ଭାରତର ସବୁଠାରୁ ବଡ ଧନୀ ଗୌତମ ଆଦାନୀଙ୍କ ପରିବାରରେ କେଉଁମାନେ ଅଛନ୍ତି ଜାଣନ୍ତି କି?

ମୁମ୍ବାଇ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ବାବଦରେ ଅଳ୍ପବହୁତେ ଜାଣିଥିବେ | ସେ କଣ ସବୁ ବ୍ୟବସାୟ କରନ୍ତି ସେ ବାବଦରେ ମଧ୍ୟ ସମ୍ୟକ ତଥ୍ୟ ଆପଣଙ୍କ ପାଖରେ ଥିବ | ତେବେ କିଛିଦିନ ତଳେ ସେ ଭାରତରେ ସିମେଣ୍ଟ ବ୍ୟବସାୟ ପରିଚାଳନା କରିବାର ଦାୟିତ୍ୱ ତାଙ୍କ ବଡ଼ ପୁଅ କରଣ ଆଦାନୀଙ୍କୁ ଦେଇଛନ୍ତି। ନିକଟରେ ଆମ୍ବୁଜା ସିମେଣ୍ଟ ଏବଂ ଏସିସି ସିମେଣ୍ଟ ଅଧିଗ୍ରହଣ ପରେ ଗୌତମ ଆଦାନୀ ସିମେଣ୍ଟ ବ୍ୟବସାୟରେ ପ୍ରବେଶ କରିଛନ୍ତି। ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାର ସବୁବେଳେ ଗଣମାଧ୍ୟମରେ ନଜର ଆସୁଥିବାବେଳେ ଗୌତମ ଆଦାନୀଙ୍କ ପରିବାର ବିଷୟରେ ଖୁବ୍ କମ୍ ଲୋକ ଜାଣିଛନ୍ତି | ତେବେ ଆଜି ଆମେ ଆପଣଙ୍କୁ ତାଙ୍କ ପରିବାର ବାବଦରେ ବିସ୍ତୃତ ସୂଚନା ଦେବୁ | ଗୌତମ ଆଦାନୀ ୨୪ ଜୁନ୍ ୧୯୬୨ରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଏବଂ ଏହା ପରେ ସେ ଅହମ୍ମଦାବାଦର ସେଠ ଚିମାନଲାଲ୍ ନାଗୀନଦାସ ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ। ଏହା ପରେ ସେ ଗୁଜୁରାଟ ବିଶ୍ୱବିଦ୍ୟାଳୟକୁ ବାଣିଜ୍ୟରେ ସ୍ନାତକ ପଢିବାକୁ ଯାଇଥିଲେ, କିନ୍ତୁ ସେ ଅଧାରୁ ପାଠପଢା ଛାଡିଦେଇଥିଲେ | ତାଙ୍କ ପିତା ଶାନ୍ତିଲାଲ ଆଦାନୀ ଜଣେ ଛୋଟ କପଡା ବ୍ୟବସାୟୀ ହୋଇଥିବାବେଳେ ମାତା ଶାନ୍ତା ବେନ ଜଣେ ଗୃହିଣୀ ଥିଲେ। ଗୌତମ ଆଦାନୀଙ୍କ ବ୍ୟତୀତ ତାଙ୍କ ପରିବାରରେ ୫ ଜଣ ଅଛନ୍ତି। ତାଙ୍କର ପତ୍ନୀ, ଦୁଇ ପୁଅ, ବୋହୂ ଏବଂ ନାତୁଣୀ ଅଛନ୍ତି | ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା |

ଗୌତମଙ୍କ ପତ୍ନୀ ପ୍ରୀତି ୧୯୬୫ ମସିହାରେ ମୁମ୍ବାଇର ଏକ ଗୁଜରାଟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ | ସେ ଅହମ୍ମଦାବାଦ ସରକାରୀ ଡେଣ୍ଟାଲ କଲେଜରୁ ଡେଣ୍ଟାଲ ସର୍ଜରୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ଗୌତମ ଆଦାନୀଙ୍କ ପତ୍ନୀ ପ୍ରୀତି ଆଦାନୀ ବୃତ୍ତି ଅନୁଯାୟୀ ଜଣେ ଦନ୍ତ ଚିକିତ୍ସକ, କିନ୍ତୁ ସେ ଆଦାନୀ ଫାଉଣ୍ଡେସନର ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି । ସେ ଏହି ଫାଉଣ୍ଡେସନ ମାଧ୍ୟମରେ ସାମାଜିକ କାର୍ଯ୍ୟ କରନ୍ତି | ଗୌତମ ଆଦାନୀଙ୍କ ବଡ ପୁଅ କରଣ ଆଦାନୀ, ଆମେରିକାର ପର୍ଡୁ ୟୁନିଭରସିଟିରୁ ଅର୍ଥନୀତିରେ ସ୍ନାତକ ହାସଲ କରିଥିଲେ। ସେ ୭ ଏପ୍ରିଲ ୧୯୮୭ରେ ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ। ୨୦୦୯ରେ ସେ ଆଦାନୀ ପୋର୍ଟସ୍ ଏବଂ ଏସଇଜେଡ଼ ଲିମିଟେଡରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୬ରେ ସେ କମ୍ପାନିର ସିଇଓ ହୋଇଥିଲେ | ସେ ଆଦାନୀ ବିମାନବନ୍ଦର ହୋଲ୍ଡିଂ ଲିମିଟେଡର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି। ଗୌତମ ଆଦାନୀଙ୍କ ସାନ ପୁଅଙ୍କର ନାମ ଜିତ ଆଦାନୀ ହୋଇଥିବାବେଳେ ସେ ୭ ନଭେମ୍ବର ୧୯୯୭ ରେ ଜନ୍ମ ହୋଇଥିଲେ।

ବଡ ଭାଇ କରଣଙ୍କ ପରି ସେ ମଧ୍ୟ ବିଦେଶରେ ଅଧ୍ୟୟନ କରିଛନ୍ତି। ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିବା ପରେ ୨୦୧୯ରେ ଭାରତ ଫେରିଥିଲେ ଏବଂ କମ୍ପାନିର ଦାୟିତ୍ୱ ଗ୍ରହଣ କରିଥିଲେ। କରଣଙ୍କ ପତ୍ନୀ ତଥା ଗୌତମଙ୍କ ବୋହୂ ପରିଧି ଆଦାନୀ ୨୦୧୩ରେ ବିବାହ କରିଥିଲେ | ପରିଧିଙ୍କ ବାପା ଭାରତର ଜଣେ ଜଣାଶୁଣା କର୍ପୋରେଟ ଆଇନର ଓକିଲ ହୋଇଥିବାବେଳେ ପରିଧି ମଧ୍ୟ ବୃତ୍ତି ଅନୁଯାୟୀ ଜଣେ ଓକିଲ | ପରିଧି ମୁମ୍ବାଇର ସରକାରୀ ଆଇନ କଲେଜରୁ ଏଲଏଲବି କରିଛନ୍ତି। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ବି.କମ୍ ମଧ୍ୟ କରିଛନ୍ତି। ଜୁଲାଇ ୨୦୧୬ରେ କରଣ ଏବଂ ପରିଧିଙ୍କର ଏକ ଝିଅ ଜନ୍ମ ହୋଇଥିଲା | ଗୌତମ ଯାହାର ନାମ ଅନୁରାଧା ଆଦାନୀ ରଖିଛନ୍ତି |

ସମ୍ବନ୍ଧିତ ଖବର