ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା, ଫାଲ୍‌କନ୍‌ ମରୋଇନ୍‌ର ୧ କୋଟି ଟଙ୍କା ଦାନ

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଦେଲା ୨୫ ଲକ୍ଷ

ଭୁବନେଶ୍ବର: ଫାଲ୍‌କନ୍ ମେରାଇନ୍ ଏକ୍ସପୋର୍ଟସ୍‌ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି। କଂପାନିର ନିର୍ଦେଶକ ପାର୍ଥଜିତ ପଟ୍ଟନାୟକ ଓ ପ୍ରିୟଙ୍କା ମହାନ୍ତି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି। ଏହି ଅର୍ଥରାଶି ବାତ୍ୟା ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ଏବଂ ପୁନର୍ବାସ କ୍ଷେତ୍ରରେ ବିନିଯୋଗ ହେବ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା ଦ୍ବାରା ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇଥିବା ବେଳେ ଲୋକମାନେ ଦୁର୍ଦ୍ଦଶାରେ ଜୀବନଯାପନ କରୁଛନ୍ତି। ଏହି ଦୁଃଖ ସମୟରେ ସାରା ଓଡ଼ିଶା ଏକଜୁଟ ହୋଇଛି ଏବଂ ବାତ୍ୟା ପ୍ରଭାବିତ ଅଞ୍ଚଳରେ ସ୍ବାଭବିକ ସ୍ଥିତି ଫେରାଇ ଆଣିବାକୁ ସମସ୍ତେ ଉଦ୍ୟମ କରୁଛନ୍ତି। ଆମ ଉଦ୍ୟମରେ ଆମେ ଏଥିପାଇଁ ଆଜି ସହାୟତା ରାଶି ପ୍ରଦାନ କରିଛୁ ବୋଲି ସେ କହିଛନ୍ତି।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛି। ବ୍ୟାଙ୍କର ଏମ୍‌ଡି ଓ ସିଇଓ ଦୀନବନ୍ଧୁ ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏସଂକ୍ରାନ୍ତ ଚେକ୍ ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ବ୍ୟାଙ୍କର ଏକ ଟିମ୍ ପକ୍ଷରୁ ଭୁବନେଶ୍ବରର ସାଲିଆ ସାହି, କୋଣାର୍କର ବୀର ହରେକୃଷ୍ଣପୁର, ବେଲେଶ୍ବରପାଟଣା ଏବଂ ବାଲୁଖଣ୍ଡ ଗ୍ରାମରେ ପ୍ରାୟ ୧୦ ହଜାର ଖାଦ୍ୟପୁଡ଼ିଆ, କ୍ଷୀର ପାଉଡର ଓ ପାଣିବୋତଲ ବଣ୍ଟନ କରିଛନ୍ତି। ଏହି ବ୍ୟତୀତ ଏସୁବ ସାମଗ୍ରୀ ଥିବା ଏକ ଟ୍ରକ୍‌କୁ ପୁରୀ ଜିଲ୍ଲାପାଳକୁ ବ୍ୟାଙ୍କ ପକ୍ଷରୁ ହସ୍ତାନ୍ତର କରାଯାଇଛି। ଶ୍ରୀ ମହାପାତ୍ରଙ୍କ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ ପ୍ରବନ୍ଧକ ୱାଇ ଏନ୍ ଦ୍ବିଦେବୀ, ମହାପ୍ରବନ୍ଧକ ଅଭିଜିତ ବୋଷ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର