ମୁମ୍ବାଇ: ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍ଆଇଇ) ପକ୍ଷରୁ ଏପ୍ରିଲ୍ ମାସ ପାଇଁ ବେକାରି ହାରର ଯେଉଁ ତଥ୍ୟ ଜାରି କରାଯାଇଛି ତାହା ଉପରେ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି ଗ୍ରାମାଞ୍ଚଳ ବେକାରିର ଯେଉଁ ତଥ୍ୟ ଦିଆଯାଇଛି ତାହା ଠିକ୍ ନୁହେଁ ବୋଲି ସେମାନେ କହିଛନ୍ତି। ବିଶେଷଜ୍ଞଙ୍କ ମତରେ ଗ୍ରାମୀଣ ବେକାରିର ବାସ୍ତବ ଚିତ୍ର ହାସଲ କରିବା ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା। ସିଏମ୍ଆଇଇ ଯେଉଁ ପଦ୍ଧତି ଅନୁସରଣ କରୁଛି ସେଥିରେ ଏହି ତଥ୍ୟ ହାସଲ କରିବା ଆହୁରି କଷ୍ଟକର ବୋଲି ସେମାନେ କହିଛନ୍ତି।
ଏପ୍ରିଲ୍ ମାସରେ ଦେଶର ବେକାରି ହାର ୭.୮୩ ପ୍ରତିଶତକୁ ବୃଦ୍ଧି ପାଇଥିବା ସିଏମ୍ଆଇଇ ଜଣାଇଛି। ସହରାଞ୍ଚଳର ବେକାରି ୯.୨୨ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୭.୧୮ ପ୍ରତିଶତ ରହିଥିବା ରିପୋର୍ଟରେ ପ୍ରକାଶ କରାଯାଇଛି। ଅର୍ଥନୀତିଜ୍ଞ ଅଜିତାଭ ରାୟଚୌଧୁରୀ କହିଛନ୍ତି ଯେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ୪୪,୦୦୦ରୁ ଅଧିକ ପରିବାରକୁ ନେଇ ସିଏମ୍ଆଇଇ ମାସିକିଆ ସର୍ଭେ କରୁଛି। ସର୍ଭେ ଦିନ ଯେଉଁମାନେ କିଛି କାମ କରିଥିବେ ସେମାନଙ୍କୁ ନିଯୁକ୍ତି ଥିବା ବ୍ୟକ୍ତି ବୋଲି ବିଚାର କରାଯାଉଛି। କିନ୍ତୁ ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟ (ଆଇଏଲ୍ଓ) ଅନୁସାରେ କେବଳ ଯେଉଁମାନେ ସଠିକ୍ ଢଙ୍ଗର କାମ କରୁଛନ୍ତି ସେମାନଙ୍କୁ ନିଯୁକ୍ତିରେ ଅଛନ୍ତି ବୋଲି କୁହାଯିବ। ଢଙ୍ଗର କାମର ସ୍ବତନ୍ତ୍ର ସଂଜ୍ଞା ମଧ୍ୟ ନିର୍ଧାରଣ କରାଯାଇଛି। ସିଏମ୍ଆଇଇ କିନ୍ତୁ ଏହାକୁ ବିଚାରକୁ ନେଉନାହିଁ। ଯଦି ଆଇଏଲ୍ଓ ଅନୁସାରେ ସର୍ଭେ କରାଯିବ ତେବେ ବେକାରି ହାର ଆହୁରି ଅଧିକ ହେବ ବୋଲି ସେ କହିଛନ୍ତି। ସେହିପରି, ଅନ୍ୟତମ ଅର୍ଥନୀତିଜ୍ଞ ଅଭିରୁପ ସରକାର କହିଛନ୍ତି ଯେ ବେକାରି ତଥ୍ୟରେ ରହିଥିବା ଅସ୍ଥିରତାରୁ ଅର୍ଥନୀତିରେ ଅନିଶ୍ଚିତତା ଲାଗି ରହିଥିବା ଜଣାପଡ଼ୁଛି। ଏକ ପରିପକ୍ବ ଅର୍ଥନୀତି ପାଇଁ ଏହା ଏକ ସ୍ବାଭାବିକ କଥା। ଭାରତ ଏକ ଗରିବ ଦେଶ। ସହର ବାହାରେ ରହୁଥିବା ଲୋକମାନେ ଯେତେବେଳେ ଯେଉଁ କାମ ପାଆନ୍ତି ତାହା କରନ୍ତି। ଅନ୍ୟ ଜଣେ ଅର୍ଥନୀତିଜ୍ଞ କହିଛନ୍ତି ଯେ ସିଏମ୍ଆଇଇ ଯେଉଁ ନମୁନା ବ୍ୟବହାର କରୁଛି ତାହା ଏନ୍ଏସ୍ଏସ୍ଓର ନମୁନା ଠାରୁ ବହୁତ ଛୋଟ। ଏହାର ପ୍ରଶ୍ନାବଳୀ ମଧ୍ୟ ଏତେ ବ୍ୟାପକ ନୁହେଁ।