ଦିଲ୍ଲୀରୁ ସର୍ବାଧିକ ନକଲି ନୋଟ ଜବତ ହୋଇଛି: ଏନ୍‌ସିଆର୍‌ବି

ନୂଆଦିଲ୍ଲୀ: ନ୍ୟାସ୍‌ନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଗୁରୁବାର ନକଲି ନୋଟ ଜବତ ନେଇ ଏକ ବାର୍ଷିକ ରିପୋର୍ଟ ଜାରି କରିଛନ୍ତି। ରିପୋର୍ଟ ଅନୁଯାୟୀ ସର୍ବମୋଟ ୨,୮୧,୮୩୯ ନକଲି ନୋଟ ଜବତ ହୋଇଛି। ଯାହାର ମୂଲ୍ୟ ୧୫,୯୨,୫୦,୧୮୧ ଟଙ୍କା ରହିଛି।

ଫେକ୍‌ ଇଣ୍ଡିଆ କରେନ୍ସି ନୋଟ (ଏଫ୍‌ଆଇସିଏନ୍‌) ତାଲିକା ଜରିଆରେ, ୨୦୧୬ରେ ପ୍ରଥମଥର ପାଇଁ ଏହି ତାଲିକା ଜାରି କରାଯାଇଛି। ଗତବର୍ଷ କେନ୍ଦ୍ରସରକାର ବିମୁଦ୍ରାୟନର ଘୋଷଣା କରିବା ପରେ ୮୬ ପ୍ରତିଶତ ନୋଟ ବେଆଇନ୍‌ ଭାବେ ପ୍ରଦାନ କରାଯାଇଥିଲା।

ଗତବର୍ଷ ରାଜ୍ୟ /ୟୁଟି ପୁଲିସ, ଯାଞ୍ଚ ଏଜେନ୍ସି, ଗୁଇନ୍ଦା ବିଭାଗ, ସିଆର୍‌ଫିଏଫ୍‌, ଆର୍‌ବିଆଇ, ସାର୍ବଜନିକ କ୍ଷେତ୍ର, ଘରୋଇ କ୍ଷେତ୍ର ଓ ବିଦେଶ ବ୍ୟାଙ୍କ ନକଲି ନୋଟକୁ ଜବତ କରିବା ଅଭିଯାନରେ ସାମିଲ ଥିଲେ। ଜବତ ହୋଇଥିବା ସମସ୍ତ ନକଲି ନୋଟକୁ ନେଇ ଜାତୀୟସ୍ତରର ଏକ ଡାଟାବେସ୍‌ ଏନ୍‌ସିଆର୍‌ବି ଦ୍ୱାରା ପ୍ରସ୍ତୁତ କରାଯାଇଥିଲା।

ଏହି ରିପୋର୍ଟ ଅନୁଯାୟୀ, ୨୦୧୬ରେ ଦିଲ୍ଲୀରୁ ସର୍ବାଧିକ ୧,୧୪,୭୫୧ ନକଲି ନୋଟ ଜବତ କରାଯାଇଥିଲା। ଯାହାର ମୂଲ୍ୟ ୫,୬୫,୨୧,୪୬୦ ଟଙ୍କା ଥିଲା। ସେହିପରି ଗୁଜୁରାଟରୁ ୩୯,୭୨୫ଟି ନକଲି ନୋଟ (ମୂଲ୍ୟ-୨,୩୭,୨୪,୦୫୦ ), ପଶ୍ଚିମବଙ୍ଗରୁ ୩୨,୮୬୯ଟି ନକଲି ନୋଟ(ମୂଲ୍ୟ-୨,୩୯,୯୫,୮୦୦) ଜବତ ହୋଇ ଥିଲା।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୮ ତାରିଖରେ କେନ୍ଦ୍ରସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିବା ପାଇଁ ପୁରୁଣା ୫୦୦ ଓ ୧୦୦୦ ନୋଟ ପ୍ରଚଳନକୁ ବନ୍ଦ କରି ଦେଇଥିଲେ। ଏହାପରେ ପୁରୁଣା ୫୦୦ ଓ ୧୦୦୦ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା। ଏହି ଟଙ୍କାକୁ ବ୍ୟାଙ୍କ୍‌ରେ ଜମା କରିବାକୁ ସରକାର କହିଥିଲେ। ପୁରୁଣା ୫୦୦ ଓ ୧୦୦୦ ଟଙ୍କା ଜମା କରିବା ସମୟରେ ଆୟକର ବିଭାଗ ସମସ୍ତ ଟଙ୍କାକୁ ଯାଞ୍ଚ କରି ନକଲି ନୋଟକୁ ଜବତ କରିଥିଲା।

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ବାର୍ଷିକ ୨୦୧୬-୧୭ ରିପୋର୍ଟ ଅନୁଯାୟୀ, ୧୫.୨୮ଲକ୍ଷ କୋଟିର ନଷ୍ଟ ହୋଇଯାଇଥିବା ଟଙ୍କା ବ୍ୟାଙ୍କକୁ ଆସିଥିଲା। ୨୦୧୬ ନଭେମ୍ବର ୮ରେ ୧,୭୧୬,୫ କୋଟିର ୫୦୦ଟଙ୍କିଆ ନୋଟ ଓ ୬୮୫.୮ କୋଟିର ୧,୦୦୦ଟଙ୍କିଆ ନୋଟ ବଜାରରେ ଥିଲା। ଯାହାର ସର୍ବମୋଟ ମୂଲ୍ୟ ୧୫.୫୫ଲକ୍ଷ କୋଟି ଟଙ୍କା ଥିଲା।

ସମ୍ବନ୍ଧିତ ଖବର