ନୂଆଦିଲ୍ଲୀ: ଜିଏସ୍ଟି ହ୍ରାସ ଫଳରେ ସରକାରଙ୍କୁ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ପୂର୍ବରୁ ଆକଳନ କରିଛି। କିନ୍ତୁ ଅନେକ ଅର୍ଥନୀତିଜ୍ଞ ଓ ଗବେଷଣା ଫାର୍ମ ଏଥିରେ ସହମତ ନାହାନ୍ତି। ସେମାନଙ୍କ ମତରେ ଏ ବାବଦ କ୍ଷତି ପରିମାଣ ୧.୫ ଲକ୍ଷରୁ ୨ ଲକ୍ଷ ଟଙ୍କା ମଧ୍ୟରେ ହୋଇପାରେ। ସରକାରଙ୍କ ଆକଳନ ଅନୁଯାୟୀ, ମୋଟ ରାଜସ୍ବ ହାନି ୯୩ ହଜାର କୋଟି ଟଙ୍କା ରହିବ। କିନ୍ତୁ ୨୮ ପ୍ରତିଶତ ସ୍ଲାବରେ ଥିବା କେତେକ ସାମଗ୍ରୀକୁ ୪୦ ପ୍ରତିଶତ ବର୍ଗରେ ରଖାଯାଇଥିବାରୁ ଏବାବଦରେ ସରକାର ଅଧିକ ୪୫ ହଜାର କୋଟି ଟଙ୍କା ପାଇବେ। ତେଣୁ ଜିଏସ୍ଟି କ୍ଷତି ୪୮ ହଜାର କୋଟି ଟଙ୍କା ରହିବ। ୨୦୨୩-୨୪ ଆର୍ଥିକବର୍ଷର ଖର୍ଚ୍ଚକୁ ଦେଖି ଅର୍ଥ ମନ୍ତ୍ରାଳୟ ଏହି ଆକଳନ କରିଛି। ଅର୍ଥ ମନ୍ତ୍ରାଳୟର ଏହା ଅତ୍ୟଧିକ ଆଶାବାଦୀ ଆକଳନ ବୋଲି କୁହାଯାଉଛି। କିନ୍ତୁ ପୂର୍ବତନ ଅର୍ଥ ସଚିବ ସୁଭାଷ ଚନ୍ଦ୍ର ଗର୍ଗ କହିଛନ୍ତି ଯେ ୨୦୨୩-୨୪ ଖର୍ଚ୍ଚ ଆଧାରରେ ଯେଉଁ ୯୩ ହଜାର କୋଟି ଟଙ୍କାର କ୍ଷତି ଆକଳନ କରାଯାଇଛି ୨୦୨୫-୨୬ ମୂଲ୍ୟରେ ତାହା ପ୍ରାୟ ୧.୧ ଲକ୍ଷ କୋଟି ଟଙ୍କା ହେବ। ଏହା ବାଦ୍ କେନ୍ଦ୍ର ସରକାର ଜିଏସ୍ଟି କ୍ଷତିପୂରଣ ସେସ୍ ମଧ୍ୟ ହରାଇବେ। ସେସ୍ ବର୍ଷକୁ ସରକାର ପ୍ରାୟ ୧.୪ ଲକ୍ଷ କୋଟି ଟଙ୍କା ପାଇଥାନ୍ତି। ୪୦ ପ୍ରତିଶତ ଜିଏସ୍ଟି ସ୍ଲାବରୁ ପ୍ରାୟ ୫୦ ହଜାର କୋଟି ଟଙ୍କା ଆଦାୟ ହେବ ବୋଲି ଆକଳନ ହୋଇଥିଲେ ମଧ୍ୟ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ରାଜସ୍ବ ହାନି ହେବ ବୋଲି ସେ ମତ ଦେଇଛନ୍ତି।
ଅଧିକାଂଶ ଅର୍ଥନୀତିଜ୍ଞ ସରକାରଙ୍କ ୪୮ ହଜାର ଟଙ୍କାର କ୍ଷତି ଆକଳନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସରକାର କିଭଳି ଏହି ସଂଖ୍ୟାରେ ପହଞ୍ଚିଲେ ତାହା ସ୍ପଷ୍ଟ ନଥିବାରୁ ଉକ୍ତ ସଂଖ୍ୟାକୁ ନେଇ ସେମାନେ ସଂପୂର୍ଣ୍ଣ ସହମତ ନାହାନ୍ତି। ଏମ୍କେ ଗ୍ଲୋବାଲ, ଏଚ୍ଏସ୍ବିସି ଏବଂ ବର୍ନଷ୍ଟିନ୍ ଭଳି ସଂସ୍ଥାର ରିପୋର୍ଟ ଅନୁଯାୟୀ, ନୂଆ ଜିଏସ୍ଟି ଢାଞ୍ଚା ପୂରାପୂରି କାର୍ଯ୍ୟକାରୀ ହେଲେ ରାଜସ୍ବ କ୍ଷତି ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କା ରହିବ। ବର୍ନଷ୍ଟିନ ରିସର୍ଚ୍ଚ କହିଛି ଯେ ୧୨ ପ୍ରତିଶତ ସ୍ଲାବ୍ର ସାମଗ୍ରୀକୁ ୫ ପ୍ରତିଶତରେ ମିଶାଇ ଦେବା ଦ୍ବାରା ଏବାବଦରେ ୭୯,୬୦୦ କୋଟି ଟଙ୍କାର ରାଜସ୍ବ ହାନି ହେବ। ସେହିଭଳି ୨୮ ପ୍ରତିଶତକୁ ଉଚ୍ଛେଦ କରାଯିବା ଫଳରେ ଆଉ ୧.୧୨ ଲକ୍ଷ କୋଟି ଟଙ୍କା କ୍ଷତି ହେବ। ୧୨ ପ୍ରତିଶତରେ ଥିବା ସାମଗ୍ରୀକୁ ୧୮ ପ୍ରତିଶତକୁ ନେବା ଦ୍ବାରା ସରକାରଙ୍କୁ ୭୦୦ କୋଟି ଟଙ୍କାର ଲାଭ ହେବ। ସେହିଭଳି ୨୮ ପ୍ରତିଶତରେ ଥିବା ସାମଗ୍ରୀ ଉପରେ ୪୦ ପ୍ରତିଶତ ଆଦାୟ କରିବା ଦ୍ବାରା ୧୫ ହଜାର କୋଟି ଟଙ୍କା ଅଧିକ ରାଜସ୍ବ ମିଳିବ। ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ନିଟ୍ ୧.୫୭ ଲକ୍ଷ କୋଟି ଟଙ୍କାର ରାଜସ୍ବ ହାନି ସହିବାକୁ ପଡ଼ିବ। ୬ ମାସରେ ନିଟ୍ ରାଜସ୍ବ ହାନି ୫୭ ହଜାର କୋଟି ଟଙ୍କା ହେବ ବୋଲି ଏଚ୍ଏସ୍ବିସି ଆକଳନ କରିଛି।
ଆଇଡିଏଫ୍ସି ଫାଷ୍ଟ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଗୌର ସେନଗୁପ୍ତା ରାଜସ୍ବ ଉପରେ ଜିଏସ୍ଟି ହ୍ରାସର ପ୍ରଭାବ ପ୍ରାୟ ୯୫ ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରିଛନ୍ତି। ଚଳିତମାସରେ ଜିଏସ୍ଟି ପରିଷଦର ୫୬ତମ ବୈଠକରେ ଅନେକ ସାମଗ୍ରୀର ଟିକସ ହ୍ରାସ କରାଯାଇଛି। ଏଥିସହିତ ଚାରି ଟିକିଆ ଜିଏସ୍ଟି ସ୍ଲାବରୁ ୧୨ ଏବଂ ୨୮ ପ୍ରତିଶତକୁ ହଟାଇ ଦିଆଯିବା ସହିତ କ୍ଷତିପୂରଣ ସେସ୍ ଆଦାୟକୁ ମଧ୍ୟ ଉଠାଇ ଦିଆଯାଇଛି। ବିଳାସପୂର୍ଣ୍ଣ ଏବଂ ହାନିକାରକ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସ୍ଟି ଆଦାୟ ହେବାକୁ ଥିବାବେଳେ ଅନ୍ୟ ସାମଗ୍ରୀ ଉପରୁ ୫ ଓ ୧୮ ପ୍ରତିଶତ ଜିଏସ୍ଟି ଆଦାୟ କରାଯିବ। ୨୦୧୭ ଜୁଲାଇ ପହିଲାରେ ଭାରତରେ ଜିଏସ୍ଟି ଲାଗୁ ହୋଇଥିଲା। ତାହାର ପ୍ରାୟ ୮ ବର୍ଷ ପରେ ଏଥିରେ ବଡ଼ଧରଣର ସଂସ୍କାର ଅଣାଯାଇଛି। ଚଳିତମାସ ୨୨ ତାରିଖରୁ ନୂଆ ଜିଏସ୍ଟି କାର୍ଯ୍ୟକାରୀ ହେବ।