ଏଫ୍‌ଏଓ ରିପୋର୍ଟ: ଦରବୃଦ୍ଧିରେ ଚାଷୀ, ଗ୍ରାହକ ବେହାଲ୍‌

ସାର, ତେଲ ଦାମ୍ ଚାଷୀଙ୍କୁ ବାଧୁଛି, ଅଧିକ ଗଣିଲେ ବି କମ୍ ଖାଦ୍ୟ ସାମଗ୍ରୀ ମିଳୁଛି

ନୂଆଦିଲ୍ଲୀ: ସାରା ବିଶ୍ବରେ ଦରଦାମ୍‌ରେ ଯେଉଁ ବୃଦ୍ଧି ହୋଇଛି ତାହା ଉଭୟ ଚାଷୀ ଓ ଗ୍ରାହକମାନଙ୍କୁ ଗୁରୁତର ଭାବେ ପ୍ରଭାବିତ କରିଛି। ଦାମ୍ ଅଧିକ ରହୁଥିବାରୁ ଗ୍ରାହକମାନେ ବହୁ ସାମଗ୍ରୀ କିଣିପାରୁନାହାନ୍ତି। ଅନ୍ୟ ପକ୍ଷରେ ସାର ଓ ଇନ୍ଧନ ମହଙ୍ଗା ହୋଇଥିବାରୁ ଚାଷୀମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଜାତିସଂଘର ସଂସ୍ଥା ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ) ପ୍ରତି ଦୁଇ ବର୍ଷରେ ଥରେ ଜାରି କରୁଥିବା ରିପୋର୍ଟରେ ଏହା ଜଣାଇଛି। ଚଳିତ ବର୍ଷ ଖାଦ୍ୟ ଆମଦାନି ରେକର୍ଡ ସ୍ତରରେ ପହଞ୍ଚିବ ଓ ଖାଦ୍ୟ ବଜାର ଆହୁରି ଜଟିଳ ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଏଫ୍‌ଏଓର ଖାଦ୍ୟ ଆକଳନ ରିପୋର୍ଟ ଅନୁଯାୟୀ, ବହୁ ସମ୍ବେଦନଶୀଳ ଦେଶ ଅଧିକ ମୂଲ୍ୟ ଗଣୁଥିଲେ ମଧ୍ୟ ପ୍ରତିବଦଳରେ କମ୍ ଖାଦ୍ୟସାମଗ୍ରୀ ପାଉଛନ୍ତି। ଦରଦାମ୍ ଅଧିକ ଥିବାରୁ ବିକାଶଶୀଳ ଦେଶଗୁଡ଼ିକ ସିରିଏଲ୍‌, ତୈଳବୀଜ ଓ ମାଂସ ଆମଦାନି ହ୍ରାସ କରିଛନ୍ତି। ବର୍ତ୍ତମାନର ଉଚ୍ଚ ଦରରେ ଏହି ସବୁ ସାମଗ୍ରୀଗୁଡ଼ିକୁ କିଣିବାର ସେମାନଙ୍କ କ୍ଷମତା ହ୍ରାସ ପାଇଛି। ୟୁକ୍ରେନ୍ ଉପରେ ରୁଷ୍‌ ଆକ୍ରମଣ କରିବା ପରେ ଦରଦାମ୍ ବହୁତ ବଢ଼ିଥିବା ବେଳେ ପାଣିପାଗ ଓ ବଜାର ସ୍ଥିତିକୁ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଖାଦ୍ୟଶସ୍ୟ ଉତ୍ପାଦନ କରୁଥିବା ଦେଶରୁ ତାହା ବିଦେଶକୁ ରପ୍ତାନି ହୋଇନପାରି ପଡ଼ିରହିଛି। ୟୁକ୍ରେନ୍‌ରେ ଆଉ କିଛି ସପ୍ତାହ ପରେ ଶସ୍ୟ ଅମଳ ହେବ। କିନ୍ତୁ ଯୁଦ୍ଧ ଶେଷ ହୋଇନଥିବାରୁ ଏହି ଦେଶ ଉପରେ ନିର୍ଭରଶୀଳ ଆଫ୍ରିକୀୟ ଓ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକର ସ୍ଥିତି ଆହୁରି ଖରାପ ହେବ ବୋଲି ଏଫ୍‌ଏଓ ଏହାର ରିପୋର୍ଟରେ ଆକଳନ କରିଛି।

ଚାଷ କ୍ଷେତ୍ର ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ସାର ଓ ତେଲ ଭଳି ପ୍ରମୁଖ ଉପାଦାନ ଦାମ୍ ଅଧିକ ରହିଥିବାରୁ ଚାଷରେ ଖର୍ଚ୍ଚ ବଢ଼ିବ। ଫଳରେ ଅମଳ ହେବାକୁ ଥିବା ସାମଗ୍ରୀ ମହଙ୍ଗା ହେବ। ରୁଷ ଓ ବେଲାରୁଷ ଅଧିକ ସାର ରପ୍ତାନି କରିଥାନ୍ତି। ୟୁକ୍ରେନ୍ ସହ ଯୁଦ୍ଧ ଯୋଗୁଁ ରୁଷ୍‌ ଉପରେ ଲଗାଯାଇଥିବା କଟକଣା ଏହି ଦେଶରୁ ରପ୍ତାନିକୁ ଜଟିଳ କରିଛି। ସାର ଦାମ୍ ଅଧିକ ହେବାରୁ ଉତ୍ତର ଆମେରିକାର କିଛି ଚାଷୀ ମକା ବଦଳରେ ସୋୟାବିନ ଚାଷ କରିବାକୁ ପସନ୍ଦ କରିଛନ୍ତି କାରଣ ସୋୟା ଚାଷରେ କମ୍ ନାଇଟ୍ରୋଜେନ୍ ସାର ବ୍ୟବହାର ହୋଇଥାଏ। ଦରବୃଦ୍ଧି କାହା ପାଇଁ ବି ଲାଭଦାୟକ ହେବ ନାହିଁ। ଗ୍ରାହକମାନେ ଅଧିକ ଦାମ୍‌ ଗଣି‌ଲେ ମଧ୍ୟ ଚାଷୀଙ୍କୁ ସେହି ଲାଭ ମିଳିବ ନାହିଁ। କାରଣ ଚାଷରେ ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ରିଟର୍ଣ୍ଣ ସେହି ଅନୁପାତରେ କମିଯିବ।

ସମ୍ବନ୍ଧିତ ଖବର