ଜୁଲାଇରୁ ଆଧାର ପ୍ରମାଣନରେ ବ୍ୟବହାର ହେବ ମୁଖମଣ୍ଡଳ

ନୂଆଦିଲ୍ଲୀ: ଆଧାର ପ୍ରମାଣନ ପାଇଁ ଆସନ୍ତା ଜୁଲାଇ ପହିଲାରୁ ମୁଖମଣ୍ଡଳକୁ ବ୍ୟବହାର କରାଯିବ। ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ) ଏ ନେଇ ପ୍ରସ୍ତୁତି ଚଳାଇଛି। ତେବେ ଆଖିର ସ୍ୱଚ୍ଛ ପଟଳ ଏବଂ ଆଙ୍ଗୁଠି ଚିହ୍ନ ସହିତ ମୁଖ୍ୟମଣ୍ଡଳକୁ ଏଥିପାଇଁ ବ୍ୟବହାର କରାଯିବ। ବୃଦ୍ଧାବସ୍ଥା, କଠିନ ପରିଶ୍ରମ ଏବଂ ଆଙ୍ଗୁଠି ନଷ୍ଟ ହୋଇଥିବା କାରଣରୁ ଅନେକ ବ୍ୟକ୍ତିଙ୍କର ଆଧାର ପ୍ରମାଣନ ଆଖିର ସ୍ୱଚ୍ଛ ପଟଳ ଏବଂ ଆଙ୍ଗୁଠି ଛାପ ମାଧ୍ୟମରେ ଏବେ ହୋଇପାରୁ ନାହିଁ। ଏହି ସମସ୍ୟାକୁ ଦୂର କରିବା ପାଇଁ ମୁଖମଣ୍ଡଳକୁ ଆଧାର ପ୍ରମାଣନ ପାଇଁ ଉପଯୋଗ କରାଯିବ ବୋଲି ୟୁଆଇଡିଏଆଇ ଚଳିତବର୍ଷ ଜାନୁଆରିରେ ଘୋଷଣା କରିଥିଲା। ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଆଧାର ସମ୍ପର୍କିତ ମାମଲାର ଶୁଣାଣି ବେଳେ ୟୁଆଇଡିଏଆଇର ସିଇଓ ଅଜୟ ଭୂଷଣ ପାଣ୍ଡେ ଆସନ୍ତା ଜୁଲାଇରୁ ନୂଆ ବ୍ୟବସ୍ଥା ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କ, ଟେଲିକମ୍‌ କମ୍ପାନି, ସାଧାରଣ ବଣ୍ଟନ ବ୍ୟବସ୍ଥା, ଆୟକର ବିଭାଗ ଆଦିରେ ପରିଚୟପତ୍ର ପ୍ରମାଣନ ପାଇଁ ଆଧାର କାର୍ଡକୁ ବ୍ୟବହାର କରାଯାଉଛି।

ସମ୍ବନ୍ଧିତ ଖବର