ମହାମାରୀରେ ମହଙ୍ଗା ମାଡ଼: ୧୦୦ ଟଙ୍କା ତେଲରେ ୬୦ ଟଙ୍କା ଟିକସ

ପେଟ୍ରୋଲରେ ୩୨ ପ୍ରତିଶତ, ଡିଜେଲରେ ୨୮ ପ୍ରତିଶତ ଟିକସ ନେଉଛି ଓଡ଼ିଶା

ଭୁବନେଶ୍ବର: ଚଳିତବର୍ଷ ଆରମ୍ଭରୁ ଇତିମଧ୍ୟରେ ଦେଶରେ ପେଟ୍ରୋଲ, ଡିଜେଲ ଦର ଲିଟର ପିଛା ପାଖାପାଖି ୨୬ ଟଙ୍କା ବଢ଼ିଲାଣି। ବର୍ଷ ଆରମ୍ଭରେ ପେଟ୍ରୋଲ ଦର ଭୁବନେଶ୍ବରରେ ୮୪ ଟଙ୍କା ୩୪ ପଇସା ଥିଲା। କିନ୍ତୁ ବର୍ତ୍ତମାନ ଏହା ୧୧୦ ଟଙ୍କାରେ ପହଞ୍ଚିଲାଣି। ସେହିଭଳି ଡିଜେଲ ଦର ବର୍ଷ ଆରମ୍ଭରେ ୮୦ ଟଙ୍କା ୪୬ ପଇସା ଥିବାବେଳେ ଆଜି ଏହା ୧୦୬ ଟଙ୍କା ୬୦ ପଇସାରେ ପହଞ୍ଚିଛି। ତେଣୁ ଉଭୟ ଇନ୍ଧନ ଦର ଏତେମାତ୍ରାରେ ମହଙ୍ଗା ହେବାଦ୍ବାରା ଗ୍ରାହକଙ୍କ ଚିନ୍ତା ବଢ଼ିଯାଇଛି। ଅକ୍ଟୋବର ମାସରେ ସବୁଠୁ ଅଧିକ ଥର ଏବଂ ମାତ୍ରାରେ ପେଟ୍ରୋଲ, ଡିଜେଲ ଦର ବଢ଼ିଛି। ସେପ୍ଟେମ୍ବର ୩୦ ତାରିଖରେ ଭୁବନେଶ୍ବରରେ ପେଟ୍ରୋଲ ଦର ଲିଟର ପିଛା ୧୦୨ ଟଙ୍କା ୫୧ ପଇସା ଥିଲା। କିନ୍ତୁ ଅକ୍ଟୋବର ୩୦ରେ ଏହା ୧୦୯ ଟଙ୍କା ୯୬ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ସେପ୍ଟେମ୍ବର ଶେଷରେ ୯୮ ଟଙ୍କା ଥିଲାବେଳେ ଏବେ ଏହା ୧୦୬ ଟଙ୍କା ୬୦ ପଇସାରେ ପହଞ୍ଚିଲାଣି। ତେଣୁ ଅକ୍ଟୋବରର ପ୍ରଥମ ୩୦ ଦିନରେ ପେଟ୍ରୋଲ ଦର ୭ ଟଙ୍କା ୪୫ ପଇସା ଏବଂ ଡିଜେଲ ଦର ୮ ଟଙ୍କା ୬୦ ପଇସା ବଢ଼ିଛି।

