ମାତିଛନ୍ତି ଫାସ୍‌ଟ୍ୟାଗ୍‌ ଠକ, ଅନ୍‌ଲାଇନ୍‌ରେ ବିକୁଛନ୍ତି ନକଲି ଫାସ୍‌ଟ୍ୟାଗ୍‌

ନୂଆଦିଲ୍ଲୀ: ଦେଶରେ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବା ପରେ ଏହାର ଚାହିଦା ବହୁତ ବଢ଼ିଯାଇଛି। ଏହାର ସୁଯୋଗ ‌ନେଇ ଅନ୍‌ଲାଇନ୍‌ରେ ଫାସ୍‌ଟ୍ୟାଗ୍‌ ଠକ ମାତିଛନ୍ତି। ଅନ୍‌ଲାଇନ୍‌ରେ ବିକ୍ରି ହେଉଥିବା ନକଲି ଫାସ୍‌ଟ୍ୟାଗ୍‌ଗୁଡ଼ିକ ଦେଖିବାକୁ ଅସଲି ଫାସ୍‌ଟ୍ୟାଗ୍‌ ଭଳି। କିନ୍ତୁ ତାହା ଏନ୍‌ଏଚ୍‌ଏଆଇ କିମ୍ବା ଆଇଏଚ୍‌ଏମ୍‌ସିଏଲ୍‌ ଜାରି କରୁଥିବା ଫାସ୍‌ଟ୍ୟାଗ୍‌ ଭଳି କାମ ଦେବ ନାହିଁ। https://ihmcl.co.in କିମ୍ବା MyFastag ଆପ୍‌ରୁ ଅସଲି ଫାସ୍‌ଟ୍ୟାଗ୍‌ କିଣିବାକୁ ଲୋକମାନଙ୍କୁ ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପରାମର୍ଶ ଦେଇଛି। ‌ଗ୍ରାହକମାନେ ତାଲିକାଭୁକ୍ତ ଥିବା ବ୍ୟାଙ୍କ ଓ ସ୍ବୀକୃତିପ୍ରାପ୍ତ ପଏଣ୍ଟ୍‌ ଅଫ୍ ସେଲ୍ ଏଜେଣ୍ଟ୍‌ମାନଙ୍କ ଠାରୁ ମଧ୍ୟ ଅସଲି ଫାସ୍‌ଟ୍ୟାଗ୍‌ କିଣିପାରିବେ।

ଏ ସମ୍ପର୍କିତ ସବିଶେଷ ବିବରଣୀ ଆଇଏଚ୍‌ଏମ୍‌ସିଏଲ୍‌ ୱେବସାଇଟ୍‌ରେ ରହିଛି। ଏନ୍‌ଏଚ୍‌ଏଆଇର ହେଲ୍‌ପଲାଇନ୍ ନମ୍ବର ୧୦୩୩କୁ ଫୋନ୍ କରି ନକଲି ଫାସ୍‌ଟ୍ୟାଗ୍‌ ବିଷୟରେ ସୂଚନା ଲୋକମାନେ ସୂଚନା ଦେଇପାରିବେ। ଫାସ୍‌ଟ୍ୟାଗ୍‌ କିଣିବା ଲାଗି ୨୦୦ ଟଙ୍କା ଓ ଫେରସ୍ତଯୋଗ୍ୟ ସିକ୍ୟୁରିଟି ଡିପୋଜିଟ୍ ଭାବେ ଆଉ ୨୦୦ ଟଙ୍କା ଦେବାକୁ ପଡ଼ୁଛି। ପୁନର୍ବାର ଫାସ୍‌ଟ୍ୟାଗ୍‌ ଇସ୍ୟୁ କରିବା ଲାଗି ୧୦୦ ଟଙ୍କାର ଫି’ ଲାଗୁଛି। ଚଳିତ ବର୍ଷ ଫେବ୍ରୁଆରି ୧୫ରୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଛି। ଯେଉଁଗାଡ଼ିରେ ଫାସ୍‌ଟ୍ୟାଗ୍‌ ନାହିଁ ସେଗୁଡ଼ିକ ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ଦୁଇ ଗୁଣା ଅଧିକ ଶୁଳ୍କ ସଂଗ୍ରହ କରାଯାଉଛି। ଡିଜିଟାଲ୍ ପେମେଣ୍ଟ୍‌ ବ୍ୟବସ୍ଥାରେ ଟୋଲ୍ ଶୁଳ୍କ ଆଦାୟର ପ୍ରସାର କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର