ଏଟିଏମ୍‌ରୁ ଟଙ୍କା ନଉଠି ବ୍ୟାଙ୍କ ଆକାଉଣ୍ଟରୁ କଟିଯାଇଛି ! ସମାଧାନ ପାଇଁ ଆପଣାନ୍ତୁ ଏହି ଉପାୟ

ସାଧାରଣତଃ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ଲମ୍ବା ଧାଡ଼ି ଦେବାକୁ ପଡ଼ିଥାଏ। ତେଣୁ ବ୍ୟାଙ୍କ ଅପେକ୍ଷା ଲୋକମାନେ ଏଟିଏମ ଯିବାକୁ ବେଶି ପସନ୍ଦ କରିଥାନ୍ତି । କାରଣ ଏଠାରେ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କ ଭଳି ଲୋକମାନଙ୍କୁ ଘଣ୍ଟାଘଣ୍ଟା ଧରି କୌଣସି ଲାଇନରେ ଛିଡା ହେବାକୁ ପଡି ନଥାଏ ।

ତେବେ ବ୍ୟାଙ୍କ ମଧ୍ୟ ଏଟିଏମ ବ୍ୟବସ୍ଥାକୁ ଅଧିକ ପ୍ରାଥମିକତା ଦେଉଛି । କିନ୍ତୁ ଅଧିକାଂଶ ସମୟରେ ଦେଖାଯାଏ ଏଟିଏମରୁ ଟଙ୍କା ଉଠାଇବା ବେଳେ ଲୋକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଆଉ ଏମାନଙ୍କ ମଧ୍ୟରେ ଗୋଟିଏ ହେଲା ଏଟିଏମରୁ ଟଙ୍କା ଉଠି ନାହିଁ କିମ୍ବା ଉଠି ଯାଇଛି କିନ୍ତୁ ସେ ଟଙ୍କା ଆପଣ ପାଇ ପାରିନାହାଁନ୍ତି କିମ୍ବା ଆପଣଙ୍କର ଖାତାରୁ ଟଙ୍କା କଟି ଯାଇଛି। ଏଭଳି ପରିସ୍ଥିତିରେ ଆପଣ କ’ଣ କରିବେ ବିଚଳିତ ହୋଇ ପଡ଼ନ୍ତି। ଏହାକୁ ଦୃଷ୍ଟିରେ ଏଭଳି କିଛି ନିୟମ ପ୍ରସ୍ତୁତ କରାଯାଇଛି ଯାହାକି ଆପଣଙ୍କ କାମରେ ନିଶ୍ଚିତ ରୂପେ ଆସିବ ।

ଯଦି ଆପଣ ଏ ସଂପର୍କରେ ବ୍ୟାଙ୍କରେ ଯାଇ କହୁଛନ୍ତି ମାତ୍ର ଆପଣଙ୍କର ଏହି ସମସ୍ୟାକୁ ବ୍ୟାଙ୍କ କର୍ମଚାରୀ ସମାଧାନ ନକରନ୍ତି କିମ୍ବା ବ୍ୟାଙ୍କ ନିଜର ଭୁଲକୁ ଅସ୍ୱୀକାର କରୁଛନ୍ତି। ତେବେ ଏଟିଏମ ସଂପର୍କୀତ ସମସ୍ତ ଅଭିଯୋଗ ପାଇଁ ଆପଣ Ombudsmanଙ୍କ ନିକଟକୁ ଯାଇ ଏହି ଅସୁବିଧା ସମ୍ପର୍କରେ ଜଣାଇ ପାରିବେ। କାରଣ Ombudsman ବ୍ୟାଙ୍କରୁ ପ୍ରତିଦିନର ଲେଖା-ଯୋଖା ମାଗି ସଠିକ୍‌ ସ୍ଥିତିର ଯାଞ୍ଚ କରିଥାନ୍ତି ଏବଂ ଦୋଷୀଙ୍କୁ ଦଣ୍ଡିତ କରିଥାନ୍ତି ।

ଏତଦ୍‌ ବ୍ୟତୀତ କନଞ୍ଜ୍ୟୁମର କୋର୍ଟରେ ଆପଣ ନିଜର ଏନେଇ ଅଭିଯୋଗ ଜଣାଇ ପାରିବେ। ବ୍ୟାଙ୍କିଂ ମାମଲାରେ କନଞ୍ଜ୍ୟୁମର କୋର୍ଟ ମଧ୍ୟ ଆପଣଙ୍କର ସହାୟତା କରିପାରନ୍ତି । ଯାହାକି ଆପଣଙ୍କ ନିକଟରେ ଏକ ଅତିରିକ୍ତ ବିକଳ୍ପ ଅଟେ ।

ଠକେଇ ଭଳି କୌଣସି ବି ମାମଲାରେ ଆପଣ ପୁଲିସ ନିକଟକୁ ଯାଇପାରିବେ । ହେଲେ ପୁଲିସ ତଦନ୍ତ ପାଇଁ ବହୁତ ସମୟ ନେଇ ଥାଆନ୍ତି। ଏହାକୁ ଆପଣ ସବୁବେଳେ କେବଳ ଏକ ଠକେଇ ବା ଧୋକ୍କା ବୋଲି କହି ପାରିବେ ନାହିଁ । କାରଣ, ଏହାକୁ ବ୍ୟାଙ୍କ ନିଜ ସେବାରେ ଅବହେଳା କରିଥିବା ଭଳି ମାମଲା ମଧ୍ୟ କୁହାଯାଇପାରିବ ।

ତେବେ କ’ଣ ରହିଛି ନୂଆ ନିୟମ

ଏଟିଏମରୁ ଟ୍ରାନଜାକ୍ସ କରିବା ସମୟରେ ଯଦି ଆପଣଙ୍କର ଟଙ୍କା ନଉଠି ଆପଣଙ୍କ ଖାତାରୁ କଟି ଯାଏଁ ତେବେ ଆପଣ ଆପଣଙ୍କର ବ୍ୟାଙ୍କରେ ଏନେଇ ଅଭିଯୋଗ କରିପାରିବେ ଆଉ ବ୍ୟାଙ୍କ ଆପଣଙ୍କର ଟଙ୍କାକୁ ୭ ଦିନ ମଧ୍ୟରେ ଫେରାଇ ଦେବ । ଯଦି ଏକ ସପ୍ତାହ ମଧ୍ୟରେ ଆପଣ ଟଙ୍କା ଫେରି ନପାଉଛନ୍ତି ତେବେ ବ୍ୟାଙ୍କ ଆପଣଙ୍କୁ ୧୦୦ଟଙ୍କା ପ୍ରତିଦିନ ହିସାବରେ ଜରିମାନା ଦେବାକୁ ବାଧ୍ୟ ହେବ ।

ଏଠାରେ ଆମେ କହି ରଖୁଛୁ କି, ଏଟିଏମ ସଂକ୍ରାନ୍ତୀୟ କୌଣସି ବି ସମସ୍ୟା କିମ୍ବା ଅନ୍ୟ କୌଣସି ସମସ୍ୟା ପାଇଁ ମଧ୍ୟ ଆପଣଙ୍କୁ ସର୍ବ ପ୍ରଥମେ ନିଜ ବ୍ୟାଙ୍କରେ ହିଁ ଅବଗତ କରାଇବାକୁ ହେବ । ଗୋଟିଏ ମାସ ମଧ୍ୟରେ ଯଦି ଏହା ଉପରେ କୌଣସି ବି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆପଣ ଏ ସଂକ୍ରାନ୍ତରେ ବ୍ୟାଙ୍କିଂ Ombudsmanରେ ଅଭିଯୋଗ କରିପାରିବେ । ଯଦି Ombudsmanଙ୍କ ନିକଟକୁ ଯିବାକୁ ଚାହୁଁ ନାହାଁନ୍ତି ତେବେ କନଞ୍ଜ୍ୟୁମର କୋର୍ଟର ବି ସହାୟତା ଲୋଡି ପାରିବେ । ଏଥିପାଇଁ ଆପଣଙ୍କୁ ଡିଷ୍ଟ୍ରିକ୍ଟ କନଞ୍ଜ୍ୟୁମର କୋର୍ଟର ୱେବସାଇଟ୍‌ ncdrc.nic.inକୁ ଯିବାକୁ ପଡିବ ।

କିନ୍ତୁ କୌଣସି ପ୍ରକାରର ସିଷ୍ଟମର ସହଯୋଗ ଲୋଡିବା ପୂର୍ବରୁ ପ୍ରଥମେ ବ୍ୟାଙ୍କକୁ ଆପଣଙ୍କର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ମାସର ସମୟ ଦେବା ଜରୁରୀ ଅଟେ ।

ସମ୍ବନ୍ଧିତ ଖବର