୬ ମାସରେ ୫୩,୬୨୬ କୋଟିର କୃଷି ସାମଗ୍ରୀ ରପ୍ତାନି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଦେଶରେ କୃଷି ସାମଗ୍ରୀର ରପ୍ତାନି ଆଖିଦୃଶିଆ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସ ଅର୍ଥାତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ଭାରତର ଅତ୍ୟାବଶ୍ୟକ କୃଷିଜାତ ସାମଗ୍ରୀ ରପ୍ତାନିରେ ୪୩.୪ ପ୍ରତିଶତ ବୃଦ୍ଧି ଘଟିଛି। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ କୃଷିଜାତ ସାମଗ୍ରୀ ରପ୍ତାନି ରାଶି ୫୩,୬୨୬.୬ କୋଟି ଟଙ୍କା ରହିଛି। ଗତ ଆର୍ଥିକ ବର୍ଷର ଉକ୍ତ ସମୟ ମଧ୍ୟରେ ଏହି ରପ୍ତାନି ରାଶି ୩୭,୩୯୭.୩ କୋଟି ଟଙ୍କା ରହିଥିଲା। କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ବାଦାମ ରପ୍ତାନିରେ ୩୫ ପ୍ରତିଶତ, ଚିନି ରପ୍ତାନିରେ ୧୦୪ ପ୍ରତିଶତ, ଗହମ ରପ୍ତାନିରେ ୨୦୬ ପ୍ରତିଶତ, ବାସମତି ଚାଉଳ ରପ୍ତାନିରେ ୧୩ ପ୍ରତିଶତ, ଅଣ ବାସମତି ଚାଉଳ ରପ୍ତାନିରେ ୧୦୫ ପ୍ରତିଶତ ବୃଦ୍ଧି ଘଟିଛି। ତେବେ ସେପ୍ଟେମ୍ବର ମାସର କୃଷି ସାମଗ୍ରୀ ରପ୍ତାନି ୮୧.୭ ପ୍ରତିଶତ ବୃଦ୍ଧି ଘଟି ୯୨୯୬ କୋଟି ଟଙ୍କାରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବେ କେନ୍ଦ୍ର ସରକାର କୃଷି କ୍ଷେତ୍ରର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି ଘୋଷଣା କରିଛନ୍ତି। ଏଥିସହିତ ନିକଟରେ ସଂସଦରେ ୩ଟି କୃଷି ବିଲ୍‌ ଗୃହୀତ ହୋଇଛି। ଏସବୁ କୃଷକଙ୍କ ଆୟବୃଦ୍ଧିରେ ସହାୟକ ହେବ ବୋଲି ଆଶା ରଖାଯାଇଛି। ତେବେ ନୂଆ କୃଷି ଆଇନକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ବିରୋଧ କରିଆସୁଛନ୍ତି। ଏହାଦ୍ବାରା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଚାଷୀ ପ୍ରଭାବିତ ହେବା ସହିତ କର୍ପୋରେଟ୍ ଦଲାଲ ରାଜ୍ ଚାଲିବ ବୋଲି ଅଭିଯୋଗ କରାଯାଉଛି।

ସମ୍ବନ୍ଧିତ ଖବର