ଚାଷୀଙ୍କ ବଜେଟ୍‌ ପ୍ରସ୍ତାବ, ଡିଜେଲ୍‌ରୁ ଟିକସ କମାଅ

ରାଜ୍ୟକୁ ବଜେଟ୍‌ ପସ୍ତାବ ଦେଇପାରିବେ ସାଧାରଣ ଜନତା, ଇ‌-ମେଲ୍‌ରେ ପଠାଇପାରିବେ, ହ୍ବାଟସ୍‌ଆପ୍ କରିପାରିବେ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବ‌ର୍ଷର ବଜେଟ୍ ତିଆରି କରିବା ଲାଗି ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହ ଆଲୋଚନା କରୁଥିବା ‌ବେଳେ ଆଜି ଚାଷୀ ଓ କୃଷି କ୍ଷେତ୍ରର ଅଂଶୀଦାରଙ୍କ ସହ କଥା ହୋଇଛନ୍ତି। ଏହି ଅବସରରେ ଭାରତ କୃଷକ ସମାଜ ପକ୍ଷରୁ ୟୁରିଆ ସାର ଦାମ୍ ବଢ଼ାଇ ଫସଫେଟିକ୍ ଓ ପୋଟାସିକ୍‌ ପୋଷକ ତତ୍ତ୍ବର ଦାମ୍ କମ୍ କରିବାକୁ ପ୍ରସ୍ତାବ ଦିଆଯାଇଛି। ଡିଜେଲ ଉପରୁ ଟିକସ କମ୍ କରିବା, ଫଳ ଓ ପନିପରିବା ପରିବହନ ସବ୍‌ସିଡି କମ୍‌ କରିବାକୁ ମଧ୍ୟ କୃଷକ ସମାଜର ଅଧ୍ୟକ୍ଷ ଅଜୟ ବୀର ଜାଖଡ଼ ଦାବି କରିଛନ୍ତି। ସ୍ବାସ୍ଥ୍ୟ ପ୍ରତି ହାନିକାରକ ଭୋଜନ ଉପରେ ଟିକସ ଲାଗୁ କରିବାକୁ ସେ ଅର୍ଥମନ୍ତ୍ରୀଙ୍କୁ କହିଛନ୍ତି। ଲଘୁ ଜଳସେଚନରେ ତିନି ଗୁଣା ନିବେଶ କରିବା, ଚାଷୀଙ୍କୁ ସୌରଚାଳିତ ପମ୍ପ ଦେବା ଏବଂ ମାଟିର ଆର୍ଦ୍ରତା ମାପିବା ଲାଗି ସେନ୍‌ସର୍‌ ଯୋଗାଇ ଦେବା ଲାଗି କୃଷକ ସମାଜ ତରଫରୁ ଦାବି କରାଯାଇଛି।

ବୈଠକରେ ନ୍ୟାସନାଲ୍‌ କୋ-ଅପରେଟିଭ୍ ୟୁନିୟନ୍ ଅଫ୍‌ ଇଣ୍ଡିଆ (ଏନ୍‌ସିୟୁଆଇ), ପଞ୍ଜାବ ଏଗ୍ରିକଲଚର୍‌ ୟୁନିଭର୍ସିଟି, ଇଣ୍ଟରନ୍ୟାସନାଲ୍ ଫୁଡ୍ ପଲିସି ରିସର୍ଚ ଇନଷ୍ଟିଚ୍ୟୁଟ୍‌ ଭଳି ସଂସ୍ଥାର ପ୍ରତିନିଧି ଭାଗ ନେଇଥିଲେ। ମଦକୁ ଜିଏସ୍‌ଟିରେ ସାମିଲ କରିବା, ଡିଜେଲ୍‌ରୁ ଟିକସ କମ୍‌ କରିବା ଭଳି ୧୫ଟି ପ୍ରସ୍ତାବ ଆଜି ଅର୍ଥମନ୍ତ୍ରୀଙ୍କୁ ଦିଆଯାଇଛି। କେନ୍ଦ୍ର ସରକାର ୟୁରିଆ ଦାମ୍ ଧାର୍ଯ୍ୟ କରିଥାନ୍ତି। ୪୫ କେଜି ୟୁରିଆ ବ୍ୟାଗ୍‌ର ସର୍ବାଧିକ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି) ୨୪୨ ଟଙ୍କା ଓ ୫୦ କିଲୋ ୟୁରିଆ ବ୍ୟାଗ୍‌ର ଦାମ୍ ୨୬୮ ଟଙ୍କା ରହିଛି। ଯେହେତୁ ପଟାସିକ୍ ଓ ଫସଫେଟିକ୍ ତତ୍ତ୍ବର ମୂଲ୍ୟ ନିର୍ଧାରଣ ପ୍ରକ୍ରିୟା ସରକାରଙ୍କ ନିୟନ୍ତ୍ରଣରେ ନାହିଁ, ତେଣୁ କଂପାନିଗୁଡ଼ିକ ନିଜ ଆଡ଼ୁ ଦାମ୍ ଧାର୍ଯ୍ୟ କରୁଛନ୍ତି।

ଭୁବନେଶ୍ବର: ରାଜ୍ୟ ଅର୍ଥ ବିଭାଗ ତରଫରୁ ବଜେଟ୍‌କୁ ନେଇ ପୂର୍ବ ପ୍ରସ୍ତୁତି ଜାରି ରହିଛି। ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ଗ୍ରହଣ କରାଯାଉଛି। ବଜେଟ୍‌କୁ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିକ କରିବା ଲାଗି ଅର୍ଥ ବିଭାଗ ତରଫରୁ ଇ-ମେଲ୍, ହ୍ବାଟସ୍‌ଆପ୍ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମତାମତ ସଂଗ୍ରହ କରାଯାଉଛି। ଜନ ସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ବାନ କରାଯାଉଛି। ଏହା budget.odisha.gov.inରେ ଉପଲବ୍ଧ ହୋଇଛି। ଲୋକମାନେ ନିଜ ପ୍ରସ୍ତାବଗୁଡ଼ିକୁ ଇ-ମେଲ୍‌ ମାଧ୍ୟମରେ [email protected]ରେ ପଠାଇପାରି‌ବେ। ସେହିପରି ୯୪୩୮୧୬୧୧୧୧ ମୋବାଇଲ୍‌ ନମ୍ବରକୁ ହ୍ବାଟସ୍‌ଆପ୍ ମଧ୍ୟ କରିପାରିବେ। ଟ୍ବିଟରରେ @FdOdisha ଓ ଫେସବୁକ୍‌ରେ @financeOdisha ଦ୍ବାରା ମଧ୍ୟ ମତାମତ ପଠାଇହେବ। ଏହି ସୁବିଧା ଚଳିତ ମାସ ୨୨ରୁ ଆରମ୍ଭ ହୋଇ ୨୦୨୧ ଜାନୁଆରି ୨୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ। ସାଧାରଣ ଜନତା, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ଏହି ସବୁ ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ।

ସମ୍ବନ୍ଧିତ ଖବର