ଭୁବନେଶ୍ବର: ଚଳିତ ବର୍ଷ ଜୁଲାଇରେ ଦେଶର ତିନି ଘରୋଇ ଟେଲିକମ୍ କମ୍ପାନି ଭାରତୀ ଏୟାରଟେଲ୍, ରିଲାଏନ୍ସ ଜିଓ ଓ ଭୋଡାଫୋନ୍ ଆଇଡିଆ ରିଚାର୍ଜ ଦାମ୍ରେ ୨୫% ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ତାହା ଗ୍ରାହକମାନଙ୍କୁ ପ୍ରବଳ ବାଧିଛି। ତାହାର ପ୍ରତିକ୍ରିୟା ଅଗଷ୍ଟ ମାସରେ ସୃଷ୍ଟି ହୋଇଥିବା ନୂଆ ଗ୍ରାହକ ତଥ୍ୟରେ ଦେଖିବାକୁ ମିଳିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଜାରି କରିଥିବା ତଥ୍ୟ ଅନୁସାରେ ବିଏସ୍ଏନ୍ଏଲ୍ ହେଉଛି ଏକମାତ୍ର କମ୍ପାନି ଯାହା ନୂଆ ଗ୍ରାହକ ଯୋଡ଼ିଛି। ଘରୋଇ କମ୍ପାନିଗୁଡ଼ିକ ପୁରୁଣା ଗ୍ରାହକ ହରାଇଛନ୍ତି। ଜିଓ ୪୦.୧ ଲକ୍ଷ, ଏୟାରଟେଲ୍ ୨୪ ଲକ୍ଷ ଓ ଭୋଡାଫୋନ୍ ଆଇଡିଆ ୧୮ ଲକ୍ଷ ଗ୍ରାହକ ହରାଇଛନ୍ତି। କିନ୍ତୁ ବିଏସ୍ଏନ୍ଏଲ୍ ୨୫ ଲକ୍ଷ ୩୨ ହଜାର ୮୫୪ ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି।
ଘରୋଇ କମ୍ପାନି ହାତ ଛାଡ଼ିଲେ ଗ୍ରାହକ
ଓଡ଼ିଶାରୁ କଟିଲେ ୪ ଲକ୍ଷ ୩୦ ହଜାର
ଦେଶ ହରାଇଲା ୫୭ ଲକ୍ଷ ୭୧ ହଜାର
ଚଳିତ ବର୍ଷ ଅଗଷ୍ଟରେ ଦେଶରେ ୫୭ ଲକ୍ଷ ୭୧ ହଜାର ମୋବାଇଲ୍ ଗ୍ରାହକ କଟିଛନ୍ତି। ଫଳରେ ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧୧୬ କୋଟି ୮୩ ଲକ୍ଷକୁ ହ୍ରାସ ପାଇଛି। ସେହିପରି, ଓଡ଼ିଶାରେ ମଧ୍ୟ ୪ ଲକ୍ଷ ୩୦ ହଜାର ୩୮୮ ମୋବାଇଲ୍ ଗ୍ରାହକ କଟିଛନ୍ତି। ତେଣୁ, ରାଜ୍ୟର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୩ କୋଟି ୩୯ ଲକ୍ଷ ୪୭ ହଜାର ୧୬୩କୁ ହ୍ରାସ ପାଇଛି। କେବଳ ଦେଶରେ ନୁହେଁ ଓଡ଼ିଶାରେ ମଧ୍ୟ ବିଏସ୍ଏନ୍ଏଲ୍ ବହୁ ସଂଖ୍ୟାରେ ନୂଆ ଗ୍ରାହକ ଯୋଡ଼ିବାରେ ସଫଳ ହୋଇଛି। ଅଗଷ୍ଟ ମାସରେ ବିଏସ୍ଏନ୍ଏଲ୍ ଗ୍ରାହକ ସଂଖ୍ୟା ୬୦୩୨୯ ବୃଦ୍ଧି ପାଇ ୫୪ ଲକ୍ଷ ୫୨ ହଜାର ୮୧୧ରେ ପହଞ୍ଚିଛି। ଭୋଡାଫୋନ୍ ଆଇଡିଆ ମଧ୍ୟ ୭୧୩୭ ଗ୍ରାହକ ଯୋଡ଼ିଛି। କିନ୍ତୁ ଦୁଇ ବଡ଼ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ୍ ରାଜ୍ୟରେ ଯଥାକ୍ରମେ ୩,୪୨,୩୮୮ ଓ ୧,୫୫,୪୬୬ ଜଣ ପୁରୁଣା ଗ୍ରାହକଙ୍କୁ ହରାଇଛନ୍ତି। ଟ୍ରାଇ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ରାଜ୍ୟର ୧ କୋଟି ୫୬ ଲକ୍ଷ ୭ ହଜାର ୮୬୮ ଗ୍ରାହକ ଜିଓ ପାଖରେ ଥିବା ବେଳେ ୧ କୋଟି ୧୪ ଲକ୍ଷ,୮୨,୧୭୦ ଗ୍ରାହକ ଏୟାରଟେଲ୍ ପାଖରେ ରହିଛନ୍ତି। ଭୋଡାଫୋନ୍ ଆଇଡିଆର ରାଜ୍ୟରେ ୧୪ ଲକ୍ଷ ୪ ହଜାର ୩୧୪ ଜଣ ଗ୍ରାହକ ଅଛନ୍ତି। ଗୋଟିଏ ମାସରେ ଚାରି ଲକ୍ଷରୁ ଅଧିକ ପୁରୁଣା ଗ୍ରାହକ କଟିଯିବା କାରଣରୁ ରାଜ୍ୟର ଟେଲି ସାନ୍ଧ୍ରତା ୭୭.୫୭କୁ ହ୍ରାସ ପାଇଛି ଯାହା ଜାତୀୟ ହାର ୮୫.୪୩ଠାରୁ କମ୍।
ଏ ସମ୍ପର୍କରେ ସୂଚନା ପ୍ରଯୁକ୍ତି ବିଶେଷଜ୍ଞ ଲିଙ୍ଗରାଜ ସେଠୀ କହିଛନ୍ତି ଯେ ଦାମ୍ ଏକ ବଡ଼ କାରଣ ଯେଉଁଥିପାଇଁ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ହ୍ରାସ ଘଟିଛି। ଦେଶରେ ହଜାରେ ଦେଢ଼ ହଜାର ଟଙ୍କାରେ ମୋବାଇଲ୍ ମିଳିଯାଉଥିବା ବେଳେ, ଏବେ କିନ୍ତୁ ଘରୋଇ କମ୍ପାନି ସିମ୍ ନେଲେ ମାସକୁ ଅତିକମ୍ରେ ୩୦୦ ଟଙ୍କା ରିଚାର୍ଜ କରିବାକୁ ପଡ଼ୁଛି ଯାହା ଗରିବ ଶ୍ରେଣୀର ପରିବାର ପାଇଁ ସହଜ ନୁହେଁ। ଏହା ବ୍ୟତୀତ ଗ୍ରାହକ ସନ୍ତୁଷ୍ଟି, କଲ୍ ଡ୍ରପ୍, ଡାଟା ବ୍ୟବହାର ଏବଂ ଟାୱାରରେ ହେଉଥିବା ଅସ୍ଥିରତା ମଧ୍ୟ ମୋବାଇଲ୍ ଗ୍ରାହକ କମ୍ ହେବା ଲାଗି ଦାୟୀ ବୋଲି ସେ କହିଛନ୍ତି। ଶ୍ରୀ ସେଠୀ ଜଣାଇଛନ୍ତି ଯେ ଘରୋଇ ଟେଲିକମ୍ କମ୍ପାନିଗୁଡ଼ିକ ପୂର୍ବରୁ କେବଳ ଡାଉନ୍ଲୋଡ୍ରେ ଡାଟା କାଟୁଥିଲେ। ଏବେ କିନ୍ତୁ ବ୍ରାଉଜିଂ ସମୟରେ ଡାଟା କାଟୁଛନ୍ତି। ଫଳରେ ଗ୍ରାହକମାନେ ପୂର୍ବରୁ ଡାଟାକୁ ଯେତିକି ବ୍ୟବହାର କରିପାରୁଥିଲେ ଏବେ ତାହା କରିପାରୁନାହାନ୍ତି। ତାହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ନେଟ୍ୱର୍କରୁ ଗ୍ରାହକ ଦୂରେଇ ଯିବାର କାରଣ ହୋଇପାରେ ବୋଲି ସେ କହିଛନ୍ତି।