‘ମିଡିଆ, ମନୋରଞ୍ଜନ ଶିଳ୍ପରେ ଦକ୍ଷତା ବିକାଶ ଆବଶ୍ୟକ’

ଭୁବନେଶ୍ବର: ରାଜ୍ୟର ମିଡିଆ ଓ ମନୋରଞ୍ଜନ ଶିଳ୍ପରେ ଦକ୍ଷତା ବିକାଶର ଆବଶ୍ୟକତା ରହିଛି ବୋଲି ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା‌ ନୈୟର ପଟ୍ଟନାୟକ କହିଛନ୍ତି। ଓଡ଼ିଆରେ ପ୍ରସାରିତ ହେଉଥିବା ବିଜ୍ଞାପନରେ ଓଡ଼ିଆ ଭ‌ାଷାର ମାନ କାହିଁକି ଖରାପ ରହୁଛି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ଯଦି ଦକ୍ଷ ମାନବ ସମ୍ବଳ ସୃଷ୍ଟି କରାଯାଇପାରିବ ତେବେ ଭବିଷ୍ୟତରେ ଏଭଳି ସମସ୍ୟା ସୃଷ୍ଟି ହେବ ନାହିଁ। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ମିଡିଆ ଓ ମନୋରଞ୍ଜନ କ୍ଷେତ୍ର ଉପରେ ଆୟୋଜିତ ଅଧିବେଶନରେ ‘ଭିଜନ୍-୨୦୨୦: ଓଡ଼ିଶା ବ୍ରୋଡକାଷ୍ଟିଂ ପାଇଁ ରୋଡମ୍ୟାପ୍’ ଉପରେ ଏକ ପ୍ୟାନେଲ ଆଲୋଚନା ଆୟୋଜନ କରାଯାଇଥିଲା। ଶ୍ରୀମତୀ ପଟ୍ଟନାୟକ ଏହି ଅବସରରେ ଅତ୍ୟଧିକ କ୍ୟାରେଜ୍ ଚାର୍ଜେସ୍ ଓ ପରିଚାଳନା ଖର୍ଚ ଉପରେ ଆଲୋଚନା କରିଛନ୍ତି। ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ବ୍ରୋଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ କାଉନ୍ସିଲ (ବାର୍କ)ର ସିଇଓ ପାର୍ଥ ଦାସଗୁପ୍ତା, , ଟାଟା ସ୍କାଏର ଉପାଧ୍ୟକ୍ଷ ମନିଷ ଗୁପ୍ତା ଓ କଳିଙ୍ଗ ଟିଭିର ଏମ୍‌ଡି ହିମାଂଶୁ ଖଟୁଆ ଉପସ୍ଥିତ ଥିଲେ। ଏହି ଅଧିବେଶନରେ ଟିକସରେ ସ୍ବଚ୍ଛତା, ଗୁଣାତ୍ମକ ବିଷୟ ଉପରେ ପର୍ଯ୍ୟବେସିତ ସିନେମା, ନିୟାମକ ସଂସ୍ଥାର ଅଭାବ ଓ ସ୍ବତନ୍ତ୍ର ନୀତିର ଅଭାବ ଉପରେ ଆଲୋଚନା ହୋଇଥିଲା। ଶ୍ରୀ ଖଟୁଆ କହିଛନ୍ତି ଯେ, ରାଜ୍ୟରେ ହେଉଥିବା ଉତ୍କୃଷ୍ଟ ସିନେମାଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ଅଭିଲେଖାଗାର ହେବା ଦରକାର। ବୌଦ୍ଧିକ ସମ୍ପତ୍ତି ଅଧିକାର ଉପରେ ଗୁରୁତ୍ବ ଦେବାକୁ ହେବ। ପ୍ରସାରଣର ସେନ୍‌ସର୍‌ସିପ୍ ପାଇଁ ବ୍ୟବସ୍ଥା ହେବା ଦରକାର ବୋଲି ସେ କହିଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ପ୍ୟାନେଲ୍ ଆଲୋଚନାରେ ଗିଲ୍ଡର ସିଇଓ କୁଲମିତ କକ୍କର, ସିନେମା ନିର୍ମାତା ଅକ୍ଷୟ କୁମାର ପରିଜା, ରାଜୁ ମିଶ୍ର, ନୀଳମାଧବ ପଣ୍ଡା, ଅନିର୍ବାଣ ଧୀର, ଓଏଫ୍‌ଡିସିର ଅଧ୍ୟକ୍ଷ କୁନା ତ୍ରିପାଠୀ ଓ ମୋସନ ପିକ୍‌ଚର୍‌ ଆସୋସିଏସନ୍‌ର ନିର୍ଦେଶିକା ଲୋହିତା ସୁଜିତ ଉପସ୍ଥିତ ଥିଲେ। ସେମାନେ ଓଡ଼ିଆ ସିନେମା ଉପରେ ଜିଏସ୍‌ଟି ବୋଝ ଓ ଅନ୍ୟାନ୍ୟ ବିବିଧ ପ୍ରସଙ୍ଗ‌ରେ ଆଲୋଚନା କରିଥିଲେ। ସିନେମା ଜଗତରୁ ୫୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି ସେଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର