ନୂଆଦିଲ୍ଲୀ: ଦେଶରେ ଚାଉଳ ଏବଂ ପିଆଜ ଦାମ ବୃଦ୍ଧି ପାଉଥିବାରୁ ଏହା ଉପରେ ରୋକ୍‌ ଲଗାଇବା ପାଇଁ ରପ୍ତାନି ଉପରେ କେନ୍ଦ୍ର ସରକାର ନିଷେଧାଦେଶ ଲଗାଇଛନ୍ତି। କିନ୍ତୁ ବିଦେଶ ମନ୍ତ୍ରାଳୟର ବିଶେଷ ଅନୁରୋଧ ଅନୁଯାୟୀ, ଭାରତ ପକ୍ଷରୁ ଦୁଇଟି ଦେଶକୁ ଚାଉଳ ଏବଂ ପିଆଜ ରପ୍ତାନି ପାଇଁ ଯୋଜନା ଚାଲିଛି। ଭାରତ ଖୁବ୍‌ଶୀଘ୍ର ମରିସସ୍‌କୁ ୧୪ ହଜାର ଟନ୍‌ ଅଣବାସମତୀ ଚାଉଳ ଏବଂ କତରକୁ ୭୫୦୦ ଟନ୍ ପିଆଜ ରପ୍ତାନି କରିପାରେ। ନ୍ୟାସନାଲ କୋଅପରେଟିଭ ଏକ୍ସପୋର୍ଟ ଲିମିଟେଡ (ଏନ୍‌ସିଇଏଲ୍‌) ଜରିଆରେ ଏହି ରପ୍ତାନି ହୋଇପାରେ। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, ନିଷେଧାଦେଶ ସତ୍ତ୍ବେ ବିଦେଶ ମନ୍ତ୍ରାଳୟର ଅନୁରୋଧ ଅନୁସାରେ ରପ୍ତାନି ଉପରେ ଶୀଘ୍ର ନିଷ୍ପତ୍ତି ନିଆଯିବ।

Advertisment

ଭାରତର ରଣନୈତିକ ସହଯୋଗୀ ଭାବେ ବିବେଚିତ ଏହି ଦୁଇ ରା‌ଷ୍ଟ୍ରକୁ ସହାୟତା ଯୋଗାଇ ଦିଆଯିବ। ଉଲ୍ଲେଖଯୋଗ୍ୟ, ସରକାର ଅଣବାସମତୀ ଚାଉଳର ରପ୍ତାନି ଉପରେ ଗତବର୍ଷ ଜୁଲାଇରେ ଏବଂ ପିଆଜ ରପ୍ତାନି ଉପରେ ଡିସେମ୍ବରରେ କଟକଣା ଲଗାଇଥିଲେ। କିନ୍ତୁ ଚଳିତମାସ ଆରମ୍ଭରେ ପିଆଜ ରପ୍ତାନି ଉପରେ ଲଗାଯାଇଥିବା କଟକଣାକୁ ହଟାଇ ଦିଆଯାଇଥିଲା। କିନ୍ତୁ ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟ ୫୫୦ ଡଲାର କରାଯିବା ସହିତ ୪୦ ପ୍ରତିଶତ ରପ୍ତାନି ଶୁଳ୍କ ବି ଲଗାଇ ଦିଆଯାଇଥିଲା। ସୂଚନା ଅନୁଯାୟୀ ବିଦେଶ ମନ୍ତ୍ରାଳୟ ମରିସସ୍‌କୁ ୨୪ ହଜାର ଟନ୍ ଅଣ ବାସମତୀ ଚାଉଳ ଏବଂ କତରକୁ ୧୪ ହଜାର ଟନ୍ ପିଆଜ ରପ୍ତାନି କରିବାକୁ ଅନୁରୋଧ କରିଥିଲା। କିନ୍ତୁ ମରିସସ୍‌କୁ ୧୪ ହଜାର ଟନ୍ ଅଣବାସମତୀ ଚାଉଳ ଏବଂ କତରକୁ ୭୫୦୦ ଟନ୍ ପିଆଜ ରପ୍ତାନି କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ବରିଷ୍ଠ ଅଧିକାରୀଙ୍କ ମଞ୍ଜୁରିକୁ ଅପେକ୍ଷା କରାଯାଇଛି।

ଉଲ୍ଲେଖଯୋଗ୍ୟ, ନିଷେଧ ସତ୍ତ୍ବେ ପୂର୍ବରୁ ସରକାର ବାଂଲାଦେଶ, ୟୁଏଇ, ଭୁଟାନ, ବାହାରିନ, ମରିସସ୍‌ ଓ ଶ୍ରୀଲଙ୍କାକୁ ୯୯,୧୫୦ ଟନ୍ ପିଆଜ ରପ୍ତାନି କରିଛନ୍ତି। ଏଥିସହିତ ଏସିଆ ଓ ଆଫ୍ରିକାର ୧୪ଟି ଦେଶକୁ ୨୭.୭ ଲକ୍ଷ ଟନ୍ ଅଣବାସମତୀ ଚାଉଳ ରପ୍ତାନି କରାଯାଇଥିଲା। ଏହି ଦେଶଗୁଡ଼ିକ ମଧ୍ୟରେ ସିଙ୍ଗାପୁର, ନେପାଳ, ମାଲେସିଆ ଏବଂ ଫିଲିପାଇନ୍ସ ଆଦି ରହିଛନ୍ତି।