ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଉପରୁ କେନ୍ଦ୍ର ସରକାର ଟିକସ ହ୍ରାସ କରିବା ପରେ କଂଗ୍ରେସ ପକ୍ଷରୁ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ଆବଶ୍ୟକତାଠାରୁ କମ୍ ଟିକସ ହ୍ରାସ କରାଯାଇଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। ତେଲକୁ ନେଇ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଉଭୟ ପକ୍ଷ ଏଥର ତଥ୍ୟକୁ ଅସ୍ତ୍ର କରିଛନ୍ତି। ନିଜକୁ ସୁହାଇବା ଭଳି ତଥ୍ୟ ଉପସ୍ଥାପନ କରି ସେମାନେ ନିଜ ପକ୍ଷ କେତେ ଦୃଢ଼ ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି। ସରକାରଙ୍କ ପକ୍ଷ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟକୁ ଉଦ୍ଧାର କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜଣାଇଛନ୍ତି ଯେ ୨୦୦୪-୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ଅମଳରେ ବିକାଶ ମୂଳକ କାର୍ଯ୍ୟରେ ୪୯.୨ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ୨୦୧୪-୨୦୨୨ ମଧ୍ୟରେ ମୋଦୀ ସରକାରଙ୍କ ଅମଳରେ ବିକାଶ କାର୍ଯ୍ୟ ପାଇଁ ପାଖାପାଖି ଦୁଇ ଗୁଣା ୯୦.୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କେବଳ ଖାଦ୍ୟ, ଇନ୍ଧନ ଓ ସାର ସବ୍ସିଡି ବାବଦରେ ମୋଦୀ ସରକାର ୨୪.୮୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଯାହା ଉପା ସରକାରର ୧୦ ବର୍ଷ ଶାସନରେ ମାତ୍ର ୧୩.୯ ଲକ୍ଷ କୋଟି ଟଙ୍କା ଥିଲା।
ଗତକାଲି କେନ୍ଦ୍ର ତୈଳ ଟିକସରେ ଯେଉଁ ହ୍ରାସ କରିଥିଲା ତାହାକୁ କଂଗ୍ରେସ କଡ଼ା ସମାଲୋଚନା କରିବା ସହ ଲୋକମାନଙ୍କୁ ସରକାର ବୋକା ବନାଉଥିବା କହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ତଥ୍ୟ ଜାରି କରି ଜଣାଇଛନ୍ତି ଯେ ୨୦୨୦ ମେ’ ୧ରେ ଏକ ଲିଟର ପେଟ୍ରୋଲ୍ ଦାମ୍ ୬୯ ଟଙ୍କା ୫୦ ପଇସା ଥିଲା। ୨୦୨୨ ମେ’ ୧ରେ ତାହା ୧୦୫ ଟଙ୍କା ୪୦ ପଇସା ହୋଇଗଲା। ମେ’ ୨୨ରେ ତାହା ପୁଣି ୯୬ ଟଙ୍କା ୭୦ ପଇସା ହୋଇଛି। ଆଗକୁ ପୁଣି ଦୈନିକ ପେଟ୍ରୋଲ୍ ଦାମ୍ ୮୦ ପଇସା ଓ ଡିଜେଲ୍ ୩୦ ପଇସା ଲେଖାଏଁ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଲୋକମାନଙ୍କୁ ବୋକା ବନାଇବା ବନ୍ଦ କରିବା ଓ ଦରବୃଦ୍ଧିରୁ ସେମାନଙ୍କୁ ପ୍ରକୃତ ଆଶ୍ବସ୍ତି ଦେବା ଲାଗି ସେ ସରକାରଙ୍କୁ ଆହ୍ବାନ ଦେଇଛନ୍ତି। ପେଟ୍ରୋଲ ଓ ଡିଜେଲ୍ରେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ୨୦୧୪ ମେ’ ପୂର୍ବ ସ୍ତର ପେଟ୍ରୋଲ୍ ପିଛା ୯ ଟଙ୍କା ୪୮ ପଇସା ଓ ଡିଜେଲ୍ରେ ୩ ଟଙ୍କା ୫୬ ପଇସା କରିବାକୁ କଂଗ୍ରେସର ସାଧାରଣ ସମ୍ପାଦକ ରଣଦୀପ ସୁର୍ଜେୱାଲା ଦାବି କରିଛନ୍ତି।
/sambad/media/post_attachments/wp-content/uploads/2021/12/petrol1-300x173.jpg)
ସବୁ କ୍ଷତି ଆମେ ସହିବୁ, ରାଜ୍ୟଙ୍କ କିଛି କ୍ଷତି ହେବନି: ନିର୍ମଳା
ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଉପରୁ କେନ୍ଦ୍ର ସରକାର ଯେଉଁ ଟିକସ ସଂଗ୍ରହ କରୁଛନ୍ତି ତାହା ହେଉଛି ବିଭିନ୍ନ ପ୍ରକାର ଟିକସ ଓ ସେସ୍ର ସମାହାର। କେନ୍ଦ୍ର ଆଦାୟ କରୁଥିବା ଟିକସ ମଧ୍ୟରେ ରହିଛି ମୌଳିକ ଉତ୍ପାଦନ ଟିକସ, ସ୍ବତନ୍ତ୍ର ଅତିରିକ୍ତ ଉତ୍ପାଦନ ଟିକସ, ସଡ଼କ ଓ ଭିତ୍ତିଭୂମି ସେସ୍ ଏବଂ କୃଷି ଓ ଭିତ୍ତିଭୂମି ବିକାଶ ସେସ୍ ଭଳି ଚାରି ପ୍ରକାର ଶୁଳ୍କ ରହିଛି। ସେଥିରୁ କେବଳ ମୌଳିକ ଉତ୍ପାଦନ ଶୁଳ୍କ ଭାବେ ସଂଗ୍ରହ କରାଯାଉଥିବା ଟିକସକୁ କେନ୍ଦ୍ର ସରକାରଙ୍କ ରାଜ୍ୟଗୁଡ଼ିକ ସହ ବାଣ୍ଟୁଛନ୍ତି। ଏହାର ଅର୍ଥ ହେଉଛି ଅନ୍ୟ ଚାରି ପ୍ରକାର ଟିକସରେ ରାଜ୍ୟଗୁଡ଼ିକର କୌଣସି ଭାଗ ନାହିଁ। ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଗତବର୍ଷ ନଭେମ୍ବରରେ ପେଟ୍ରୋଲ୍ ଦାମ୍ରେ ଯେଉଁ ୫ ଟଙ୍କା ଓ ଡିଜେଲ୍ ଦାମ୍ରେ ୧୦ ଟଙ୍କାର ହ୍ରାସ ଘଟିଥିଲା ଓ ଗତ ଶନିବାର ପେଟ୍ରୋଲ୍ ଦାମ୍ରେ ୮ ଟଙ୍କା ଓ ଡିଜେଲ୍ରେ ଯେଉଁ ୬ ଟଙ୍କାର ହ୍ରାସ ଘଟିଛି ତାହା ସଡ଼କ ଓ ଭିତ୍ତିଭୂମି ସେସ୍ ବର୍ଗରେ ହ୍ରାସ କରାଯାଇଛି। ଯେହେତୁ ସେସ୍ରୁ ସଂଗୃହିତ ଅର୍ଥ ରାଜ୍ୟଗୁଡ଼ିକ ସହ ବଣ୍ଟାଯାଏ ନାହିଁ ତେଣୁ ଏହି ଦୁଇ ଥର ଟିକସ ହ୍ରାସରେ ଯେଉଁ ରାଜସ୍ବ କ୍ଷତି ହେବ ତାହାକୁ କେବଳ କେନ୍ଦ୍ର ସରକାର ଏକାକୀ ସହିବେ। ରାଜ୍ୟଗୁଡ଼ିକ ଏହା ଦ୍ବାରା ପ୍ରଭାବିତ ହେବେ ନାହିଁ। ଦୁଇ ଥର ଟିକସ ହ୍ରାସ ଯୋଗୁଁ କେନ୍ଦ୍ର ଚଳିତ ବର୍ଷ ୨,୨୦,୦୦୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଇଛି।
୧୧ ସାମଗ୍ରୀ ଉପରେ ରପ୍ତାନି ଶୁଳ୍କ ଲାଗୁ
ନୂଆଦିଲ୍ଲୀ: ଲୁହା ଓ ଇସ୍ପାତ ଶିଳ୍ପରେ ବ୍ୟବହାର ହେଉଥିବା ୧୧ଟି ସାମଗ୍ରୀ ଉପରେ କେନ୍ଦ୍ର ସରକାର ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ସେହିପରି ଇସ୍ପାତ ଉତ୍ପାଦନରେ ବ୍ୟବହାର ହେଉଥିବା ତିନି ପ୍ରକାର କଞ୍ଚାମାଲ ଓ ପ୍ଲାଷ୍ଟିକ୍ ପ୍ରସ୍ତୁତିରେ ବ୍ୟବହୃତ ତିନି ପ୍ରକାର କଞ୍ଚାମାଲର ଆମଦାନି ଶୁଳ୍କ ହ୍ରାସ କରିଛନ୍ତି। କୁକିଂ କୋଲ୍, ଆନ୍ଥ୍ରାସାଇଟ, କୋକ୍ ଓ ସେମି-କୋକ୍, ଫେରୋନିକେଲ୍ର ଆମଦାନି ଶୁଳ୍କକୁ ଶୂନ ପ୍ରତିଶତକୁ ହ୍ରାସ କରାଯାଇଛି। ଲୁହାପଥର ଓ କନସେଟ୍ରେଟ୍ର ରପ୍ତାନି ଶୁଳ୍କ ୫୦%କୁ ବୃଦ୍ଧି କରାଯାଇଥିବା ବେଳେ ୫୮%ରୁ ଅଧିକ ଲୁହା ଥିବା ଲମ୍ପ୍ସ ଉପରେ ଶୁଳ୍କ ଲାଗୁ କରାଯାଇଛି। ଲୁହାପଥର ପେଲେଟ୍ରେ ୪୫% ଶୁଳ୍କ ଲଗାଯାଇଛି। ଲୁହା ଓ ଇସ୍ପାତ କ୍ଷେତ୍ରର ଅନ୍ୟ ୯ ପ୍ରକାର ଉତ୍ପାଦ ଯଥା ଫ୍ଲାଟ୍ ରୋଲ୍ଡ ଉତ୍ପାଦ, ଅଣ-ଆଲଏ ଷ୍ଟିଲ୍ ଆଦି ଉପରେ ୧୫% ଟିକସ ଲାଗୁ କରାଯାଇଛି। ସେହିପରି, ପ୍ଲାଷ୍ଟିକ ଉତ୍ପାଦନ ଖର୍ଚ ହ୍ରାସ କରିବା ଲାଗି ନାପ୍ଟା, ପ୍ରୋପିଲିନ୍ ଅକ୍ସାଇଡ୍ ଓ ଭିନାଇଲ୍ କ୍ଲୋରାଇଡ୍ର ପଲିମର ଉପରେ ଆମଦାନି ଶୁଳ୍କ ହ୍ରାସ କରାଯାଇଛି।