ବୁଡ଼ିଯାଉଥିବା ବ୍ୟାଙ୍କ ବିକ୍ରି ହେବ: ୟୁବିଏସ୍‌ ହାତକୁ ଯିବ କ୍ରେଡିଟ୍‌ ସୁଇସ୍‌

ସିଲିକନ ଭାଲି ବ୍ୟାଙ୍କକୁ କିଣିବ ଫାଷ୍ଟ୍‌ ସିଟିଜେନ୍‌

ନୂଆଦିଲ୍ଲୀ: ବୁଡ଼ିଯାଉଥିବା ବ୍ୟାଙ୍କକୁ ଉଦ୍ଧାର କରିବା ଲାଗି ଆମେରିକା ଓ ୟୁରୋପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି। ସିଲିକନ ଭାଲି ବ୍ୟାଙ୍କକୁ କିଣିବା ଲାଗି ଆମେରିକାର ଫାଷ୍ଟ୍‌ ସିଟିଜେନ୍‌ ବ୍ୟାଙ୍କ ବିଚାର କରୁଛି। ସିଲିକନ ଭାଲି ଏବେ ଆମେରିକାର ଫେଡେରାଲ ଡିପୋଜିଟ୍ ଇନ୍‌ସ୍ୟୁରାନ୍ସ କର୍ପ ଅଧୀନରେ ପରିଚାଳିତ ହେଉଛି। ଏହାକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ବିକ୍ରି କରାଯିବ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ‌ହୋଇନାହିଁ। ଯେଉଁ ଅନୁସାରେ ବିଡ୍‌ ଆସିବ ସେହି ଆଧାରରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ଅନ୍ୟ ପକ୍ଷରେ ସ୍ବିଜରଲ୍ୟାଣ୍ଡ୍‌ର କ୍ରେଡିଟ୍‌ ସୁଇସ୍‌ ବ୍ୟାଙ୍କକୁ କିଣିବା ଲାଗି ୧୦୦ କୋଟି ଡଲାର ପର୍ଯ୍ୟନ୍ତ ଗଣିବାକୁ ସର୍ବବୃହତ ସ୍ବିସ୍‌ ବ୍ୟାଙ୍କ ୟୁବିଏସ୍‌ ଅଫର ଦେଇଥିବା ଜଣାପଡ଼ିଛି। ଯଦି ଏହି ଦୁଇ ବ୍ୟାଙ୍କ ବିକ୍ରି ହେବ ତେବେ ବିଶ୍ବରେ ଦେଖାଦେଇଥିବା ବ୍ୟାଙ୍କ ସଙ୍କଟ ଏକ ପ୍ରକାର ଟଳିଯିବ।

କ୍ରେଡିଟ୍‌ ସ୍ବିସ୍‌ ହେଉଛି ଏକ ୧୬୭ ବର୍ଷ ପୁରୁଣା ବ୍ୟାଙ୍କ। ବହୁତ ବଡ଼ ଓ ବିଫଳ ହେବାର କମ୍ ଆଶଙ୍କା ଥିବା ବିଶ୍ବର ଯେଉଁ ୩୦ଟି ବ୍ୟାଙ୍କର ତାଲିକା ପ୍ରସ୍ତୁତ ହୋଇଥି‌ଲା ସେଥିରେ ଏହାର ନାମ ଥିଲା। ତଥାପି ଏହା ଆର୍ଥିକ ସ୍ତରରେ ଦୁର୍ବଳ ହୋଇ ବୁଡ଼ିଯିବା ସ୍ଥିତିକୁ ଆସିଯିବା ବିଶେଷଜ୍ଞଙ୍କୁ ଚକିତ କରିଛି। କ୍ରେଡିଟ୍ ସୁଇସ୍‌କୁ କିଣିବା ଲାଗି ୟୁବିଏସ୍‌ ଯେଉଁ ପ୍ରସ୍ତାବ ଦେଇଛି ସେଥିରେ ବ୍ୟାଙ୍କର ସେୟାର ମୂଲ୍ୟ ତୁଳନାରେ କମ୍ ଦାମ୍‌ ଦେବାକୁ କଂପାନି କହିଛି। ଏହା ହେଲେ କ୍ରେଡିଟ୍ ସୁଇସ୍‌ର ନିବେଶକମାନେ କ୍ଷତି ସହିବେ। ‌ଯେକୌଣସି ପ୍ରକାରରେ ଏହି ବ୍ୟାଙ୍କକୁ ବଞ୍ଚାଇବା ଲାଗି ସ୍ବିଜରଲ୍ୟାଣ୍ଡ୍‌ ସରକାର ଓ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ଚାହୁଛନ୍ତି।

ସେମାନଙ୍କ ସହଯୋଗରେ ଉଭୟ ବ୍ୟାଙ୍କର ବୋର୍ଡ କର୍ତ୍ତୃପକ୍ଷ କିଣାବିକାର ବିଭିନ୍ନ ଦିଗ ଉପରେ ଆଲୋଚନା ଜାରି ରଖିଛନ୍ତି। ‌ତେବେ ଆଲୋଚନା ସଫଳ ହେବା ନା ନାହିଁ ତାହା ଏବେଠାରୁ କହିବା ଅତ୍ୟନ୍ତ କଷ୍ଟକର। ୟୁବିଏସ୍‌ ବ୍ୟାଙ୍କର ଅଫର ଉପରେ ପ୍ରତିକ୍ରିୟା ପ୍ରକାଶ କରିଛି କ୍ରେଡିଟ୍ ସୁଇସ୍‌। ଏହି ଅଫରର ମୂଲ୍ୟ ବହୁତ କମ୍ ବୋଲି ଏହା କହିଛି। ଏତେ କମ୍ ଦାମ୍‌ରେ ବ୍ୟାଙ୍କ ବିକ୍ରି କରିବା ଉଭୟ ଅଂଶଧନକାରୀ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କ୍ରେଡିଟ୍ ସୁଇସ୍‌କୁ ଯେକୌଣସି ପ୍ରକାରରେ କିଣିବା ଲାଗି ସ୍ବିଜରଲ୍ୟାଣ୍ଡ୍‌ ସରକାର ୟୁବିଏସ୍‌ ଉପରେ ଚାପ ପକାଉଛନ୍ତି।

ସମ୍ବନ୍ଧିତ ଖବର