ଚାଷୀଙ୍କ ଆୟ ବଢ଼ିଛି, କିନ୍ତୁ ଯଥେଷ୍ଟ ନୁହେଁ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳ ଅର୍ଥନୀତି ସୁଧାର ପଥକୁ ଫେରୁଥିବାର ସଙ୍କେତ ମିଳୁଛି। ଅଧିକ ମୋଟରସାଇକଲ୍ ଓ ଟ୍ରାକ୍ଟର ବିକ୍ରି ଏହାର ପ୍ରମାଣ ଭାବେ ବିଚାର କରାଯାଉଛି। ଗ୍ରାମାଞ୍ଚଳର ଲୋକମାନଙ୍କ ପାଖରେ ଅଧିକ ନଗଦ ଟଙ୍କା ପହଞ୍ଚିଥିବାରୁ ଏହି ସୁଧାର ଘଟିଛି। ଉନ୍ନତ ମୌସୁମୀ ବର୍ଷା,‌ ରେକର୍ଡ ପରିମାଣର ଫସଲ ଉତ୍ପାଦନ ଓ ପ୍ରବାସୀ ଶ୍ରମିକ ଓ ଗରିବ ଲୋକଙ୍କ ପାଇଁ ସରକାର ଘୋଷଣା କରିଥିବା ‌ପ୍ୟାକେଜ୍ ପ୍ରଭାବରେ ଲୋକମାନଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚିଛି।

ଦେଶର ୧୩୦ କୋଟି ଜନସଂଖ୍ୟା ମଧ୍ୟରୁ ୭୦ ପ୍ରତିଶତ ଗ୍ରାମାଞ୍ଚଳରେ ବାସ କରୁଥିବା ବେଳେ ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଗ୍ରାମାଞ୍ଚଳର ଅବଦାନ ୫୦ ପ୍ରତିଶତ ଭଳି ସ୍ତରରେ ରହିଛି। ଗ୍ରାମାଞ୍ଚଳରେ ଚାଷୀଙ୍କ ଆୟରେ ବୃଦ୍ଧି ହୋଇଥିଲେ ମଧ୍ୟ ଅଣ ଚାଷୀ ବର୍ଗ ଏବେବି ଚିନ୍ତାରେ ରହିଛନ୍ତି। ନିଯୁକ୍ତି ହରାଇବାର ଭୟ ଥିବାରୁ ସେମା‌ନେ ଖର୍ଚ୍ଚ କରୁନାହାନ୍ତି। ଏସଂକ୍ରାନ୍ତରେ କେୟାର ରେଟିଙ୍ଗସ୍‌ର ମଦନ ସବନାଭିସ୍‌ କହିଛନ୍ତି, ଆୟ ବଢ଼ିଲେ ଯେ ସମେସ୍ତ କିଣାକିଣି ଓ ଖର୍ଚ୍ଚ କରିବେ ତାହା ଭାବିବା ଭୁଲ। ଆୟ ବଢ଼ିଲେ ସମସ୍ତଙ୍କ ଖର୍ଚ୍ଚ କରିବା କ୍ଷମତା ବଢ଼େ ନାହିଁ।
ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି ଯେ ଗହମ ଚାଷୀଙ୍କ ଆୟ ୯% ବୃଦ୍ଧି ହୋଇ ୧୬,୦୧୭ ଟଙ୍କାରେ ପହଞ୍ଚିଛି। ଦେଶର ୩୩.୪ ନିୟୁତ ହେକ୍ଟର ଜମିରେ ଗହମ ଚାଷ ହୋଇଥିଲା ଓ ୧୦୭ ନିୟୁତ ଟନ୍ ଗହମ ଅମଳ ହୋଇଛି। ଚାଷରେ ହେଉଥିବା ଖର୍ଚ୍ଚ ଯଦି ଗତବର୍ଷ ସ୍ତରରେ ରହିଥିବ ତେବେ ଚାଷୀଙ୍କ ଆୟରେ ୯% ବୃଦ୍ଧି ‌ହେବ। ମାତ୍ର ଦରଦାମ୍‌ରେ ହୋଇଥିବା ବୃଦ୍ଧି (ମୁଦ୍ରାସ୍ଫୀତି)କୁ ଯଦି ବିଚାରକୁ ନିଆଯିବ ତେବେ ଚାଷ କାର୍ଯ୍ୟରେ ଯନ୍ତ୍ରପାତିର ବ୍ୟବହାର କିମ୍ବା ଅର୍ଥନୀତିରେ ସୁଧାର ଆଣିବା ଭଳି ବ୍ୟୟ କରିବା ପାଇଁ ଚାଷୀଙ୍କ ପାଖରେ ଆବଶ୍ୟକ ପରିମାଣର ଟଙ୍କା ବଞ୍ଚୁନାହିଁ। ଦେଶର ମୋଟ ୧୪୦ ନିୟୁତ ହେକ୍ଟର ଚାଷ ଜମି ମଧ୍ୟରୁ ପ୍ରାୟ ୯୩ ନିୟୁତ ହେକ୍ଟର ଜମିର ଆକାର ଗୋଟିଏ ହେକ୍ଟରରୁ ମଧ୍ୟ କମ୍। ଗ୍ରାମାଞ୍ଚଳ ଲୋକମାନଙ୍କ ଚିନ୍ତା ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ପାଇଁ ମନରେଗା ଆବଣ୍ଟନକୁ ବଢ଼ାଇଛନ୍ତି। ଏହି ସ୍କିମ୍‌ରେ ଦୈନିକ ୨୦୨ ଟଙ୍କାର ମଜୁରି ମିଳୁଛି ଯାହା ଅଣ କୃଷି ଶ୍ରମିକଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ୩୪୭ ଟଙ୍କାର ମଜୁରି ଠାରୁ କମ୍।

ସମ୍ବନ୍ଧିତ ଖବର