ଭୁବନେଶ୍ବର : ଭାରତୀୟ ଅଟୋମୋବାଇଲ ଡିଲର ମହାସଂଘ (ଏଫଏଡିଏ) ପକ୍ଷରୁ ‘ବ୍ୟାପାର’ର ଚତୁର୍ଦ୍ଦଶ ସଂସ୍କରଣ ଭୁବନେଶ୍ବରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ଅଟୋମୋବାଇଲ ଡିଲରମାନଙ୍କର ପ୍ରତିବର୍ଷ ହୋଇ ଆସୁଥିବା ଏହି ବୈଠକ ପ୍ରଥମ ଥର ପାଇଁ ଓଡ଼ିଶାରେ ହୋଇଛି। ହ୍ବିଲ୍ସ ଅଫ୍ ଓଡ଼ିଶା ଶୀର୍ଷକରେ ଏହି ବୈଠକ ହୋଇଛି। ଭାରତୀୟ ଅଟୋମୋବାଇଲ ଶିଳ୍ପରେ ରହିଥିବା ସୁଯୋଗ ଏବଂ ଆହ୍ବାନ ସଂପର୍କରେ ଉକ୍ତ ବୈଠକରେ ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନା କରିଛନ୍ତି। ପ୍ରାୟ ୨୫୦ରୁ ଅଧିକ ଡିଲର ଏବଂ ୩୦୦ରୁ ଅଧିକ ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ। ବ୍ୟାପାର ଓଡ଼ିଶା ସମ୍ମିଳନୀକୁ ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ଉଦଘାଟନ କରିଥିଲେ।
ଅଟୋମୋବାଇଲ ଶିଳ୍ପର ବିକାଶରେ ଡିଲରମାନଙ୍କର ପ୍ରମୁଖ ଯୋଗଦାନ ରହିଛି। ଏଭଳି ସମ୍ମିଳନୀ ବ୍ୟବସାୟୀମାନଙ୍କ ଆତ୍ମବିଶ୍ବାସକୁ ବୃଦ୍ଧି କରିବ ବୋଲି ରାଜ୍ୟପାଳ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଫାଡା ସଭାପତି ମନିଷ ରାଜ ସିଂଘାଣିଆ, ରାଜ୍ୟ ଅଧ୍ୟକ୍ଷ ପ୍ରଦୀପ ଅଗରୱାଲଙ୍କ ସମେତ ଫାଡା ପରିଷଦର ବରିଷ୍ଠ ସଦସ୍ୟ ଏବଂ ରାଜ୍ୟର ଅଟୋମୋବାଇଲ ଡିଲରମାନେ ଉପସ୍ଥିତ ଥିଲେ। ଫାଡା ସଭାପତି ଶ୍ରୀ ସିଂଘାଣିଆ ଓଡ଼ିଶା ଦେଶର ଅଟୋମୋବାଇଲ ଶିଳ୍ପ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବଜାର ବୋଲି କହିଥିଲେ। ଡିଲରମାନେ ଗ୍ରାହକମାନଙ୍କୁ ସର୍ବଦା ଉନ୍ନତମାନର ସେବା ଯୋଗାଇ ଦେବାଲାଗି ସେ ଆହ୍ବାନ ଦେଇଥିଲେ। ଓଡ଼ିଶାରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜନ ହୋଇଥିବାରୁ ରାଜ୍ୟର ଡିଲରମାନେ ବିଶେଷଭାବେ ଲାଭବାନ ହେବେ ବୋଲି ଫାଡାର ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଅଗରୱାଲ କହିଥିଲେ।