ନୂଆଦିଲ୍ଲୀ: ଭାରତରେ ବ୍ୟବସାୟ କରୁଥିବା ବିଦେଶୀ ଅନଲାଇନ ଟେକନଲୋଜୀ କମ୍ପାନି ଫେସବୁକ, ଗୁଗୁଲ, ଏକ୍ସ ତଥା ବିଭିନ୍ନ ଏଡୁଟେକ୍ କମ୍ପାନିଙ୍କ ଉପରେ ଟିକସ ଲାଗୁ କରାଯିବ । ଏସବୁ କମ୍ପାନିଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବାକୁ ସରକାର ଯୋଜନା କରୁଛନ୍ତି । ଏପର୍ଯ୍ୟନ୍ତ ଏସବୁ କମ୍ପାନିଙ୍କୁ ଟିକସ ରିହାତି ପ୍ରଦାନ କରାଯାଉଥିଲା । ଅକ୍ଟୋବର ପହିଲାରୁ ଏହି କମ୍ପାନୀଗୁଡ଼ିକୁ ଦିଆଯାଇଥିବା ରିହାତିକୁ ଶେଷ କରିବାକୁ ପ୍ରସ୍ତାବ ଦିଆଯାଇଛି।
କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ବିଦେଶୀ ଅନଲାଇନ୍ ସୂଚନା ଏବଂ ଡାଟାବେସ୍ ଆକସେସ୍ ରିଟ୍ରାଇଭାଲ ସେବା (ଓଆଇଡିଏଆର) ପ୍ରଦାନ କରୁଥିବା ଏହି କମ୍ପାନୀଗୁଡ଼ିକ ଆଉ ଜିଏସଟି ପରିସରରୁ ବାହାରେ ରଖାଯିବ ନାହିଁ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜିଏସଟି ଲାଗୁ ହେବାକୁ ଥିବା କମ୍ପାନିମାନଙ୍କ ମଧ୍ୟରେ ଅଛନ୍ତି ବିଜ୍ଞାପନ, କ୍ଲାଉଡ୍ ସେବା, ସଙ୍ଗୀତ, ସଦସ୍ୟତା ଭିତ୍ତିକ ସେବା, ଅନଲାଇନ୍ ଶିକ୍ଷା ପ୍ରଦାନକାରୀ କମ୍ପାନି ।
ବିଶେଷଜ୍ଞଙ୍କ ମତରେ ଜିଏସଟି ଲାଗୁ ହେବା ଦ୍ବାରା ବଡ଼ କମ୍ପାନିମାନେ ବିଶେଷ ପ୍ରଭାବିତ ହେବେ ନାହିଁ, କାରଣ ସେମାନେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଛୋଟ ଛୋଟ ଏଜୁଟେକ୍ ଷ୍ଟାର୍ଟଅପଗୁଡ଼ିକ ଉପରେ ଟିକସ ବୋଝ ବଢିବ । ଏହା ଦ୍ବାରା ସେମାନଙ୍କ ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ରହିଛି ।