କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩% ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀମାନଙ୍କ ଲା‌ଗି ମହଙ୍ଗା ଭତ୍ତାକୁ ୩% ବଢ଼ାଇ ୩୪% କରିଛନ୍ତି। ଏହି ନିଷ୍ପତ୍ତିକୁ ପିଛିଲା ଭାବେ ଚଳିତ ବର୍ଷ ଜାନୁଆରି ୧ରୁ ଲାଗୁ କରାଯିବ। ଏହା ଦ୍ବାରା ୪୭.୬୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୮.୬୨ ଲକ୍ଷ ପେନ୍‌ସନ୍‌ଭୋଗୀ ଉପକୃତ ହେବେ। ସେମାନଙ୍କୁ ତିନି ବର୍ଷର ବକେୟା ମିଳିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। କର୍ମଚାରୀମାନଙ୍କୁ ମହଙ୍ଗା ଭତ୍ତା ଓ ପେନ୍‌ସନ୍‌ଭୋଗୀମାନଙ୍କୁ ମହଙ୍ଗା ରିଲିଫ୍ ପ୍ରଦାନ କରାଯାଇଥାଏ। କରୋନା ମହାମାରୀ ପ୍ରଭାବ ଯୋଗୁଁ କେନ୍ଦ୍ର ସରକାର ୨୦୨୦ ଜାନୁଆରି ୧ରୁ ୨୦୨୧ ଜୁନ୍ ୩୦ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବୃଦ୍ଧିକୁ ଅଟକାଇ ଦେଇଥିଲେ। ୨୨୦୧ ଜୁଲାଇ ୧ରେ କିନ୍ତୁ ତାହାକୁ ପୁନର୍ବାର ଲାଗୁ କରାଯାଇଥିଲା। ମହଙ୍ଗା ଭତ୍ତାକୁ ୧୭%ରୁ ବଢ଼ାଇ ୨୮% କରାଯାଇଥିଲା। ଗତବର୍ଷ ଦୀପାବଳି ଉପହାର ଭାବେ ମହଙ୍ଗା ଭତ୍ତାରେ ୩% ବୃଦ୍ଧି କରାଯିବାରୁ ତାହା ୩୧% ହୋଇଯାଇଥିଲା। ଏବେ ସେଥିରେ ଆଉ ୩% ବୃଦ୍ଧି କରାଯାଇ ତାହାକୁ ୩୪% କରାଯାଇଛି।

ସମ୍ବନ୍ଧିତ ଖବର