ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ଯୋଗୁ ଉତ୍ତର ଭାରତର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବ। ବାଣିଜ୍ୟ ଏବଂ ଶିଳ୍ପ କ୍ଷେତ୍ର ବାଧାପ୍ରାପ୍ତ ହେବା ସହିତ ନିଯୁକ୍ତି ଉପରେ ମଧ୍ୟ ଏହାର ବଡ଼ ପ୍ରଭାବ ପଡ଼ିବ। ଯଦି ଏହା ଦୀର୍ଘଦିନ ଲାଗିରହେ‌ ତା’ହେଲେ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକର ଦୈନିକ ଅର୍ଥନୈତିକ କ୍ଷତି ୫୦୦ କୋଟି ଟଙ୍କା ହେବ। ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକ ବା ମୁଖ୍ୟତଃ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)କୁ ଏହା ବାଧା ପହଞ୍ଚାଇବ ବୋଲି ପିଏଚ୍‌ଡି ଚାମ୍ବର ଅଫ୍‌ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିର ସଭାପତି ସଞ୍ଜୀବ ଅଗ୍ରୱାଲ କହିଛନ୍ତି। ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ଉଭୟ କୃଷକ ଓ ସରକାର କରନ୍ତୁ ବୋଲି ଉକ୍ତ ଶିଳ୍ପ ସଂଗ୍ରହ ଆଗ୍ରହ ପ୍ରକାଶ କରିଛି।

Advertisment

ଦେଶରେ ସମସ୍ତଙ୍କ ମଙ୍ଗଳକୁ ଦୃଷ୍ଟିରେ ରଖି ଏହା କରାଯାଉ ବୋଲି ସେ କହିଛନ୍ତି। କୃଷକ ଆନ୍ଦୋଳନ ଯୋଗୁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନର କିଛି ଅଂଶରେ ଥିବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ବ୍ୟବସାୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। କାରଣ ଏସବୁ କାରଖାନାଗୁଡ଼ିକ ଅନ୍ୟ ରାଜ୍ୟରୁ କଞ୍ଚାମାଲ ସଂଗ୍ରହ କରି ବିଭିନ୍ନ ସାମଗ୍ରୀ ନିର୍ମାଣ କରି ବିକ୍ରି କରିଥାନ୍ତି। ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବେ। ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀର ମୋଟ ଜିଏସ୍‌ଡିପି ୨୦୨୨-୨୩ରେ ୨୭ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିଲା। ଉପରୋକ୍ତ କ୍ଷେତ୍ରର କାରଖାନାରେ ପ୍ରାୟ ୭୦ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ଅଟୋମୋବାଇଲ, କୃଷି ଯନ୍ତ୍ରାଂଶ, ସୂଚନା ପ୍ରଯୁକ୍ତି, ପର୍ଯ୍ୟଟନ, ଆ‌ତିଥେୟତା ଏବଂ ପରିବହନ ଶିଳ୍ପ ଗୁରୁତର ଭାବେ ଏହାଦ୍ବାରା ବାଧାପ୍ରାପ୍ତ ହେବ ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି।