ଏହି କାରଣରୁ ‘ଫେସବୁକ୍’ ନିଜ କମ୍ପାନିର ନାମକୁ ପରିବର୍ତ୍ତନ କଲା

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍ ମିଡିଆ କମ୍ପାନି ଫେସବୁକ୍ ନିଜ କମ୍ପାନିର ନାମରେ ପରିବର୍ତ୍ତନ ଆଣିଛି । ଏଣିକି ଫେସବୁକ୍ କମ୍ପାନି ‘ମେଟା’ ନାମରେ ପରିଚିତ ହେବ । କମ୍ପାନିର ସିଇଓ ମାର୍କ ଜୁକରବର୍ଗ ଗୁରୁବାର ଏହି ବଡ ଘୋଷଣା କରିଛନ୍ତି ।

ତେବେ ଆସନ୍ତୁ ଜାଣିବା, କାହିଁକି ନିଜର କମ୍ପାନିର ନାଁ ପରିବର୍ତ୍ତନ କଲା ଫେସବୁକ୍ ଏବଂ ଏହାର ପ୍ରଭାବ ସାଧାରଣ ୟୁଜର୍ସଙ୍କ ଉପରେ କଣ ପଡିବ?

ଫେସବୁକ୍ କମ୍ପାନି ନିଜ ନାଁ ପରିବର୍ତ୍ତନ କରିବାର ମୁଖ୍ୟ କାରଣ ହେଉଛି – କମ୍ପାନିର ସିଇଓ ମାର୍କ ଜୁକରବର୍ଗ ଏବେ ତାଙ୍କ କମ୍ପାନିକୁ କେବଳ ଗୋଟିଏ ସୋସିଆଲ୍ ମିଡିଆ କମ୍ପାନି ଭାବେ ସୀମିତ ରଖିବାକୁ ଚାହୁଁନାହାନ୍ତି । ଏହାଠୁ ଆଗକୁ ବଢି ତାଙ୍କ କମ୍ପାନି ଏବେ ମେଟାଭର୍ସ ୱାଲର୍ଡ ପ୍ରସ୍ତୁତ କରୁଛି ।

ଯେଉଁଥିପାଇଁ କମ୍ପାନି ପ୍ରାୟ ୧୦ ହଜାର ଲୋକଙ୍କୁ ମଧ୍ୟ ଚାକିରି ଦେବାକୁ ଯାଉଛି । ଏହି କର୍ମଚାରୀମାନେ ମେଟାଭର୍ସ ପ୍ରସ୍ତୁତ କରିବାକୁ କମ୍ପାନିକୁ ସାହାଯ୍ୟ କରିବେ । ତେବେ ମେଟାଭର୍ସ ହେଉଛି ଭର୍ଚୁଆଲ୍ ରିୟାଲିଟି । ଯେଉଁଠି ଲୋକମାନେ ଡିଜିଟାଲ ଜରିଆରେ ଉପସ୍ଥିତ ରହିବେ । ଡିଜିଟାଲ ଜରିଆରେ ପରସ୍ପରକୁ ଭେଟିପାରିବେ । ତେବେ ଏହା ପୂର୍ବରୁ ମାଇକ୍ରୋସଫ୍ଟ ଭଳି ବଡ କମ୍ପାନି ମଧ୍ୟ ଏହି କ୍ଷେତ୍ରରେ ଆଗକୁ ବଢିସାରିଛି । ତେଣୁ ଏବେ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ଏହି କ୍ଷେତ୍ରରେ ପ୍ରବେଶ କରିଛନ୍ତି ।

ମେଟାଭର୍ସ ଦୁନିଆରେ ଆଗକୁ ବଢିବା ପାଇଁ ଫେସବୁକ୍ କମ୍ପାନି ନିଜ ନାଁରେ ପରିବର୍ତ୍ତନ ଆଣିଛି । କମ୍ପାନିର ଚେଷ୍ଟା ଏହା ରହିଛି ଯେ, ଏହି କମ୍ପାନିକୁ ଲୋକମାନେ କେବଳ ଗୋଟିଏ ସୋସିଆଲ୍ ମିଡିଆ କମ୍ପାନି ଭାବେ ନଜାଣି ଏହାର ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବେ । ଯେଉଁଥିପାଇଁ ଜୁକରବର୍ଗ ଏହି ବଡ ଘୋଷଣା କରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫେସବୁକ୍ କମ୍ପାନିର ନାମ ବଦଳିବା ପରେ ମଧ୍ୟ ୟୁଜର୍ସଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।

ଫେସବୁକ୍ କମ୍ପାନିର ଆପ୍ ବ୍ୟବହାର କରୁଥିବା ୟୁଜର୍ସମାନେ ପୂର୍ବଭଳି ଏହାକୁ ବ୍ୟବହାର କରିପାରିବେ । ଫେସବୁକ୍ , ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପର ନାମରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ ।

ସମ୍ବନ୍ଧିତ ଖବର