ବିବାଦୀୟ ବିଜ୍ଞାପନ ହଟାଇଲା ଫ୍ୟାବ୍‌ଇଣ୍ଡିଆ: ପୋଷାକରେ ଊର୍ଦ୍ଦୁ ବ୍ୟବହାରକୁ ନେଇ ଆପତ୍ତି

କଂପାନିକୁ ନିନ୍ଦା କଲେ ବିଜେପି ନେତା

ନୂଆଦିଲ୍ଲୀ: ଦେଶରେ ଉତ୍ସବ ଋତୁ ଚାଲିଥିବା ବେଳେ ଏକ ନୂଆ ପୋଷାକ ସମ୍ଭାର ନାମରେ ଊର୍ଦ୍ଦୁ ଭାଷା ବ୍ୟବହାର କରିବା ଫ୍ୟାବ୍‌ଇଣ୍ଡିଆ ଲାଗି ମହଙ୍ଗା ସାବ୍ୟସ୍ତ ହୋଇଛି। କଂପାନି ଏହାର ପୋଷାକ ସମ୍ଭାର ନାମ ଜସ୍ନ-ଏ-ରିୱାଜ୍‌ ରଖିଥିଲା। ଏହାର ପ୍ରଚାର ଲାଗି ଏକ ବିଜ୍ଞାପନ ମଧ୍ୟ ପ୍ରସ୍ତୁତ କରିଥିଲା। ତାହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ବିବାଦ ଆରମ୍ଭ ହୋଇଥିଲା। ଉତ୍ସବକୁ ଏକ ଊର୍ଦ୍ଦୁ ଭାଷା ସହ ଯୋଡ଼ି ଦୀପାବଳିକୁ ବଦନାମ କରିବା ଲାଗି କଂପାନି ପ୍ରୟାସ କରିଛି ବୋଲି ବିଜେପିର ବରିଷ୍ଠ ନେତାମାନେ ଅଭିଯୋଗ କରିଥିଲେ। କିଛି ସମୟ ପରେ ଫ୍ୟାବ୍‌ଇଣ୍ଡିଆ ସେହି ବିଜ୍ଞାପନକୁ ପ୍ରତ୍ୟାହାର କରିଛି। ଏଥି ସହିତ ଏହି ସମ୍ଭାରକୁ ନେଇ କରିଥିବା ଟୁଇଟ୍‌କୁ ମଧ୍ୟ କଂପାନି ହଟାଇ ଦେଇଛି। ଜସ୍ନ-ଏ-ରିୱାଜ୍ ପୋ‌ଷାକ ସମ୍ଭାରର ପ୍ରଚାର କରିବା ଲାଗି ମଡେଲ୍‌ମାନେ ପିନ୍ଧିଥିବା ପୋଷାକର ଏକ ଫଟୋକୁ ଫ୍ୟାବ୍‌ଇଣ୍ଡିଆ ଟୁଇଟ୍‌ କରିଥିଲା। ସେଥିରେ ଥିବ‌ା ମଡେଲ୍‌ମାନେ ଭାରତୀୟ ପୋଷାକ ପିନ୍ଧିନଥିବାରୁ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟା ଫ୍ୟାବ୍‌ଇଣ୍ଡିଆକୁ କଡ଼ା ନିନ୍ଦା କରିଥିଲେ। ଦୀପାବଳି ଜସ୍ନ-ଏ-ରିୱାଜ୍ ନୁହେଁ ବୋଲି ସେ ଜଣାଇଥିଲେ। ଟ୍ବିଟର୍‌ରେ ମଧ୍ୟ ଲୋକମାନେ କଂପାନିର ବିଜ୍ଞାପନକୁ ନେଇ ଆପତ୍ତି ଉଠାଇଥିଲେ।

ତେବେ ଫ୍ୟାବ୍‌ଇଣ୍ଡିଆ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜସ୍ନ-ଏ-ରିୱାଜ୍ କଂପାନିର ଦୀପାବଳି ଉପ‌ଲକ୍ଷେ ଉନ୍ମୋଚନ କରାଯାଇଥିବା ପୋଷାକ ସମ୍ଭାର ନୁହେଁ। ଦୀପାବଳି ଲାଗି କଂପାନି ଝିଲ୍‌ ମିଲ୍ ସେ ଦୀୱାଲି ପୋଷାକ ସମ୍ଭାର ପ୍ରସ୍ତୁତ କରିଛି ଯାହାକୁ ଉନ୍ମୋଚନ କରାଯାଇନାହିଁ। ପ୍ରତି ୧୫ ଦିନରେ କଂପାନି ଭାରତୀୟ ପର୍ବ ଓ ଉତ୍ସବକୁ ନଜରରେ ରଖି ପୋଷାକର ନୂଆ ସମ୍ଭାର ଆଣିଥାଏ। ଜସ୍ନ-ଏ-ରିୱାଜ୍‌ର ଅର୍ଥ ହେଉଛି ଉତ୍ସବ ପାଳନ। ନିର୍ଦିଷ୍ଟ ଭାବେ ଦୀପାବଳି ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି କଂପାନି ସ୍ପଷ୍ଟ କରିଛି। ଉଲ୍ଲେଖଯୋଗ୍ୟ, ଗତବର୍ଷ ଏହି ସମୟରେ ତନିସ୍କର ଏକ ଗହଣା ସମ୍ଭାରର ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଥିଲା। ବିଜ୍ଞାପନ ଜରିଆରେ ଲଭ୍ ଜିହାଦ୍‌ର ପ୍ରଚାର କରାଯାଉଥିବା ନେଇ କିଛି ଲୋକ ଅଭିଯୋଗ କରିଥିଲେ। କଂପାନି ବାଧ୍ୟ ହୋଇ ଉକ୍ତ ବିଜ୍ଞାପନକୁ ପ୍ରତ୍ୟାହାର କରିଥିଲା। ଏହି ଘଟଣାର ଠିକ୍ ବର୍ଷକ ପରେ ଫ୍ୟାବ୍‌ ଇଣ୍ଡିଆ ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି।

ସମ୍ବନ୍ଧିତ ଖବର