ଫ୍ୟାବ୍‌ ଇଣ୍ଡିଆ ବିରୋଧରେ ୫୨୫ କୋଟିର ମାମଲା

ମୁମ୍ବାଇ: ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ ପକ୍ଷରୁ ଫ୍ୟାବ୍‌ ଇଣ୍ଡିଆ ବିରୋଧରେ ବମ୍ବେ ହାଇକୋର୍ଟରେ ମାମଲା ଦାୟର କରାଯାଇଛି। କାରଖାନାରେ ଉତ୍ପାଦନ ହେଉଥିବା ସୁତା କପଡ଼ାକୁ କଂପାନି ଖଦି ନାମରେ ବିକ୍ରି କରୁଥିବା ଆୟୋଗ ଅଭିଯୋଗ କରିଛି। ଏଥିପାଇଁ ୫୨୫ କୋଟି ଟଙ୍କାର କ୍ଷତି ହୋଇଥିବା ବିଷୟରେ ଆୟୋଗ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି। ଖଦି ଆୟୋଗ ତରଫରୁ ମାମଲାର ପରିଚାଳନା କରୁଛି କୋଚର୍‌ ଆଣ୍ଡ୍‌ କଂପାନି ନାମକ ଲ’ ଫାର୍ମ। ଖଦି ଟ୍ରେଡ୍‌ମାର୍କରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବାରୁ ଯେଉଁ କ୍ଷତି ହୋଇଛି ତାହା ଫ୍ୟାବ୍‌ ଇଣ୍ଡିଆ ଭରଣା କରୁ ବୋଲି ଆୟୋଗ ପକ୍ଷରୁ ଦାବି କରାଯାଇଛି। ଖଣି ଆୟୋଗ ଓ ଫ୍ୟାବ୍‌ ଇଣ୍ଡିଆ ମଧ୍ୟରେ ବିବାଦ ବହୁ ପୁରୁଣା। ୨୦୧୫ରେ ଏ ନେଇ ଉଭୟ ପକ୍ଷ ପରଷ୍ପର ସହ ଆଲୋଚନା କରିଥିଲେ ବୋଲି ଫ୍ୟାବ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଖଦି ଆୟୋଗ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଖଦି ନାମରେ ପୋଷାକପତ୍ର ବିକ୍ରି କରିବା ପାଇଁ ଫ୍ୟାବ୍‌ ଇଣ୍ଡିଆକୁ ଏହା କୌଣସି ଅଧିକାର କିମ୍ବା ଅନୁମତି ପ୍ରଦାନ କରିନାହିଁ। ଏ ନେଇ କଂପାନି ସହିତ କଥାବାର୍ତା ଚାଲିଥିଲା। ମାତ୍ର କୌଣସି ସକାରାତ୍ମକ ଫଳାଫଳ ନମିଳିବାରୁ ଆଲୋଚନାକୁ ରଦ୍ଦ କରିଦିଆଯାଇଥିଲା। ଖଦି ନାମରେ ପୋଷାକ ବିକ୍ରି କରିବା ପାଇଁ ଖଦି ଆୟୋଗ ପକ୍ଷରୁ ରେମଣ୍ଡ୍‌ ଓ ଅରବିନ୍ଦ ମିଲ୍ସକୁ ଅନୁମତି ପ୍ରଦାନ କରାଯାଇଛି। ଆୟୋଗର ଅଧ୍ୟକ୍ଷ ବିନୟ କୁମାର ସକ୍‌ସେନା କହିଛନ୍ତି ଯେ ଖଦି ନିୟମର ଯେଉଁମାନେ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର