ନୂଆଦିଲ୍ଲୀ: ବିଶ୍ବର ଅଗ୍ରଣୀ ସୋସିଆଲ୍ ମିଡିଆ ସଂସ୍ଥା ଫେସବୁକ୍ ଏହାର ନାମ ପରିବର୍ତ୍ତନ କରିବା ଉପରେ ବିଚାର କରୁଛି। ଆମେରିକା ସରକାର କଂପାନିର ବ୍ୟାବସାୟିକ ଢାଞ୍ଚା ଉପରେ କଡ଼ା ନଜର ରଖିଥିବା ଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଫେସ୍‌ବୁକ୍ ନିଜର ନାମ ପରିବର୍ତ୍ତନ କରିବାକୁ ଯାଉଛି। ଗୁଗୁଲ୍ ଯେଭଳି ଆଲ୍‌ଫାବେଟ୍‌ ନାମ ରଖି ନିଜର ଛବି ବଦଳାଇଥିଲା, ସେହି ଢାଞ୍ଚାରେ ଫେସ୍‌ବୁକ୍ ନିଜ ଗ୍ରୁପ୍‌ର ନୂଆ ନାମ ରଖିବ। ସେହି ସଂସ୍ଥା ଅଧୀନରେ ଏହାର ବିଭିନ୍ନ ପ୍ରକାର ଉତ୍ପାଦ ଯଥା ଫେସବୁକ୍, ହ୍ବାଟସ୍‌ଆପ୍, ଇନଷ୍ଟାଗ୍ରାମ୍ ଏବଂ ଓକୁଲସ୍‌ ଆଦି ରହିବ। ୨୦୧୫ରେ ଗୁଗୁଲ୍‌ ନିଜର ହୋଲ୍‌ଡିଂ କଂପାନି ନାମ ରଖିଥିଲା ଆଲ୍‌ଫାବେଟ୍‌। ସର୍ଚ୍ଚ ଇଞ୍ଜିନ ଓ ବିଜ୍ଞାପନ ବ୍ୟବସାୟରୁ ଆଗକୁ ବଢ଼ି ଏହା ଅନ୍ୟ କ୍ଷେତ୍ରରେ ନିଜକୁ ସମ୍ପ୍ରସାରିତ କରିଥିଲା। ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସେବା ପ୍ରଦାନ କରିବା, ସ୍ବୟଂଚାଳିତ ଗାଡ଼ି ତିଆରି କରିବା ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଲାଗି ପ୍ରଯୁକ୍ତି ବିକଶିତ କରିବା ଭଳି ନୂତନ କ୍ଷେତ୍ରରେ ଏହା ପାଦ ଦେଇଥିଲା।

Advertisment

ଲୋକମାନଙ୍କୁ ଇଣ୍ଟରନେଟ୍‌ ଜଗତରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଦୁନିଆ ପ୍ରଦାନ କରିବା ଉପରେ ଫେସ୍‌ବୁକ୍ କାର୍ଯ୍ୟ କରୁଛି। ସେଥିପାଇଁ ଏହା ଭର୍ଚୁଆଲ୍ ରିଅଲିଟି ଓ ଅଗ୍‌ମେଣ୍ଟେ‌ଡ୍ ରିଅଲିଟି (ଏଆର୍‌/ଭିଆର୍‌)ରେ ବିପୁଳ ନିବେଶ କରିଛି। ‌ମେଟାଭର୍ସ ନାମରେ କଂପାନି ଏକ ପରିକଳ୍ପନା ପ୍ରସ୍ତୁତ କରିଛି। ସେହି ଯୋଜନା ଅଧୀନରେ ଆସନ୍ତା ୫ ବର୍ଷରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ଏହା ୧୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଚଳିତ ବର୍ଷ ଜୁଲାଇରେ ପ୍ରଥମ ଥର ଲାଗି ଫେସ୍‌ବୁକ୍‌ର ମୁଖ୍ୟ ମାର୍କ ଜୁକରବର୍ଗ ମେଟାଭର୍ସ ବିଷୟରେ କହିଥିଲେ। ସେହିଦିନ ଠାରୁ ଏହି ଶବ୍ଦ ବେଶ ଚର୍ଚ୍ଚାରେ ରହିଛି।