ନୂଆଦିଲ୍ଲୀ: ଫେସ୍ବୁକ୍ ଆମେରିକାର ବଡ଼ବଡ଼ ବ୍ୟାଙ୍କମାନଙ୍କୁ ଗ୍ରାହକଙ୍କ ସବିଶେଷ ତଥ୍ୟ ମାଗିଛି। ଫେସ୍ବୁକ୍ ନିଜର ମେସେଞ୍ଜର ପ୍ଲାଟଫର୍ମରେ ବ୍ୟାଙ୍କ ସଂପର୍କିତ ନୂଆ ସେବା ଆରମ୍ଭ କରିବାକୁ ଯାଉଛି । କୁହାଯାଉଛି କି ଫେସ୍ବୁକ୍ ଭାରତରେ ଥିବା ବ୍ୟାଙ୍କଗୁଡ଼ିକୁ ବି ଏଭଳି ସୂଚନା ମାଗିପାରେ। ଯେଉଁ ବ୍ୟାଙ୍କକୁ ଫେସବୁକ୍ ଗ୍ରାହକଙ୍କ ଡାଟା ମାଗିଛି, ସେଗୁଡ଼ିକ ମଧ୍ୟରୁ କେତେକ ଭାରତରେ କାରବାର କରୁଛନ୍ତି। ଏହି ବ୍ୟାଙ୍କ ତାଲିକାରେ ସିଟିବ୍ୟାଙ୍କ, େଓ୍ଵଲ ଫାର୍ଗୋ, ଜେପି ମାର୍ଗନ୍, ଚେସ୍ ବ୍ୟାଙ୍କ ଆଦି ସାମିଲ ରହିଛି। ଏହି ବ୍ୟାଙ୍କଗୁଡ଼ିକର ଶାଖା ବିଶ୍ୱର ଅନେକ ଦେଶରେ ବି ରହିଛି।
ସୂଚନାଯୋଗ୍ୟ, ବ୍ୟାଙ୍କ ଗ୍ରାହକଙ୍କ କାର୍ଡରୁ ହେଉଥିବା ଟ୍ରାନ୍ଜାକ୍ସନ୍, ଖାତାରେ କେତେ ବାଲାନ୍ସ ଅଛି ଓ ଗ୍ରାହକ ନିଜର ବ୍ୟାଙ୍କ୍ ଖାତାରୁ କେଉଁକେଉଁଠାରୁ କ୍ରୟ କରିଛନ୍ତି ଆଦି ଡାଟା ଫେସ୍ବୁକ ବ୍ୟାଙ୍କକୁ ମାଗିଛି। ଏହି ସମସ୍ତ ସୂଚନା ବ୍ୟକ୍ତିଗତ, ତେଣୁ ବ୍ୟାଙ୍କ୍ ଗ୍ରାହକ ଏହାର ବିରୋଧ ବି କରି ପାରନ୍ତି। ତେବେ ଫେସବୁକ୍ ପ୍ରବକ୍ତା ଏଭଳି ଡାଟା ସେୟାର କରିବାର କଥାକୁ ଖଣ୍ଡନ କରିଛନ୍ତି।
ଫେସ୍ବୁକ୍ ଏପରି କରିବା ପଛରେ ଉଦ୍ଦେଶ୍ୟ ହେଉଛି, ବ୍ୟାଙ୍କ ଏସ୍ଏମ୍ଏସ୍ ପରିବର୍ତ୍ତେ ମେସେଞ୍ଜର ସେବା ଉପଯୋଗ କରିବ। କେବଳ ଆମେରିକାରେ ୧.୩ ବିଲିୟନ୍ ଲୋକଙ୍କ ପାଖକୁ ଏସ୍ଏମ୍ଏସ୍ ଜରିଆରେ ବ୍ୟାଙ୍କିଂ ସେବାର ବାର୍ତ୍ତା ପହଞ୍ଚିଥାଏ। ଫେସ୍ବୁକ୍ ନିଜର ମେସେଞ୍ଜର ସେବା ଜରିଆରେ ଗ୍ରାହକଙ୍କୁ ଏହି ସେବା ଯୋଗାଇବାର ଯୋଜନା କରୁଛି। ଯେଉଁଥିପାଇଁ ସେ ବ୍ୟାଙ୍କକୁ ସମ୍ପର୍କ କରିଛି। ନିକଟରେ ଫେସ୍ବୁକ୍ ଡାଟା ଚୋରି ବିବାଦ ପରେ ବ୍ୟାଙ୍କ ଏଭଳି ସେବା ନେବାକୁ କୁଣ୍ଠାବୋଧ କରୁଛି।