ଭୁବନେଶ୍ବର: ଗୁଜରାଟର ଅଗ୍ରଣୀ କମ୍ପାନି ଫଣିଧର ଗ୍ରୁପ୍ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ କରାଯାଇଥିବା ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ରେ ବହୁ ନିବେଶକ ପୁଞ୍ଜିନିବେଶ କରିବା ପ୍ରତିଶ୍ରୁତି ଦେଇଥିବା ବେଳେ ସେଥିରେ ଫଣିଧର ଗ୍ରୁପ୍ ନାମ ଯୋଡ଼ିହୋଇଛି। କମ୍ପାନି ଓଡ଼ିଶାରେ ଶୀତଳ ଭଣ୍ଡାର କରିବା ସହିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରିବା ନେଇ ଆଗ୍ରହ ଦେଖାଇଛି। ଫଣିଧର ଗ୍ରୁପ୍ର ଅଧ୍ୟକ୍ଷ କୃଣାଳ ପଟେଲ ଓ ସଭପତି ଡ. ବିଭୁ ପ୍ରସାଦ ସ୍ୱାଇଁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଓ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତକରି ଏହି ବିଷୟରେ ଆଲୋଚନା କରିଥିଲେ।
କୃଷିଭିତ୍ତିକ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ନିବେଶକ ଅନୁକୂଳ ନୀତି ନିର୍ଦ୍ଧାରିତ କରିଛନ୍ତିl ଏତଦ୍ବ୍ୟତୀତ ବିଭିନ୍ନ ଯୋଜନା ମାଧ୍ୟମରେ ସବ୍ସିଡ଼ି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କମ୍ପାନିକୁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅନ୍ତର୍ଗତ ଦିଆ ଯାଉଥିବା ସୁବିଧାର ଲାଭ ମଧ୍ୟ ଏହି କମ୍ପାନି ପାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ। ଫଣିଧର ଗ୍ରୁପ ଗୁଜୁରାଟର ଏକ ଅଗ୍ରଣୀ କୃଷି ଉଦ୍ୟୋଗ l ଗୁଜୁରାଟର ମେହେସାନାରେ ଏହାର ଏକ ମେଗା ଫୁଡ୍ ପାର୍କ ରହିଛି। ସେହିଭଳି ଏକ ମେଗା ଫୁଡ଼ ପାର୍କ ପରବର୍ତ୍ତୀ ସମୟରେ ଓଡ଼ିଶାରେ ମଧ୍ୟ ଖୋଲିବା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ଆଗରେ କମ୍ପାନିର ଅଧିକାରୀ ଇଚ୍ଛାପ୍ରକାଶ କରିଛନ୍ତି l ଏହି ଅବସରରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ସହ କମ୍ପାନି ଅଧିକାରୀମାନେ ବିଭିନ୍ନ ଯୋଜନା ଓ ପ୍ରଣାଳୀ ବାବଦରେ ଆଲୋଚନା କରିଥିଲେ। ଏହି ଅବସରରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ୍ ପୱନ କଲ୍ୟାଣ ଉପସ୍ଥିତ ଥିଲେ।
ଜୁପିଟର ଇଣ୍ଟରନ୍ୟାସନାଲ୍ ୨୦୦୫ କୋଟି ନିବେଶ କରିବ
ଭୁବନେଶ୍ବର: ଫଟୋଭୋଲ୍ଟାଇକ୍ ସୋଲାର୍ ସେଲ୍ ନିର୍ମାଣ କରୁଥିବା ଜୁପିଟର ଇଣ୍ଟରନ୍ୟାସନାଲ୍ ଖୋର୍ଦ୍ଧାରେ ଏକ ଫଟୋଭୋଲ୍ଟାଇକ୍ ସୋଲାର ସେଲ୍, ମଡ୍ୟୁଲ୍ ଉତ୍ପାଦନ କାରଖାନା ସ୍ଥାପନ କରିବ। କମ୍ପାନି ଏହାର ସହାୟକ ସଂସ୍ଥା ଜୁପିଟର ରିନୁଏବଲ୍ସ ଜରିଆରେ ଏହି ପ୍ରକଳ୍ପ ବସାଇବ। ସେଥିରେ ୨୦୦୫ କୋଟି ଟଙ୍କା ନିବେଶ କରିବ। କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୪.୨ ଗିଗାୱାଟ୍ର ସୋଲାର୍ ସେଲ୍ ଓ ୩.୬ ଗିଗାୱାଟ୍ର ମଡ୍ୟୁଲ୍ ରହିବ। ଏହି ପ୍ରକଳ୍ପକୁ ନେଇ ଜୁପିଟର ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଏହି ଅବସରରେ ଜୁପିଟର ଇଣ୍ଟରନ୍ୟାସନାଲ୍ର ପରିଚାଳନା ନିର୍ଦେଶକ ଆଲୋକ ଗାରୋଡିଆ କହିଛନ୍ତି ଯେ ଆମ ପାଇଁ ଏହି ନିବେଶ ଏକ ମାଇଲଖୁଣ୍ଟ। ଆମେ ଆସନ୍ତା ତିନି ବର୍ଷରେ ୩ ଗିଗାୱାଟ୍ର ୱାଫର୍, ୯.୪ ଗିଗାୱାଟ୍ର ସୋଲାର୍ ସେଲ୍ ଓ ୬ ଗିଗାୱାଟ୍ର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ହାସଲ କରିବାକୁ ଲକ୍ଷ୍ୟ ରଖିଛୁ।