ଭୁବନେଶ୍ବର : ଚଳିତମାସ ୩୦ ତାରିଖରୁ ଭୁବନେଶ୍ବରରେ ବହୁ ପ୍ରତୀକ୍ଷିତ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଆରମ୍ଭ ହେବ। ଜନତା ମଇଦାନରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଦେଶବିଦେଶର ଶିଳ୍ପପତି, ବରିଷ୍ଠ ଅଧକାରୀ ଓ ବିଶେଷଜ୍ଞମାନେ ଏଥିରେ ଯୋଗଦେଇ ଓଡ଼ିଶାରେ ନିବେଶ ପ୍ରତିଶ୍ରୁତି ଦେବା ସହିତ ଓଡ଼ିଶାରେ ଥିବା ନିବେଶ ସମ୍ଭାବନା ଉପରେ ଅବଗତ ହେବେ। ଏଥିସହିତ ବିଶେଷଜ୍ଞମାନେ ଉକ୍ତ ୫ ଦିନିଆ ସମ୍ମିଳନୀରେ ଯୋଗଦେଇ ଶିଳ୍ପ ଓ ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଉପରେ ଆଲୋଚନା କରିବେ।
ରାଜ୍ୟ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଆଜି ଏହି କାର୍ଯ୍ୟକ୍ରମର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମର ସହଯୋଗ କାମନା କରିଛନ୍ତି। ସେ କହିଛନ୍ତି, ଆସନ୍ତା ୩୦ ତାରିଖ ଅପରାହ୍ଣ ୫ଟା ୩୦ରେ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିବେ। ଏହାପରେ ସେ ପ୍ରଦର୍ଶନୀ ବୁଲି ଦେଖିବେ। ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଓ ଅଧିବେଶନ ହେବ। ସମ୍ମିଳନୀକୁ ପ୍ରବେଶ ପାଇଁ ୪ଟି ଗେଟ୍ ରହିବ। ଗେଟ୍ ନମ୍ବର ୧ ହୋଟେଲ୍ ସାଣ୍ଡିସ୍ ଟାୱାର ପଟେ ରହିବ। ସେପଟେ ସାଧାରଣ ଲୋକ ପ୍ରବେଶ କରିବେ। ଗେଟ୍ ନମ୍ବର ୨ ସ୍ବସ୍ତି ପ୍ରିମିୟମ ପଟେ ଭିଆଇପିଙ୍କ ପାଇଁ ଏବଂ ୩ ନମ୍ବର ଗେଟ୍ ସାମ୍ବାଦିକଙ୍କ ପ୍ରବେଶ ପାଇଁ ରହିବ। ସବୁଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ସଚିବ ସଂଜୟ କୁମାର ସିଂ, ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
କେଉଁଦିନ କ’ଣ?
ନଭେମ୍ବର ୩୦: ସନ୍ଧ୍ୟା ୫ଟା ୩୦ରେ ଉଦ୍ଘାଟନ
ଡିସେମ୍ବର ୧: ପ୍ଲିନାରି ଅଧିବେଶନ, ଷ୍ଟାର୍ଟଅପ ଓଡ଼ିଶା ଅଧିବେଶନ ଏବଂ ଜାପାନ, ନରୱେ ଏବଂ ଗ୍ଲୋବାଲ କଣ୍ଟ୍ରି ସେସନ; ଶକ୍ତି, ଶିଳ୍ପ, ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ, ଇଏସ୍ଡିଏମ ଆଣ୍ଡ୍ ଆଇଟି ଉପରେ ବିଜନେସ୍ ଲିଡର୍ସିପ୍ ଟକ୍।ଡିସେମ୍ବର ୨: ଓଡ଼ିଶାରେ ଥିବା ନିବେଶ ଓ ବ୍ୟାବସାୟିକ ସମ୍ଭାବନା ଉପରେ ଅଧିବେଶନ, ରସାୟନ, ପେଟ୍ରୋରସାୟନ, ପ୍ଲାଷ୍ଟିକ, ରପ୍ତାନି, କୃଷି ବ୍ୟବସାୟ, ବୟନଶିଳ୍ପ, ଖଣି ଧାତବ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି/ଆଇଟିଇଏସ, ଅକ୍ଷୟ ଶକ୍ତି ଓ ଉପକରଣ ଉପରେ ଅଧିବେଶନ।
ଡିସେମ୍ବର ୩: ମହିଳା ସଶକ୍ତୀକରଣ ପାଇଁ ଆର୍ଥିକ ସ୍ବାଧୀନତା ଉପରେ ପ୍ଲିନାରି ସେସନ, ସର୍କୁଲାର ଇକୋନୋମି, ରିୟଲ ଇଷ୍ଟେଟ୍ ଆଣ୍ଡ୍ ସୋସିଆଲ ଇନଫ୍ରାଷ୍ଟ୍ରକଚର, ଡିଫେନ୍ସ ଆଣ୍ଡ୍ ଏଭିଏସନ, ହେଲ୍ଥକେୟାର ଆଣ୍ଡ୍ ଫାର୍ମା, ଫିଲ୍ମ ଆଣ୍ଡ୍ ଏଣ୍ଟରଟେନ୍ମେଣ୍ଟ୍, ବିଦ୍ୟାଳୟ ଶିକ୍ଷା, ମହିଳା ଉଦ୍ୟମିତା, ଲଜିଷ୍ଟିକ୍ସ, ବାୟୋଟେକ୍ନାଲୋଜି ଏବଂ ପର୍ଯ୍ୟଟନ ଉପରେ କ୍ଷେତ୍ରଭିତ୍ତିକ ଆଲୋଚନା ହେବ। ଅପରାହ୍ଣ ୫ଟା ୩୦ରେ ଉଦ୍ଯାପନୀ ଅଧିବେଶନ ହେବ।
ଡିସେମ୍ବର ୪: ପ୍ରଦର୍ଶନୀ ସକାଳ ୧୧ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/MiO-2022.jpg)