ବିମୁଦ୍ରୀକରଣକୁ ଟପିଗଲା ଯନ୍ତ୍ରଣା: ଲିଙ୍କ୍‌ ରହୁନି, ଟଙ୍କା ଉଠାଇ ହେଉନି

ଅନେକ ଏଟିଏମ୍‌ରେ ସଟର୍‌ ପଡ଼ିଛି, ଖୋଲା ଥିବା ଏଟିଏମ୍‌ରୁ ଟଙ୍କା ସରିଯାଉଛି

ଭୁ‌ବନେଶ୍ବର: ଅଶୋକ ସାହୁ। ବୟସ ୬୦ ବର୍ଷରୁ ଅଧିକ ହେବ। ସିଆର୍‌ପି ଛକରେ ଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏଟିଏମ୍ କାଉଣ୍ଟର୍‌ ସାମ୍ନାରେ ଲାଗିଥିବା ଲମ୍ବା ଲାଇନ୍‌ରେ ଟଙ୍କା ଉଠାଇବାକୁ ଠିଆ ହୋଇରହିଥିଲେ। ପୂର୍ବରୁ ସେ ଦୁଇ ତିନିଟି ଏଟିଏମ୍‌କୁ ଯାଇଥିଲେ କିନ୍ତୁ ସେଥିରେ ସଟର୍‌ ପଡ଼ିଥିଲା। ତେଣୁ ନିରାଶ ହୋଇ ଏହି ଏଟିଏମ୍‌କୁ ଆସିଥିଲେ। ତାଙ୍କ ସାମ୍ନାରେ ୭-୮ ଜଣ ବ୍ୟକ୍ତି ଟଙ୍କା ଉଠାଇବାକୁ ଠିଆ ହୋଇଥିଲେ। ସେହି କାଉଣ୍ଟର୍‌ରେ ଚାରିରୁ ଅଧିକ ଏଟିଏମ୍ ଓ ଡିପୋଜିଟ୍‌ ମେସିନ୍ ଥିଲା। କିନ୍ତୁ ଗୋଟିଏ ଏଟିଏମ୍‌ରୁ ହିଁ ଟଙ୍କା ଉଠାଇ ହେଉଥିଲା। ତିନି ଚାରି ଜଣ ବ୍ୟକ୍ତି ଟଙ୍କା ଉଠାଇବା ପରେ ଏଟିଏମ୍‌ରୁ ଟଙ୍କା ସରିଯାଇଥିଲା। ଏହା ଜାଣିବା ପରେ ଅଶୋକ ଚିନ୍ତିତ ହୋଇପଡ଼ିଥିଲେ। ଉପର ମହଲା‌ରେ ଥିବା ଷ୍ଟେଟ୍‌ ବ୍ୟାଙ୍କର ପ୍ରିୟଦର୍ଶିନୀ ମାର୍କେଟ ଶାଖାରୁ ଏଟିଏମ୍‌ କାର୍ଡରେ ଟଙ୍କା ଉଠାଇ ହେଉଛି ବୋଲି ଏଟିଏମ୍‌କୁ ଜଗିଥିବା ଗାର୍ଡ ଜଣକ କହିଥିଲେ। ଏବେ ଟଙ୍କା ମିଳିଯିବ ବୋଲି ଅଶୋକଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। ଆଉ କିଛି ଲୋକଙ୍କ ଭଳି ସେ ମଧ୍ୟ ବ୍ୟାଙ୍କ ଶାଖାରେ ପ୍ରବେଶ କରିଥିଲେ। ସେଠାରେ ଦୁଇ ଜଣ କର୍ମଚାରୀଙ୍କ ପାଖରେ ପିଓଏସ୍‌ ମେସିନ୍‌ ଥିଲା। ସେହି ମେସିନ୍‌ରେ ଏଟିଏମ୍ କାର୍ଡକୁ ସ୍ବାଇପ୍ କରି ‌ଯାହାର ‌ଯେତିକି ଟଙ୍କା ଉଠାଇବାର ଅଛି ସେହି ତଥ୍ୟ ଦାଖଲ କରି ଏକ ସ୍ଲିପ୍ ଆଣିବାକୁ ପଡ଼ୁଥିଲା। ସେ କାମ କରି କ୍ୟାସ୍‌ କାଉଣ୍ଟର୍‌ ନିକଟକୁ ଯିବାକୁ ପଡ଼ିଲା। ‌କ୍ୟାସ୍‌ କାଉଣ୍ଟର୍‌ରେ ବସିଥିବା କର୍ମଚାରୀ ଜଣକ ଲୋକଙ୍କୁ ଟଙ୍କା ଦେବାକୁ ଚାହିବସିଥିଲେ ମଧ୍ୟ କିଛି କରିପାରୁନଥିଲେ। କାରଣ ବ୍ୟାଙ୍କରେ ଲିଙ୍କ୍‌ ନଥିଲା। ସେଥିପାଇଁ ଟଙ୍କା ଦେବା ସମ୍ଭବପର ହୋଇନଥିଲା। ଅଶୋକଙ୍କୁ ନିରାଶ ହୋଇ ସେଠାରୁ ଫେରିବାକୁ ପଡ଼ିଥିଲା। ବ୍ୟାଙ୍କ ଶାଖାରୁ ଫେରିବା ବେଳେ ‌ଅଶୋକ ଅନ୍ୟ କିଛି ଲୋକଙ୍କୁ କହୁଥିଲେ ଏ ଯନ୍ତ୍ରଣା ବିମୁଦ୍ରୀକରଣ ସମୟର ଯନ୍ତ୍ରଣାଠୁ ବଳିଗଲାଣି। ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆକୁ ଅଚଳ କରିଦେଇଥିଲେ। ଏହା ପରେ ଅଚଳ ଟଙ୍କାକୁ ବ୍ୟାଙ୍କ ଶାଖାରେ ଜମା କରିବା ଏବଂ ଏଟିଏମ୍‌ରୁ ନୂଆ ଟଙ୍କା ଉଠାଇବା ପାଇଁ ଏଟିଏମ୍ ସାମ୍ନାରେ ଅନେକ ଦିନ ପର୍ଯ୍ୟନ୍ତ ଲୋକମାନଙ୍କୁ ଲମ୍ବା ଲାଇନ୍ ଲଗାଇବାକୁ ପଡ଼ୁଥିଲା। ବାତ୍ୟା ଫନିର ତାଣ୍ଡବ ସେହି ବିମୁଦ୍ରୀକରଣ ସମୟର ଯନ୍ତ୍ରଣାକୁ ପୁଣି ତାଜା କରିଦେଇଛି। ଏହା କେବଳ ଗୋଟିଏ ବ୍ୟାଙ୍କ ଶାଖାର ସ୍ଥିତି ନୁହେଁ। ପ୍ରାୟ ସବୁ ଅଞ୍ଚଳରେ ଲୋକମାନଙ୍କୁ ଟଙ୍କା ଉଠାଇବା ପାଇଁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି।

ଆଜି ସହରର ବିଭିନ୍ନ ସ୍ଥାନରେ ଥିବା ଏଟିଏମ୍‌ କାଉଣ୍ଟର୍‌ଗୁଡ଼ିକ ଉପରେ ନଜର ପକାଇବା ବେଳେ ଏକ ମିଶ୍ରିତ ଚିତ୍ର ସାମ୍ନାକୁ ଆସିଥିଲା। ଅନେକ ସ୍ଥାନରେ ଏଟିଏମ୍ କାଉଣ୍ଟର୍‌ଗୁଡ଼ିକରେ ସଟର୍‌ ପଡ଼ିଥିଲା। କିଛି ସ୍ଥାନରେ ଖୋଲାଥିବା ଏଟିଏମ୍‌ରୁ ଟଙ୍କା ବାହାରୁଥିଲା, କିନ୍ତୁ ସେଠାରେ ଲୋକ ଗହଳି ନଥିଲା। ଅନ୍ୟ କେତେକ ସ୍ଥାନରେ ଏଟିଏମ୍ ଖୋଲାଥିଲେ ମଧ୍ୟ ସେଥିରେ ଟଙ୍କା ନଥିବାରୁ ଲୋକମାନେ ନିରାଶ ହୋଇଫେରୁଥିଲେ। କେତେକ ଏଟିଏମ୍‌ ସ୍କ୍ରିନ୍‌ରେ ଏଟିଏମ୍ ଅଚଳ ଥିବାର ବାର୍ତା ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି ଯେ, ଭୁବନେଶ୍ବରେ ଥିବା ୭୦% ଶାଖାରେ ଲିଙ୍କ୍‌ ଆସିଗଲାଣି। ଆଉ ମାତ୍ର ୩୦% ଶାଖାରେ ଲିଙ୍କ୍ ନାହିଁ। ଖୁବ୍‌ଶୀଘ୍ର ଏହି ସବୁ ଶାଖାରେ ଲିଙ୍କ୍‌ ଆସିଯିବ। ଆସନ୍ତା ୧୫ ତାରିଖ ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇଯିବ। ସହରରେ ଥିବା ୭୦%ରୁ ଅଧିକ ଶାଖା ଓ ଏଟିଏମ୍ କାର୍ଯ୍ୟକ୍ଷମ ଥିବା ସେ ଦାବି କରିଛନ୍ତି। ବିଏସ୍‌ଏନ୍‌ଏଲ୍‌, ଜିଓ ଓ ଏୟାରଟେଲ୍‌ ଦ୍ବାରା ପ୍ରତି ଶାଖାକୁ ଦୁଇଟି ଲେଖାଏଁ ଲିଙ୍କ୍‌ ପ୍ରଦାନ କରାଯାଇଛି। ଏହା ସତ୍ତ୍ବେ ସାଧାରଣ ଲୋକମାନେ ଟଙ୍କା ଉଠାଇବାକୁ ଅସୁବିଧା ଭୋଗିବା ଚିନ୍ତାର ବିଷୟ ପାଲଟିଛି।

ଏଟିଏମ୍‌ରେ ଦେଖାଦେଇଥିବା ସମସ୍ୟାର କାରଣ ବିଷୟରେ ଅନ୍ୟ ଏକ ସରକାରୀ ବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି ଯେ, କିଛି ଏଟିଏମ୍‌ରେ ଶାଖା ଦ୍ବାରା ଟଙ୍କା ଭର୍ତି କରାଯାଉଛି। ସେହି ଏଟିଏମ୍‌ଗୁଡ଼ିକ ଠିକ୍‌ଠାକ୍ ଚାଲିଛି। ଯେଉଁ ଏଟିଏମ୍‌ଗୁଡ଼ିକରେ ଆଉଟ୍‌ସୋର୍ସିଂ ସଂସ୍ଥା ଦ୍ବାରା ଟଙ୍କା ଭର୍ତି କରାଯାଉଛି, ସେଗୁଡ଼ିକରେ ଅସୁବିଧା ଦେଖାଦେଉଛି। ସେହି ସଂସ୍ଥାଗୁଡ଼ିକରେ ଶ୍ରମ ଶକ୍ତିର ଅଭାବ ରହିଛି। ସେମାନଙ୍କୁ କରେନ୍ସି ଚେଷ୍ଟ୍‌ରୁ ଟଙ୍କା ଆଣି ଏଟିଏମ୍‌ରେ ଭର୍ତି କରିବାକୁ ପଡ଼ୁଛି। ସବୁ କିଛିର ହିସାବ ହେବା ପରେ ସେମାନେ ଟଙ୍କା ଆଣୁଛନ୍ତି। ଇଣ୍ଟରନେଟ୍ ସେବା ଓ ଲିଙ୍କ୍‌ର ଅଭାବ ଯୋଗୁ ସେମାନେ ଠିକ୍ ଭାବେ କାମ କରିପାରୁନାହାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର