ବିଶେଷଜ୍ଞଙ୍କ ଚେତାବନୀ: ମାନବ ଜାତି ବିଲୁପ୍ତ ହୋଇଯିବ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଭାବରେ ମାନବ ଜାତି ବିଲୁପ୍ତ ହୋଇଯିବ ବୋଲି ଡଜନେରୁ ଅଧିକ ବିଶେଜ୍ଞ ଚେତାବନୀ ଦେଇଛନ୍ତି। ବିଶ୍ବର ସବୁଠୁ ଚର୍ଚ୍ଚିତ ଏଆଇ ଟୁଲ୍ ଚାଟ୍‌ଜିପିଟି ବିକାଶ କରିଥିବା ସଂସ୍ଥା ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍‌ଟମ୍ୟାନ୍‌ଙ୍କଠାରୁ ଆରମ୍ଭ କରି ଗୁଗୁଲ୍‌ ଡିମ୍‌ମାଇଣ୍ଡ୍‌ର ମୁଖ୍ୟ ଡେମିସ୍‌ ହାସାବିସ୍‌ଙ୍କ ସମେତ ବହୁ ବିଶେଷଜ୍ଞ ଏଭଳି ଚିନ୍ତା ପ୍ରକଟ କରିଛନ୍ତି। ସେଣ୍ଟର ଫର ଏଆଇ ସେଫ୍ଟି ନାମକ ଏକ ପୋର୍ଟାଲ୍‌ରେ ଏଆଇର ଖରାପ ଦିଗଗୁଡ଼ିକ ବିଷୟରେ ଯେଉଁ ଲେଖା ପ୍ରକାଶ ପାଇଛି ତାହାକୁ ସେମାନେ ସମର୍ଥନ ଜଣାଇଛି। ଏଆଇ ପ୍ରଭାବରେ ରାସାୟନିକ ଅସ୍ତ୍ର ବିକାଶ ହେବ, ଭୁଲ ତଥ୍ୟ ପ୍ରଚାର ହେବ, କିଛି ହାତଗଣତି ଲୋକଙ୍କ ପାଖରେ କ୍ଷମତା ରହିବ ଓ ଏଆଇ ଉପରେ ମଣିଷ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯିବ ଆଶଙ୍କା ପ୍ରକଟ କରାଯାଇଛି। ଏଆଇ ଟୁଲ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବା ଲାଗି ୟୁରୋପରେ ଉଦ୍ୟମ ଜାରି ରହିଥିବା ବେଳେ ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟ ସେଥିପାଇଁ ପ୍ରସ୍ତୁତ ହେଉଛନ୍ତି। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଏଆଇକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଥିବା କହିଛନ୍ତି। ସରକାରଙ୍କ ଅଧିନରେ ଏଆଇ ନିୟନ୍ତ୍ରଣରେ ରହିବା ଦରକାର ବୋଲି ସେ କହିଛନ୍ତି। ଭାରତରେ ମଧ୍ୟ ଏଆଇକୁ ନିୟନ୍ତ୍ରଣ କରିବା ଲାଗି ଦରକାର ପଡ଼ିଲେ ଆଇନ ଅଣାଯିବ ବୋଲି ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି। ଶକ୍ତିଶାଳୀ ଜି-୭ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏଆଇକୁ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି।

ଅନ୍ୟ ପକ୍ଷରେ ବ୍ରିଟେନ୍‌ର ଫୁଟବଲ୍‌ ତାରକା ହାରି କେନ୍ କହିଛନ୍ତି ଯେ ଏଆଇ ପ୍ରଭାବରେ ଆଘାତ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ। ଓଲାର ମୁଖ୍ୟ ଭବିଷ ଅଗ୍ରୱାଲ୍‌ ଏଆଇକୁ ନେଇ ଏକ ନୂଆ ସଂସ୍ଥା ଗଠନ କରିଛନ୍ତି। ତେବେ ଭାରତରେ ଏଆଇର ପ୍ରଭାବକୁ ନେଇ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୭୪ ପ୍ରତିଶତ କର୍ମଚାରୀ ଏଆଇକୁ ନେଇ ଚିନ୍ତିତ ଅଛନ୍ତି। କିନ୍ତୁ ୮୩ ପ୍ରତିଶତ ଲୋକ ଏହା ମଧ୍ୟ କହିଛନ୍ତି ଯେ ନିଜ ଉପରେ ଥିବା କାର୍ଯ୍ୟଭାରକୁ କମ୍ କରିବା ଲାଗି ସେମାନେ ଯେତେ ସମ୍ଭବ ଅଧିକ କାମ ଏଆଇ ମାଧ୍ୟମରେ କରାଇବାକୁ ଚାହୁଛନ୍ତି। ପ୍ରଶାସନିକ, ଆନାଲିଟିକାଲ୍ ଓ କ୍ରିଏଟିଭ୍ କାମରେ ମଧ୍ୟ କର୍ମଚାରୀମାନେ ଏଆଇ ଟୁଲ୍‌ ବ୍ୟବହାର କରିବାକୁ ଚାହୁଛନ୍ତି। ସାରା ବିଶ୍ବରେ ୩୧ଟି ଦେଶରେ ଏହି ସର୍ବେକ୍ଷଣ କରାଯାଇଥିବା ବେଳେ ଭାରତରେ ୧୦୦୦ ଲୋକଙ୍କୁ ଏଥିରେ ସାମିଲ କରାଯାଇଥିଲା।

ସମ୍ବନ୍ଧିତ ଖବର