ପେଟ୍ରୋଲରେ ୩୨ ପ୍ରତିଶତ, ଡିଜେଲରେ ୨୮ ପ୍ରତିଶତ ଟିକସ ନେଉଛି ଓଡ଼ିଶା
ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲକୁ ଏପର୍ଯ୍ୟନ୍ତ ଜିଏସଟି ପରିସରଭୁକ୍ତ କରାଯାଇ ନାହିଁ। ଏହା ଉପରେ ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ ହାରରେ ବିକ୍ରି କର ବା ମୂଲ୍ୟଯୁକ୍ତ ଟିକସ ଆଦାୟ କରୁଛନ୍ତି। ଫଳରେ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଭିନ୍ନ ଭିନ୍ନ ରହୁଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭା‌ରେ ଏକ ତାରକା ପ୍ରଶ୍ନର ଉତ୍ତରରେ କେଉଁ ରାଜ୍ୟ କେତେ ଟଙ୍କା ଟିକସ ବାବଦରେ ଆଦାୟ କରୁଛନ୍ତି ତାହାର ଏକ ତାଲିକା ପ୍ରଦାନ କରାଯାଇଥିଲା। ସେହି ଅନୁସାରେ ଗତ ଜୁଲାଇ ୨୨ ତାରିଖରେ ଓଡ଼ିଶା ପେଟ୍ରୋଲରେ ଲିଟର ପିଛା ୨୪ ଟଙ୍କା ୪ ପଇସା ଏବଂ ଡିଜେଲରେ ୨୦ ଟଙ୍କା ୯୩ ପଇସାର ଟିକସ ଆଦାୟ ହେଉଛି। ୨୦୨୦ ଜୁଲାଇ ପହିଲାରେ ଓଡ଼ିଶାରେ ଏହି ଟିକସ ରାଶି ଯଥାକ୍ରମେ ୧୮ ଟଙ୍କା ୮୪ ଏବଂ ୧୬ ଟଙ୍କା ୭୩ ପଇସା ରହିଥିଲା। ଅର୍ଥାତ୍ ଉପରୋକ୍ତ ସମୟ ମଧ୍ୟରେ ଓଡ଼ିଶାର ଟିକସ ରାଶି ପେଟ୍ରୋଲ ଏବଂ ଡିଜେଲରେ ଯଥାକ୍ରମେ ୫ ଟଙ୍କା ୨୦ ଏବଂ ୪ ଟଙ୍କା ୨୦ ପଇସା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶ ସର୍ବାଧିକ ୩୧ ଟଙ୍କା ୫୫ ପଇସା ପେଟ୍ରୋଲ ଉପରେ ଆଦାୟ କରୁଥିବାବେଳେ ଡିଜେଲ ଉପରେ ରାଜସ୍ଥାନ ସର୍ବାଧିକ ୨୧ ଟଙ୍କା ୮୨ ପଇସା ଆଦାୟ କରୁଛି। ତେବେ ଭାଟ୍ ହାରକୁ ଦେଖିଲେ ଓଡ଼ିଶା ପେଟ୍ରୋଲ ଉପରେ ୩୨ ପ୍ରତିଶତ ଏବଂ ଡିଜେଲ ଉପରେ ୨୮ ପ୍ରତିଶତ ଆଦାୟ କରୁଛି। ଗତବର୍ଷ ମେ ମାସରେ ସରକାର ଭାଟ୍ ସଂଶୋଧନ କରିଥିଲେ। ଏଥିଯୋଗୁ ୨୦୨୦ ମେ ମାସ ‌୧୬ ତାରିଖରେ ପେଟ୍ରୋଲ ଦର ଲିଟର ପିଛା ୩ ଟଙ୍କା ୧୪ ପଇସା ଏବଂ ଡିଜେଲ ଦର ୧ ଟଙ୍କା ୩ ପଇସା ବଢ଼ିଥିଲା।

୧୦୦ ଟଙ୍କା ତେଲରେ ୬୦ ଟଙ୍କା ଟିକସ

କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩୨ ଟଙ୍କା ୯୦ ପଇସା ଏବଂ ଡିଜେଲ ଉପରେ ୩୧ ଟଙ୍କା ୮୦ ପଇସା ଉତ୍ପାଦ ଶୁଳ୍କ ଓ ସେସ୍ ଆଦି ବାବଦରେ ଆଦାୟ କରୁଛନ୍ତି। ଏହାବ୍ୟତୀତ ଦିଲ୍ଲୀ ସରକାର ଆଦାୟ କରୁଥିବା ଭାଟ୍‌କୁ ହିସାବକୁ ନେଲେ ପେଟ୍ରୋଲ ଉପରେ କେନ୍ଦ୍ର ଓ ରାଜ୍ୟର ଟିକସ ଅଂଶ ମୋଟ ମୂଲ୍ୟର ପାଖାପାଖି ୬୦ ପ୍ରତିଶତ ରହିଛି। ସେହିଭଳି ଡିଜେଲ ଦର କ୍ଷେତ୍ରରେ ମଧ୍ୟ ଟିକସର ଭାବ ୫୪ ପ୍ରତିଶତ ବୋଲି ହିସାବ କରାଯାଇଛି। ଅର୍ଥାତ୍ ୧୦୦ ଟଙ୍କାର ପେଟ୍ରୋଲ କିଣିବା ଲାଗି ଗ୍ରାହକଙ୍କୁ ପାଖାପାଖି ୬୦ ଟଙ୍କାର ଟିକସ ଏବଂ ୧୦୦ ଟଙ୍କାର ଡିଜେଲ ପାଇଁ ୫୪ ଟଙ୍କାର ଟିକସ ଦେବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର