ଭୁବନେଶ୍ବର: କେନ୍ଦ୍ର ସରକାର ନିମ୍ନମାନର ଲୁହାପଥର ଉପରେ ରପ୍ତାନି ଶୁଳ୍କ ଲଗାଇବା ଉପରେ ବିଚାର କରୁଛନ୍ତି। ଏହି ଶୁଳ୍କ ଲାଗିଲେ ଓଡ଼ିଶା ବାର୍ଷିକ ୧୦ ହଜାର କୋଟି ଟଙ୍କା କ୍ଷତି ସହିବା ଆଶଙ୍କା ରହିଛି। ଏହି ପ୍ରସଙ୍ଗରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ୟୁସିସିଆଇଏଲ୍) ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଚାମ୍ବର ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଏହି ଶୁଳ୍କକୁ ନେଇ ସତର୍କ କରାଯାଇଛି। ଏହି ଶୁଳ୍କ ଲାଗିଲେ ରାଜ୍ୟମାନଙ୍କର ୧୬୨୦୦ କୋଟି ଟଙ୍କାର ରାଜସ୍ବ ହାନି ଘଟିବ ଏବଂ ଖଣି କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଲକ୍ଷ ଲୋକଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି ହେବ ବୋଲି କୁହାଯାଇଛି। ୟୁସିସିଆଇଏଲ୍ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଜଣାଇଛି ଯେ ନିମ୍ନମାନର ଲୁହାପଥର ଉପରେ ରପ୍ତାନି ଶୁଳ୍କ ଲାଗିଲେ ରାଜ୍ୟ ରାଜକୋଷକୁ ୧୦ ହଜାର କୋଟି ଟଙ୍କାର କ୍ଷତି ହେବ। କେବଳ ଓଡ଼ିଶା ଖଣି ନିଗମ (ଓଏମ୍ସି) ୫୭୦୦ କୋଟି ଟଙ୍କାର ରାଜସ୍ବ ହରାଇବ ବୋଲି ଏହା ଜଣାଇଛି। ତେଣୁ ନିମ୍ନମାନର ଲୁହାପଥର ଉପରେ ରପ୍ତାନି ଶୁଳ୍କ ନ ଲଗାଇବା ଲାଗି ଗଠନ କରାଯାଇଥିବା କମିଟିକୁ ପ୍ରସ୍ତାବ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚାମ୍ବର ନିବେଦନ କରିଛି।
ରାଜ୍ୟରେ ଉତ୍ପାଦିତ ହେଉଥିବା ମାତ୍ର ୨୫-୩୦ ପ୍ରତିଶତ ଲୁହାପଥର ଉଚ୍ଚ ମାନର, ଯାହାକୁ ତତ୍କାଳ ବ୍ୟବହାର କରାଯାଇପାରୁଛି। ଅବଶିଷ୍ଟ ୭୦-୭୫ ପ୍ରତିଶତ ଲୁହାପଥର ହେଉଛି ଫାଇନ୍ସ ଯାହା ୫୮% ଏଫ୍ଇ ମାନଠାରୁ କମ୍ । ସେଗୁଡ଼ିକୁ ଇସ୍ପାତ ଶିଳ୍ପ କିମ୍ବା ଏମ୍ଏସ୍ଏମ୍ଇମାନେ ବ୍ୟବହାର କରିପାରନ୍ତି ନାହିଁ। ଯଦି ସେଗୁଡ଼ିକୁ ରପ୍ତାନି କରା ନ ଯିବ ତେବେ ଖଣି ମୁହଁରେ ତାହା ଗଦା ହୋଇରହିବ। ତାହାର ପରିମାଣ ୧୮୦ ନିୟୁତ ଟନ୍ରୁ ଅଧିକ ବୋଲି ଭାରତୀୟ ଖଣି ବ୍ୟୁରୋ ଆକଳନ କରିଛି। ତେଣୁ ଏହି ଫାଇନ୍ସକୁ ରପ୍ତାନି କରିବା ହେଉଛି ଏକମାତ୍ର ଅର୍ଥନୈତିକ ବିକଳ୍ପ ବୋଲି ୟୁସିସିଆଇଏଲ୍ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/06/mines-2025-09-06-20-49-25.jpg)