ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ ଯୁଦ୍ଧ ପ୍ରଭାବରେ ସିମେଣ୍ଟ୍ ଶିଳ୍ପରେ ବ୍ୟବହାର ହେଉଥିବା ଅନେକ ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ଯଥା ଆମଦାନି ହେଉଥିବା କୋଇଲା, ପେଟ୍ କୋକ୍ ଓ ଅଶୋଧିତ ତୈଳ ମହଙ୍ଗା ହୋଇଛି। ତେଣୁ ସିମେଣ୍ଟ୍ ବସ୍ତା ପିଛା ଉତ୍ପାଦନ ଖର୍ଚ୍ଚ ୭୦-୭୫ ଟଙ୍କା ବଢ଼ିଗଲାଣି। ସେହି ଖର୍ଚ୍ଚ ବାହାର କରିବା ଲାଗି ସିମେଣ୍ଟ୍ କଂପାନିଗୁଡ଼ିକ ଆଗାମୀ ଦିନରେ ବସ୍ତା ପିଛା ମୂଲ୍ୟରେ ୨୫ରୁ ୫୦ ଟଙ୍କାର ବୃଦ୍ଧି ଘୋଷଣା କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି। ଯଦି ତାହା ହେବ ତେବେ ଘର ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି।
୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ସିମେଣ୍ଟ୍ ଚାହିଦା ୨୦ ପ୍ରତିଶତ ବଢ଼ିବା ପରେ ପରବର୍ତ୍ତୀ ଛଅ ମାସରେ ଅଦିନିଆ ବର୍ଷା, ଶ୍ରମିକ ଓ ବାଲି ଅଭାବ ଭଳି ସମସ୍ୟା ଯୋଗୁଁ ସିମେଣ୍ଟ୍ ଚାହିଦାରେ ବୃଦ୍ଧି ହାର ୭%କୁ ଖସିଯାଇଥିଲା। ଚଳିତ ବର୍ଷ ସୁଲଭ ବାସଗୃହ ଓ ଭିତ୍ତିଭୂମି ନିର୍ମାଣରେ ହେଉଥିବା ବୃଦ୍ଧିକୁ ନଜରରେ ରଖି ସିମେଣ୍ଟ୍ ଚାହିଦା ବଢ଼ିବ ବୋଲି କଂପାନିଗୁଡ଼ିକ ଆଶା ରଖିଥିବା ବେଳେ କଞ୍ଚାମାଲ ଦରବୃଦ୍ଧି ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଗତ ୬ ମାସରେ କୋଇଲା ଓ ପେଟ୍ କୋକ୍ ଦାମ୍ ୩୦-୫୦ ପ୍ରତିଶତ ବଢ଼ିଛି। କଞ୍ଚାମାଲ ମହଙ୍ଗା ହୋଇଥିବାରୁ ଆଗାମୀ ଦିନରେ ସିମେଣ୍ଟ୍ ମୂଲ୍ୟରେ ୬-୧୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଗତ ୧୨ ମାସରେ ସିମେଣ୍ଟ୍ ମୂଲ୍ୟ ବୃଦ୍ଧି ପାଇ ବସ୍ତା ପିଛା ସର୍ବକାଳୀନ ରେକର୍ଡ ସ୍ତର ୩୯୦ ଟଙ୍କାରେ ପହଞ୍ଚିଛି। ସିମେଣ୍ଟ୍ ଶିଳ୍ପର ଗୁରୁତ୍ବପୂର୍ଣ୍ଣ କଞ୍ଚାମାଲ ହେଉଛି କ୍ଲିଙ୍କର୍ ଯାହାକୁ ପ୍ରସ୍ତୁତ କରିବାରେ କୋଇଲା ଓ ପେଟ୍ କୋକ୍କୁ ବ୍ୟବହାର କରାଯାଇଥାଏ।
ଏହା ବ୍ୟତୀତ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ୁଥିବାରୁ ସିମେଣ୍ଟ୍ ପ୍ୟାକଜିଂରେ ବ୍ୟବହାର ହେଉଥିବା ଉପକରଣ, ଉତ୍ପାଦନ, ପରିବହନ ଓ ବଣ୍ଟନ ଖର୍ଚ୍ଚ ବଢ଼ିଛି। ଗତ ମାର୍ଚ୍ଚରେ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରଠାରୁ ଅଶୋଧିତ ତୈଳ ଦାମ୍ ୨୧% ବୃଦ୍ଧି ପାଇ ବ୍ୟାରେଲ ପିଛା ୧୧୫ ଡଲାର ରହିଛି। ସାରା ବର୍ଷରେ ତେଲ ଦାମ୍ ୭୯% ଅଧିକ ରହିଛି। ସେହିପରି, ଆନ୍ତର୍ଜାତିକ ବଜାରରେ ପେଟ୍ କୋକ୍ ଦାମ୍ ୪୩ ପ୍ରତିଶତ ବଢ଼ିଥିବା ବେଳେ ଦେଶ ଭିତରେ ତାହାର ଦାମ୍ ୨୬ ପ୍ରତିଶତ ବଢ଼ିଛି। ସମୁଦ୍ର ପଥରେ ପରିବହନ ମହଙ୍ଗା ହେବା ଓ ଯୋଗାଣ ଶୃଙ୍ଖଳରେ ସମସ୍ୟା ଯୋଗୁଁ ବର୍ଷକ ଭିତରେ ପେଟ୍ରୋଲିୟମ୍ କୋକ୍ ଦାମ୍ ଦୁଇ ଗୁଣା ବୃଦ୍ଧି ପାଇ ଟନ୍ ପିଛା ୧୩୦ ଡଲାର ହୋଇଛି। ସିମେଣ୍ଟ୍ ଦରବୃଦ୍ଧି ସମ୍ପର୍କରେ କ୍ରିସିଲର ନିର୍ଦେଶକ ହେତଲ ଗାନ୍ଧୀ କହିଛନ୍ତି ଯେ ସୁଲଭ ବାସଗୃହ ଓ ଭିତ୍ତିଭୂମି ବିକାଶ ଯୋଗୁଁ ୨୦୨୨-୨୩ ଆର୍ଥିକ ବର୍ଷରେ ସିମେଣ୍ଟ୍ ଚାହିଦାରେ ୫-୭ ପ୍ରତିଶତ ବୃଦ୍ଧି ହେବ।