ବିଶେଷଜ୍ଞଙ୍କ ଆକଳନ: ଡଲାର ମୂଲ୍ୟ ୮୨ ଟଙ୍କା ହୋଇଯିବ

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଆଗାମୀ ଦିନରେ ମଧ୍ୟ ଜାରି ରହିବ। ଏହା ଆହୁରି ଦୁର୍ବଳ ହେବ। ଏକ ଡଲାର ମୂଲ୍ୟ ୮୨ ଟଙ୍କା ହୋଇଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ୍ ରିଜର୍ଭ ମୁଦ୍ରାସ୍ଫୀତି ମୁକାବିଲା ଲାଗି ପୁଣି ସୁଧରେ ବୃଦ୍ଧି କରିବାକୁ ଯାଉଛି। ତାହା ହେଲେ ଡଲାର ଅନ୍ୟ ସବୁ ଦେଶର ମୁଦ୍ରା ତୁଳନାରେ ଆହୁରି ଶକ୍ତିଶାଳୀ ହେବ। ତାହାର ପ୍ରଭାବରେ ଟଙ୍କା ମୂଲ୍ୟ ୮୨ ଟଙ୍କା ସ୍ତରକୁ ଖସିଯିବ।

ମାର୍ଚ୍ଚରେ ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ସ୍ତରରେ ରହିଛି। ଅଧିକାଂଶ ସମୟ ଏହା ୮୦ ଟଙ୍କା ସ୍ତର ପାଖାପାଖି ରହିଛି। ଭାରତରେ ମଧ୍ୟ ଦରଦାମ୍ ସ୍ଥିତି ଉଚ୍ଚ ସ୍ତରରେ ରହିଛି। ତାହାର ମୁକାବିଲା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ବଢ଼ାଉଛନ୍ତି। ଅନ୍ୟ ପକ୍ଷରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଓ ବିଦେଶୀ ନିବେଶକମାନେ ଭାରତୀୟ ଷ୍ଟକ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ମୂଲ୍ୟ ଉପରେ ଚାପ ପଡ଼ୁଛି। ଏହାର ଦୁର୍ବଳ ସ୍ଥିତିରେ ସୁଧାର ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ନିୟମିତ ବ୍ୟବଧାନରେ ମୁଦ୍ରା କାରବାରରେ ହସ୍ତକ୍ଷେପ କରୁଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସ୍ପଷ୍ଟ କରିଛନ୍ତି ଯେ ଟଙ୍କା ମୂଲ୍ୟରେ ଘୋର ଅସ୍ଥିରତା ରୋକିବା ଲାଗି ଉଦ୍ୟମ ଜାରି ରହିବ। ଗତ ସପ୍ତାହରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଏହାର ସର୍ବନିମ୍ନ ସ୍ତର ୮୦ ଟଙ୍କା ୬ ପଇସାକୁ ଖସିଯାଇଥିଲା। ବିଶେଷଜ୍ଞମାନଙ୍କ ମତରେ ଟଙ୍କା ମୂଲ୍ୟରେ ଏଭଳି ଅସ୍ଥିରତା ଓ ସୁଧାରର ମିଶ୍ରିତ ଧାରା ଲାଗି ରହିବ। ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ କିନ୍ତୁ ଡଲାର ଦାମ୍ ୭୮ ଟଙ୍କା ସ୍ତରରେ ରହିବ।

ସବୁ କିଛି ବିଦେଶରେ ଘଟୁଥିବା ପ୍ରମୁଖ ଘଟଣାର ପ୍ରଭାବ ଓ ଅଶୋଧିତ ତୈଳ ମୂଲ୍ୟ ଉପରେ ନିର୍ଭର କରୁଛି। ଚଳିତ ବର୍ଷତମାମ କିନ୍ତୁ ଡଲାର ଦାମ୍ ହାରାହାରି ଭାବେ ୭୯ ଡଲାର ରହିବ। ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦାତି ନାୟାର କହିଛନ୍ତି ଯେ ବର୍ଷର ବଳକା ମାସଗୁଡ଼ିକରେ ବିଦେଶୀ ନିବେଶକମାନେ କିଭଳି ପାଣ୍ଠି ପ୍ରତ୍ୟାହାର କରୁଛନ୍ତି ତାହା ଉପରେ ଟଙ୍କା ମୂଲ୍ୟ ନିର୍ଭର କରିବ। ଜାପାନର ଆର୍ଥିକ ସଂସ୍ଥା ନୁମୋରା ମତରେ ଜୁଲାଇ-ସେପ୍ଟେମ୍ବରରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୮୨ ଟଙ୍କା ସ୍ତରରେ ରହିବ। ରେଟିଂ ଏଜେନ୍ସି କ୍ରିସିଲ୍ ମତରେ ନିକଟ ଭବିଷ୍ୟତରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ରହିବ।

ସମ୍ବନ୍ଧିତ ଖବର