ନୂଆଦିଲ୍ଲୀ: ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତୃତୀୟ ଥର ବିଜୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି। ଗତକାଲି ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିକୁ ଯେଉଁଭଳି ବିପୁଳ ବିଜୟ ମିଳିଛି ତାହାକୁ ନେଇ ବିଶେଷଜ୍ଞମାନେ ଆଜିଠାରୁ ଲୋକସଭା ନିର୍ବାଚନ ଲାଗି ଆକଳନ ଆରମ୍ଭ କରିଛନ୍ତି। ବିଶେଷଜ୍ଞଙ୍କ ମତରେ ଭୋଟରଙ୍କ ମନ ଜିଣିବା ଲାଗି ବିଜେପିକୁ ଆଉ ଲୋଭନୀୟ ଆର୍ଥିକ ଯୋଜନା ଦରକାର ପଡ଼ିବନି। ଡିବିଏସ୍ର ବରିଷ୍ଠ ଅର୍ଥନିତିଜ୍ଞ ରାଧିକା ରାଓ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ପ୍ରତିଦ୍ବନ୍ଦ୍ବିତାମୂଳକ ମନଲୋଭା ଯୋଜନା ଘୋଷଣା କରିବାର ବିପଦ ହ୍ରାସ ପାଇଛି।
ଦେଶର ୮୧.୩୫ କୋଟି ଲୋକଙ୍କୁ ମାଗଣାରେ ଆଉ ପାଞ୍ଚବର୍ଷ ଖାଦ୍ୟଶସ୍ୟ ଦେବା ପ୍ରସ୍ତାବକୁ ଗତ ସପ୍ତାହରେ କ୍ୟାବିନେଟ୍ର ମଞ୍ଜୁରି ମିଳିଥିଲା। ଏଲ୍ପିଜି ଦାମ୍ ମଧ୍ୟ ଗତ ଅଗଷ୍ଟରେ ୨୦୦ ଟଙ୍କା ହ୍ରାସ ପାଇଥିଲା। ନୁମୋରାର ଅର୍ଥନୀତିଜ୍ଞ ସୋନାଲ ବର୍ମା ଓ ଅରୋଦୀପ ନନ୍ଦୀ କହିଛନ୍ତି ଯେ ଗତକାଲି ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନନ ଫଳ ପୂର୍ବରୁ ନିବେଶକମାନଙ୍କ ମନରେ ଭୟ ଥିଲା। ବିଜେପିର ବିଜୟକୁ ନେଇସେମାନଙ୍କ ମନରେ ସନ୍ଦେହ ଥିଲା। ଯଦି ବିଜେପି ପରାଜିତ ହୋଇଥାନ୍ତା ତେବେ ଭୋଟରଙ୍କୁ ମନାଇବା ଲାଗି ସରକାର କଲ୍ୟାଣମୂଳକ ଯୋଜନାରେ ଆହୁରି ଖର୍ଚ୍ଚ କରିବା ଉପରେ ମନୋନିବୋ କରିଥାନ୍ତେ। ତାହା ସରକାରଙ୍କ ବଜେଟ୍ ଗଣିତକୁ ବିଗାଡ଼ିଥାନ୍ତା ବୋଲି ସେ କହିଛନ୍ତି।
ବାର୍କ୍ଲେଜ୍ର ଏମ୍ଡି ରାହୁଲ ବଜୋରିଆ କହିଛନ୍ତି ଯେ ଖାଦ୍ୟ, ସାର ଓ ଏଲ୍ପିଜି ସବ୍ସିଡିରେ ଅଧିକ ବ୍ୟୟ ହେବା ସତ୍ତ୍ବେ ଟିକସ ସଂଗ୍ରହ ଉତ୍ସାହଜନକ ରହିଥିବାରୁ ବିତ୍ତଅ ନିଅଣ୍ଟ ଲକ୍ଷ୍ୟକୁ ସରକାର ସହଜରେ ହାସଲ କରିପାରିବେ। ଏସ୍ଆଣ୍ଡ୍ପି ଗ୍ଲୋବାଲ ରେଟିଙ୍ଗସ୍ର ନିର୍ଦ୍ଦେଶକ ଆଣ୍ଡ୍ୟୁ ଉଡ୍ କହିଛନ୍ତି ଯେ ନିର୍ବାଚନ ଆସୁଥିବାରୁ ଅଧିକ ବ୍ୟୟ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।