ଫେସବୁକ୍‌ ଆକାଉଣ୍ଟ୍‌ ଖୋଲିବାକୁ ଦରକାର ପଡ଼ିବ ଆଧାର

ନୂଆଦିଲ୍ଲୀ: ଫେସବୁକ୍‌ରେ ଆକାଉଣ୍ଟ୍‌ ଖୋଲିବା ବେଳେ ଆଧାର ଦରକାର ପଡ଼ିବ। ବିଶ୍ୱର ଏହି ଲୋକପ୍ରିୟ ସୋସିଆଲ୍‌ ନେଟଓ୍ଵର୍କିଂ ସାଇଟ୍‌ ଏକ ନୂତନ ବୈଶିଷ୍ଟ୍ୟକୁ ନେଇ ପରୀକ୍ଷୀନିରୀକ୍ଷା କରୁଛି। ନୂଆ ଆକାଉଣ୍ଟ୍‌ ଖୋଲିବାକୁ ଚାହୁଁଥିବା ଲୋକମାନଙ୍କୁ ଆଧାର କାର୍ଡରେ ଲେଖାଥିବା ନାମ ପ୍ରଦାନ କରିବାକୁ କୁହାଯାଇଛି। ସମସ୍ତ ନୂଆ ଗ୍ରାହକଙ୍କୁ ଏଭଳି କୁହାଯାଉନାହିଁ। ଯେହେତୁ ଏହା ପରୀକ୍ଷାମୂଳକ ସ୍ତରରେ ରହିଛି ତେଣୁ କିଛି ହାତଗଣତି ବ୍ୟବହାରକାରୀଙ୍କୁ ଆଧାର କାର୍ଡରେ ଲେଖାଥିବା ନାମ ଦେବାକୁ କୁହାଯାଇଛି। ତାହା ପୁଣି ସମ୍ପୂର୍ଣ୍ଣ ସ୍ୱେଚ୍ଛାକୃତ। ନୂଆ ବ୍ୟବହାରକାରୀ ଆଧାର କାର୍ଡ ଥିବା ନାମ ଲେଖିବାକୁ ବାଧ୍ୟ ନୁହନ୍ତି। କିନ୍ତୁ ଫେସବୁକ୍‌ ଏକ ବାର୍ତା ଦେଉଛି ଯେଉଁଥିରେ ଲେଖାଯାଇଛି ଯେ ଯଦି ତୁମେ ଆଧାରରେ ଲେଖାଥିବା ନାମ ପ୍ରଦାନ କରିବ ତେବେ ତୁମ ବନ୍ଧୁମାନେ ତୁମକୁ ସହଜରେ ଚିହ୍ନି ପାରିବେ। ଯେହେତୁ ଫେସ୍‌ବୁକ୍‌ ଆଧାର ନମ୍ବର ମାଗୁନାହିଁ, ସେଥିପାଇଁ ଏହାକୁ ଏତେ ଗୁରୁତ୍ୱ ଦିଆଯାଉନାହିଁ।
ଫେସବୁକ୍‌ ଏକମାତ୍ର ଘରୋଇ ସଂସ୍ଥା ନୁହେଁ ଯାହା ଆଧାରକୁ ନେଇ ପରୀକ୍ଷାନିରୀକ୍ଷା କରୁଛି। ଏହା ପୂର୍ବରୁ ଇ-କମର୍ସ ସଂସ୍ଥା ଆମାଜନ୍‌ ପକ୍ଷରୁ ଗ୍ରାହକମାନଙ୍କୁୁ ଆଧାର ଅପ୍‌ଲୋଡ୍‌ କରିବାକୁ କୁହାଯାଇଥିଲା। ବେଙ୍ଗାଲୁରୁର ଟାକ୍ସି କଂପାନି ଜୁମ୍‌ କାର୍‌ ମଧ୍ୟ ବୁକିଙ୍ଗ ଗ୍ରହଣ କରିବା ବେଳେ ଗ୍ରାହକମାନଙ୍କ ଆଧାର ବିବରଣୀ ମାଗୁଥିଲା। ସରକାରୀ ସ୍ତରରେ ଅନେକ ସେବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଆଧାରକୁ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଘଂନ ବୋଲି ଅଭିଯୋଗ କରି ସୁପ୍ରିମକୋର୍ଟରେ ଅନେକ ମାମଲା ଦାୟର ହୋଇଛି। ତାହାର ଶୁଣାଣି ଜାରି ରହିଛି।

ସମ୍ବନ୍ଧିତ ଖବର