ନୂଆଦିଲ୍ଲୀ: କାର୍ଯ୍ୟକ୍ଷେତ୍ରରେ ଅନେକ ଆହ୍ବାନକୁ ମହିଳାମାନେ ସାମ୍ନା କରୁଥିବା କିଛି ନୂଆ କଥା ନୁହେଁ। ବେଳେ ବେଳେ ସେମାନଙ୍କୁ ଏଭଳି କିଛି କାରଣ ପାଇଁ ଅସୁବିଧା ସାମ୍ନା କରିବାକୁ ପଡ଼େ ଯାହା ଉପରେ ସେମାନଙ୍କ ନିୟନ୍ତ୍ରଣ ନାହିଁ। ନିଜ ସ୍ବାମୀଙ୍କ କାର୍ଯ୍ୟ ଲାଗି କର୍ପୋରେଟ୍ ଜଗତର କିଛି ଚର୍ଚ୍ଚିତ ମହିଳା ହଇରାଣ ହୋଇଛନ୍ତି। ସେହି ତାଲିକାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ଏମ୍‌ଡି ଓ ସିଇଓ ଚନ୍ଦା କୋଚ୍ଚର ଏବଂ ‌ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ନାମ ରହିଛି।

Advertisment

ଗତକାଲି ମାଧବୀଙ୍କ ବି‌ରୋଧରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଯେଉଁ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛି ସେଥିରେ ତାଙ୍କ ସ୍ବାମୀ ଧବଲ୍ ବୁଚ୍‌ଙ୍କ ନାମ ମଧ୍ୟ ରହିଛି। ଧବଲ୍ ହେଉଛନ୍ତି ବ୍ଲାକ୍‌ଷ୍ଟୋନ୍ ଓ ଆଲ୍‌ଭାରେଜ୍ ଓ ମାର୍ସଲ୍‌ର ଜଣେ ବରିଷ୍ଠ ଉପଦେଷ୍ଟା। ସେ ଗିଲ୍‌ଡାନ୍‌ର ବୋର୍ଡରେ ମଧ୍ୟ କାମ କରୁଛନ୍ତି। ଆଇଆଇଟି ଦିଲ୍ଲୀରେ ପାଠପଢ଼ିଥିବା ଧାବଲ୍‌ ପୂର୍ବରୁ ୟୁନିଲିଭର୍‌ର ଚିଫ୍‌ ପ୍ରକ୍ୟୁରମେଣ୍ଟ ଅଫିସର ଭାବେ ମଧ୍ୟ କାମ କରିଥିଲେ। ହିଣ୍ଡେନ୍‌ବର୍ଗ ଅଭିଯୋଗ ଅନୁସାରେ ଧାବଲ୍ ଓ ମାଧବୀ ମିଳିବ ଭାବେ ଯେଉଁ ଫଣ୍ଡରେ ନିବେଶ କରିଛନ୍ତି, ତାହାର ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନିଙ୍କ ଭାଇ ବିନୋଦ ଆଦାନିଙ୍କ ସହ ସମ୍ପର୍କ ରହିଛି।

ସେହିପରି, ନିଜ ସ୍ବାମୀ ଦୀପକ କୋଚ୍ଚରଙ୍କ ନିବେଶ ଲାଗି ଆଇସିଆସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କୁ ଚଉକି ହରାଇବାକୁ ପଡ଼ିଥିଲା। ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ବେଣୁ ଗୋପାଳ ଧୁତ୍‌ଙ୍କ ଭିଡିଓକନ୍‌ ଗ୍ରୁପ୍‌କୁ ଦିଆଯାଇଥିବା ଋଣ ପଛ‌ରେ କିକ୍‌ବ୍ୟାକ୍ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଖୋଳତାଡ଼ ପରେ ଜଣାପଡ଼ିଥିଲା ଯେ ଭିଡିଓକନ୍ ଗ୍ରୁପ୍ ଚନ୍ଦାଙ୍କ ସ୍ବାମୀ ଦୀପକଙ୍କ କମ୍ପାନିରେ ନିବେଶ କରିଥିଲା। ସେହି ସର୍ତ୍ତରେ ଭିଡିଓକନ୍‌କୁ ଋଣ ଦିଆଯାଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ସିବିଆଇ ପକ୍ଷରୁ ଚନ୍ଦା ଓ ଦୀପକଙ୍କୁ ଗିରଫ ମଧ୍ୟ କରାଯାଇଥିଲା।