୍ଥଗିତ ରଖାଯାଇଛି ଆମକୁ ସେମାନଙ୍କ ସହିତ ଠିଆ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗତକାଲି ସରକାରଙ୍କ ପଦକ୍ଷେପକୁ ଅମାନୁଷିକ ଓ ସମ୍ବେଦନଶୀଳ ବୋଲି କହିଥିବା ରାହୁଲ ଏହି ଭିଡିଓ କଲ୍‌ରେ କହିଛନ୍ତି ଯେ, ଆପଣମାନେ ମଧ୍ୟବିତ୍ତ ବର୍ଗଙ୍କଠାରୁ ଟଙ୍କା ଆଦାୟ କରୁଛନ୍ତି, କିନ୍ତୁ ତାହାକୁ ଗରିବ ଲୋକଙ୍କୁ ଦେଉନାହାନ୍ତି। ଆପଣଙ୍କ ସେଣ୍ଟ୍ରାଲ୍‌ ଭିଷ୍ଟାରେ ତାହାକୁ ବ୍ୟୟ କରୁଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ଚିଦମ୍ବରମ କହିଛନ୍ତି ଯେ, ଆପଣମାନେ ବୁଲେଟ୍ ଟ୍ରେନ୍ ଓ ସେଣ୍ଟ୍ରାଲ୍ ଭିଷ୍ଟାର ବ୍ୟୟ ବନ୍ଦ କରିନାହଁ। ଲୋକଙ୍କ ମହଙ୍ଗା ଭତ୍ତା ଅଟକାଇବା ପୂର୍ବରୁ ପ୍ରଥମେ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଅଟକାଇବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି।

ଏମ୍‌ଏସ୍‌ଏମ୍‌ଇ ପାଇଁ ପ୍ୟାକେଜ୍ ଲୋଡ଼ିଲେ ସୋନିଆ
ନୂଆଦିଲ୍ଲୀ: କରୋନା ସଙ୍କଟ ଦ୍ବାରା ପ୍ରଭାବିତ ହୋଇଥିବା ଏମ୍‌ଏସ୍‌ଏମ୍ଇ କ୍ଷେତ୍ର ପାଇଁ ତୁରନ୍ତ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବାକୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଆହ୍ବାନ ଦେଇଛନ୍ତି। ଏହି କ୍ଷେତ୍ରକୁ ଅଣଦେଖା କଲେ ଅର୍ଥନୀତି ଉପରେ ତାହାର ଗୁରୁତର ଖରାପ ପ୍ରଭାବ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି। ଲକ୍‌ଡାଉନ୍‌ ଦ୍ବାରା ପ୍ରଭାବିତ ହୋଇଥିବା ଏମ୍ଏସ୍‌ଏମ୍‌ଇ ଶିଳ୍ପର ପୁନରୁଦ୍ଧାର ପାଇଁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି। ସେମାନଙ୍କ ପାଇଁ ଏମ୍ଏସ୍‌ଏମ୍‌ଇ ୱେଜ୍ ପ୍ରୋଟେକ୍ସନ ପ୍ୟାକେଜ୍ ଓ ୨୪ ଘଣ୍ଟିଆ ହେଲ୍‌ପଲାଇନ୍‌ର ବ୍ୟବସ୍ଥା କରିବାକୁ ମଧ୍ୟ ସୋନିଆ ଅନୁରୋଧ କରିଛନ୍ତି।

୨୦୦୮ ସଙ୍କଟ ସମୟର ଉଦାହରଣ ଦେଲେ ଚିଦମ୍ବରମ୍
ନୂଆଦିଲ୍ଲୀ: ମହଙ୍ଗା ଭତ୍ତା ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ ଫ୍ରାଙ୍କଲିନ୍ ଟେମ୍ପଲ୍‌ଟନ୍‌ ମାମଲାରେ ମଧ୍ୟ ସରକାରଙ୍କୁ ୨୦୦୮ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ସମୟର ଏକ ଘଟଣା ମନେ ପକାଇଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଘଟଣା ଏଡ଼ାଇ ଦିଆଯାଇପାରିଥାନ୍ତା। ୨୦୦୮ ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ଏଭଳି ସ୍ଥିତି ଉପୁଜିଥିଲା। ମୁଚ୍ୟୁଆଲ୍ ଫଣ୍ଡ୍‌ ଶିଳ୍ପରେ ନଗଦ ରାଶିର ଘୋର ସଙ୍କଟ ଦେଖାଦେଇଥିଲା। ସରକାରଙ୍କ ଏହା ଜାଣିବା ପରେ ତୁରନ୍ତ ଭାରତୀୟ ରିଜର୍ଭ ବ୍ୟାଙ୍କ, ସେବି, ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ ମ୍ୟୁଚୁଆଲ୍ ଫଣ୍ଡ୍‌ ଶିଳ୍ପର ସଂଘ ଆମ୍‌ଫିକୁ ନେଇ ଜରୁରୀକାଳୀନ ବୈଠକ କରିଥିଲେ। ସେହିଦିନ ସମସ୍ୟାର ସମାଧାନ ବାଟ ବାହାରିଗଲା। ଏହାର ପରଦିନ ରିଜର୍ଭ ବ୍ୟାଙ୍କ ଏବଂ ସେବିର ଅଧିକାରୀମାନେ ସକାଳ ୮ଟାରେ ଏକ ବୈଠକ କଲେ। ଏହାପରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୪ ଦିନିଆ ସ୍ବତନ୍ତ୍ର ରେପୋର ବ୍ୟବସ୍ଥା କରାଲା ଏବଂ ଏନ୍‌ଟିଡିଏଲ୍‌ରେ ଅତିରିକ୍ତ ୦.୫ ପ୍ରତିଶତର ଅନୁମତି ଦିଆଗଲା। ଏହିଭଳି ଭାବେ ମ୍ୟୁଚୁଆଲ୍ ଫଣ୍ଡ୍‌ ଶିଳ୍ପର ସମସ୍ୟାକୁ ସମାଧାନ କରାଯାଇଥିଲା ବୋଲି ଚିଦମ୍ବରମ୍ କହିଛନ୍ତି। ୨୦୦୮ରେ ଦେଶରେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଥିଲା।

ସମ୍ବନ୍ଧିତ ଖବର