ଭୁବନେଶ୍ବର: ରାଜ୍ୟରେ ଥିବା ଗାଡ଼ି ସୋ'ରୁମ୍ଗୁଡ଼ିକୁ ଖୋଲିବା ଲାଗି ଅନୁମତି ପ୍ରଦାନ କରିବା ଲାଗି ଗାଡ଼ି ଡିଲରଗୁଡ଼ିକର ସର୍ବଭାରତୀୟ ମହାସଂଘ 'ଫେଡେରେସନ୍ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସସିଏସନ୍ସ (ଫାଡା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛି। ଏନେଇ ଫାଡାର ଜାତୀୟ ସଭାପତି ଭିଙ୍କେଶ ଗୁଲାଟି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀର ପ୍ରଭାବ ଲାଗି ରହିଥିବାରୁ ଲୋକମାନେ ସାର୍ବଜନୀନ ଗମନାଗମନ ବ୍ୟବସ୍ଥାକୁ ବ୍ୟବହାର କରିବା ବଦଳରେ ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ବ୍ୟକ୍ତିଗତ ଯାନ ବ୍ୟବହାର କରିବାକୁ ଚାହୁଛନ୍ତି। ସେଥିପାଇଁ ଗାଡ଼ିର ଚାହିଦା ବହୁତ ଅଧିକ ରହିଛି। ଅନେକ ପ୍ରକାର କୋଭିଡ୍ ଯୋଦ୍ଧା ସମେତ ସମ୍ମୁଖ ଯୋଦ୍ଧା ଓ ନିୟମିତ ଗ୍ରାହକମାନେ ବ୍ୟକ୍ତିଗତ ବ୍ୟବହାର ଲାଗି କାର୍ ଓ ଦୁଇଚକିଆ ଯାନ ଡେଲିଭରି ପ୍ରଦାନ କରିବା ଲାଗି ଆମକୁ କହୁଛନ୍ତି। ପୁନଶ୍ଚ, ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ପରିବହନ ଲାଗି ବାଣିଜ୍ୟିକ ଯାନ ହେଉଛି ଜୀବନରେଖା। ଏହି ଗାଡ଼ିଗୁଡ଼ିକର ଚାହିଦା ମଧ୍ୟ ବଢ଼ିଥିବା ଶ୍ରୀ ଗୁଲାଟି ଚିଠିରେ ଜଣାଇଛନ୍ତି।
ରାଜ୍ୟରେ ଲକ୍ଡାଉନ୍ ଲାଗୁ କରାଯାଇଥିବାରୁ ଗ୍ରାହକମାନଙ୍କୁ ଗାଡ଼ି ଡିଲରସିପ୍ଗୁଡ଼ିକ ସେବା ଯୋଗାଇ ପାରୁନାହାନ୍ତି। ଗାଡ଼ି ସୋ'ରୁମ୍ଗୁଡ଼ିକ ଆକାରରେ ବହୁତ ବଡ଼ ହୋଇଥିବାରୁ ସେଥିରେ ସହଜରେ ସାମାଜିକ ଦୂରତ୍ବ ବଜାୟ ରଖାଯାଇପାରିବ। ଡିଲର୍ସିପ୍ଗୁଡ଼ିକ ୫୦% କର୍ମଚାରୀରେ ଗ୍ରାହକମାନଙ୍କୁ ସେବା ଯୋଗାଇ ପାରିବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ସବୁ ବିଷୟ ବିଚାରକୁ ନେଇ ଗାଡ଼ି ଡିଲର୍ସିପ୍କୁ ଖୋଲିବା ଏବଂ ଗାଡ଼ିଗୁଡ଼ିକର ଡେଲିଭରି ଦେବା ଲାଗି ଅନୁମତି ପ୍ରଦାନ କରିବା ଲାଗି ଫାଡା ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଫାଡାର ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ଅଗ୍ରୱାଲ୍ କହିଛନ୍ତି ଯେ ସୋ'ରୁମ୍ ଖୋଲା ଥିବା ସମୟର ସମସ୍ତ କୋଭିଡ୍ ପ୍ରୋଟୋକଲ୍କୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଛୁ।