ସାମୁଦ୍ରିକ ଖାଦ୍ୟ ରପ୍ତାନି ୩୦୦୦ କୋଟି ଟପିଲା

ଦୂରଦର୍ଶୀ ନୀତି ପ୍ରସ୍ତୁତ ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ
ଦୁଇ ହଜାର ପ୍ରସ୍ତାବ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଭୁବନେଶ୍ୱର : ଲୁଣାପାଣି ମାଛ ଚାଷ କ୍ଷେତ୍ରରେ ଓଡ଼ିଶା ବିଶେଷ ସଫଳତା ହାସଲ କରିଛି। ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଲୁଣା ପାଣି ମାଛ ଉତ୍ପାଦନ ୭୪୭ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଓଡ଼ିଶାରୁ ସାମୁଦ୍ରିକ ଖାଦ୍ୟ ରପ୍ତାନି ୩ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାପଡ଼ିଛି।

୨୦୧୧-୧୨ ଆର୍ଥିକ ବର୍ଷରେ ସମୁଦାୟ ଉତ୍ପାଦନ ପ୍ରାୟ ୧୧,୪୬୦ ଟନ୍ ଥିବାବେଳେ ୨୦୨୦-୨୧ ବର୍ଷ ବେଳକୁ ଏହା ପ୍ରାୟ ୯୭,୧୨୫ ଟନ୍‌କୁ ବୃଦ୍ଧି ପାଇଛି। ଫଳରେ ସମୁଦାୟ ସାମୁଦ୍ରିକ ଖାଦ୍ୟ ରପ୍ତାନି ୩୧୦୭ କୋଟି ଟଙ୍କାରେ ପହଞ୍ଚିଛି। କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହଯୋଗ ଏବଂ ବ୍ୟବସାୟ ଅନୁକୂଳ ବ୍ୟବସ୍ଥା ଯୋଗୁ ଏହା ସମ୍ଭବ ହୋଇ ପାରିଛି ବୈଠକରୁ ଜଣାଯାଇଛି।

ଏହି ଅର୍ଥକାରୀ ​‌କ୍ଷେତ୍ରର ଅଧିକ ବିକାଶ ନିମନ୍ତେ ଏକ ସରଳ, ସମନ୍ୱିତ ଏବଂ ଦୂରଦର୍ଶୀ ନିୟାମକ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମତ୍ସ୍ୟ ଓ ପଶୁ ସଂପଦ ବିଭାଗ, ଇଡ୍‌କୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ସମନ୍ୱିତ ଭାବେ ଏହି ନିୟାମକ ପ୍ରସ୍ତୁତ କରିବାକୁ କୁହାଯାଇଛି। ଚାଷୀ, ଉଦ୍ୟୋଗୀ ଏବଂ କ୍ଷେତ୍ରସହ ସଂପୃକ୍ତ ସମସ୍ତ ସଂସ୍ଥାମାନଙ୍କ ସହ ଆଲୋଚନା କରି ସେମାନଙ୍କର ପରାମର୍ଶ ନେବା ସହ ନିୟାମକୁ ସରଳ, ସୁଗମ ଏବଂ ଲକ୍ଷ୍ୟଭେଦୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଜିଲ୍ଲାରେ ଲୁଣାପାଣି ମାଛଚାଷ ପାଇଁ ଉପଯୁକ୍ତ ଜମି ଚିହ୍ନଟ କରିବା ନିମନ୍ତେ ଇଡ୍‌କୋ, ମତ୍ସ୍ୟ ଅଧିକାରୀ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନକୁ ମଧ୍ୟ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏଥି ପାଇଁ ଲ୍ୟାଣ୍ଡ ବ୍ୟାଙ୍କ୍ ସୃଷ୍ଟି କରିବା ଏବଂ ମାଛ ଚାଷ ନିମନ୍ତେ ଲୁଣାପାଣି ସଂଯୋଗ, ରାସ୍ତା ଓ ବିଦ୍ୟୁତ ଆଦି ଭିତ୍ତିଭୂମି ବିକାଶ କାର୍ଯ୍ୟ ଇଡ୍‌କୋ ମାଧ୍ୟମରେ କରାଇବା ନିମନ୍ତେ ବୈଠକରେ ସ୍ଥିର ହୋଇଛି। ମାଛ ଚାଷୀ ବା ଉଦ୍ୟୋଗୀଙ୍କୁ ଭବିଷ୍ୟତର ସମ୍ଭାବ୍ୟ ଅସୁବିଧାରୁ ସୁରକ୍ଷା ଦେବା ପାଇଁ ପ୍ରଥମରୁ ନିୟମଗୁଡିକର ଅନୁପାଳନ ପୂର୍ବକ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟ ଶାସନ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟ ଚାଷୀ ପ୍ରାଥମିକ ସମବାୟ ସମିତି, ମହିଳା ସମବାୟ ସମିତି, ଶିକ୍ଷତ ଉଦ୍ୟୋଗୀ ଯୁବବର୍ଗ, ସହଭାଗୀ ଫାର୍ମ ଏବଂ ରାଜ୍ୟ ସରକାରଙ୍କ ସମବାୟ ସଂସ୍ଥା ଆଦି ମାଧ୍ୟମରେ ରାଜ୍ୟରେ ରହିଥିବା ପର୍ଯ୍ୟାପ୍ତ ସମ୍ଭାରର ବ୍ୟବସାୟିକ ବିକାଶ କରିବା ପାଇଁ କୁହାଯାଇଛି। ଏହାଛଡ଼ା ବର୍ତ୍ତମାନ ପର୍ଯ୍ୟନ୍ତ ଭଦ୍ରକ, ବାଲେଶ୍ୱର. କେନ୍ଦ୍ରାପଡା, ଜଗତ୍‌ସିଂହପୁର, ପୁରୀ ଓ ଗଂଜାମ ଆଦି ଜିଲ୍ଲାରୁ ଲୁଣାପାଣି ମାଛ ଚାଷ ପାଇଁ ମିଳିଥିବା ପ୍ରାୟ ୨୦୦୦ ପ୍ରକଳ୍ପ ପ୍ରସ୍ତାବ ଉପରେ ଚଳିତ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ମୁଖ୍ୟ ସଚିବ ସଂପୃକ୍ତ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର