ନୂଆଦିଲ୍ଲୀ: ଟେଲିକମ୍ ଶିଳ୍ପର ଅନ୍ୟତମ ପ୍ରମୁଖ କଂପାନି ଭାରତୀ ଏୟାରଟେଲ୍ର ମୁଖ୍ୟ ସୁନୀଲ ମିତ୍ତଲ ଟେଲିକମ୍ ସେବାର ଦାମ ବିଷୟରେ ମୁହଁ ଖୋଲିଛନ୍ତି। ବଜାରରେ ଏବେ ଯେଉଁ ଦରରେ ଟେଲିକମ୍ ସେବା ଦିଆଯାଉଛି ସେଥିରେ କଂପାନିଗୁଡ଼ିକ ତିଷ୍ଠି ରହିବା ସମ୍ଭବପର ନୁହେଁ। ଦାମ୍ ବଢ଼ାଇବା ଜରୁରୀ ବୋଲି ସେ କହିଛନ୍ତି। ବଜାର ସ୍ଥିତିକୁ ନଜରରେ ରଖି ଦରବୃଦ୍ଧି ଉପରେ ନିଷ୍ପତ୍ତି ନିଆଯିବ ବୋଲି ଏକ ସାକ୍ଷାତକାରରେ ସେ କହିଛନ୍ତି। ସୁନୀଲ କହିଛନ୍ତି ଯେ ଦରବୃଦ୍ଧିକୁ ନେଇ ଏୟାରଟେଲ ନିଜର ପକ୍ଷ ରଖିଛି। ଟେଲିକମ୍ କ୍ଷେତ୍ରର ନିୟାମକ ସଂସ୍ଥା ଟ୍ରାଇ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପର୍ଯ୍ୟନ୍ତ କଂପାନି ଦରବୃଦ୍ଧି କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସବୁ କଂପାନିକୁ ଏକ ସମୟରେ ଦର ବୃଦ୍ଧି କରିବାକୁ ପଡ଼ିବ। ଗତ ଅଗଷ୍ଟରେ ମଧ୍ୟ ମିତ୍ତଲ ଟେଲିକମ୍ ସେବା ଦାମ୍ ବିଷୟରେ ଆଲୋଚନା କରିଥିଲେ। ମାସକୁ ୧୬୦ ଟଙ୍କାରେ ୧୬ ଜିବି ଡାଟା ଦେବା କଷ୍ଟକର।
କାବରାରରେ କଂପାନିଗୁଡ଼ିକୁ ତିଷ୍ଠି ରହିବାକୁ ହେଲେ ପ୍ରଥମେ ଏହି ଦାମ୍ ୨୦୦ ଟଙ୍କା ହେବା ଦରକାର। ଏହା ପରେ ଧୀରେ ଧୀରେ ତାହା ୩୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବା ଉଚିତ ବୋଲି ସେ କହିଛନ୍ତି। ଏୟାରଟେଲ୍ ମାସକୁ ପ୍ରତି ଗ୍ରାହକ ପିଛା ୧୬୨ ଟଙ୍କା ଆୟ କରୁଛି। କିଛି ମାସ ଭିତରେ ସେଥିରେ ସାମାନ୍ୟ ଉନ୍ନତି ଘଟିଛି। ୨୦୧୯ର ସେପ୍ଟେମ୍ବର ତ୍ରୟମାସ ସୁଦ୍ଧା କଂପାନିର ଗ୍ରାହକ ପିଛା ଆୟ ୧୫୭ ଟଙ୍କା ଥିଲା। ଗତ ମାସରେ ଦେଶର ଅନ୍ୟତମ ପ୍ରମୁଖ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ମଧ୍ୟ ଦରବୃଦ୍ଧି ବିଷୟରେ ମତ ରଖିଥିଲା। ବର୍ତ୍ତମାନ ବଜାର ଦର ଅନୁସାରେ କଂପାନି ଚାଲୁ ରଖିବା ସମ୍ଭବ ନୁହେଁ ବୋଲି କଂପାନିର ସିଇଓ ରବିନ୍ଦର ଟକର୍ କହିଥିଲେ। ସେ କହିଥିଲେ ଯେ ଡାଟା ଓ ଭଏସ୍ କଲ୍ ମୂଲ୍ୟ ବଢ଼ାଇବା ଦରକାର ପଡ଼ିଲେ କଂପାନି ପଛଘୁଞ୍ଚା ଦେବ ନାହିଁ। ପ୍ରଥମ କଂପାନି ଭାବେ ଏହି ପଦକ୍ଷେପ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଥିଲେ। ଚଳିତ ଦଶନ୍ଧୀର ମଧ୍ୟ ଭାଗରେ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ଟେଲିକମ୍ ଶିଳ୍ପରେ ପ୍ରବେଶ କରିବା ପରେ ସେବାର ଦାମ୍ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/telecommunication-770x433.jpg)